ଓଭର ବ୍ରିଜ୍
ରେଲ୍ବାଇ ଓଭର ବ୍ରିଜ୍ ।
ଜୀର୍ଣ୍ଣ ଶୀର୍ଣ୍ଣ ଜଣେ ନାରୀ ଶୋଇ ପଡ଼ିଛନ୍ତି । ପାଖରେ ଦୁଇଟି ଅର୍ଦ୍ଧନଗ୍ନ ଶିଶୁ - ସେମାନେ ବି ଶୋଇ ପଡ଼ିଛନ୍ତି । ମୁଣ୍ଡ ପାଖରେ କଙ୍କାଳସାର ବାଳକଟିଏ । ସେ କିନ୍ତୁ ଶୋଇନି । ବସିଛି ଏବଂ ଚାହିଁ ରହିଛି ଏକଲୟରେ ଶୂନ୍ୟକୁ ।
ତଳେ ସଶବ୍ଦେ ଛୁଟି ଚାଳିଛି ରେଳଗାଡ଼ି । ଗୋଟିକ ପରେ ଗୋଟିଏ । କେତୋଟି ମୁହୂର୍ତ୍ତ ପାଇଁ ଓଭର ବ୍ରିଜ୍ କମ୍ପି ଉଠୁଛି । ଜନ କୋଳାହଳ । ତା'ପରେ ସବୁ ଶୂନ୍ଶାନ୍ ।
ନାରୀ ଜଣକ ଶୋଇନାହାନ୍ତି । ଆଖିମୁଦି ପଡ଼ିଛନ୍ତି । କ୍ଷୁଧାର ଭୟରେ । କ୍ଷୁଧା ! କି ଭୟଙ୍କର ସେ ଜୀବ ! କି ମାରାତ୍ମକ !! ନାଁ,ନାଁ..ମାରାତ୍ମକ ନୁହେଁ । ମୋଟେ ହେଲେ ମାରାତ୍ମକ ନୁହେଁ, ତା'ହେଲେ ତ ସବୁ କିଛିର ସମାଧାନ ହୋଇ ଯାଇଥାନ୍ତା ।
ଶିଶୁ ଯୋଡ଼ିକୁ ଶୁଆଇ ଦିଆଯାଇଛି । କ୍ଷୁଧା ଶୁଆଇ ଦେଇଛି । ପେଟର ଜ୍ୱାଳାରେ କାନ୍ଦି କାନ୍ଦି ହାଲିଆ ହୋଇ ସେମାନେ ଶୋଇ ପଡ଼ିଛନ୍ତି ।
ମା' ଚମକି ଉଠିଛି । ଯେ କୌଣସି ମୁହୂର୍ତ୍ତରେ ସେମାନେ ଉଠି ପଡ଼ିବେ । ଆଉ ମାଗିବେ ଖାଇବାକୁ ।
ଆଖିପତାକୁ ଖୁବ୍ ଜୋର୍ରେ ଚାପି ଦେଇଛି । ସେ ଶୋଇଛି ।
ବାଲକଟି ଶୂନ୍ୟକୁ ଚାହିଁଛି । କ୍ଷୁଧା ତାକୁ କରି ପକାଇଛି ସମାଧିସ୍ଥ । ସେ ଟିକିଏ ବୁଝିଲାଣି । କାନ୍ଦିଲେ କିଛି ଲାଭ ନାହିଁ । ପେଟ ପୂରିବନି । ମୁଣ୍ଡ ବିନ୍ଧିବ । ତେଣୁ ଶୂନ୍ୟକୁ ହିଁ ଚାହିଁ କଟାଇ ଦେବା ଭଲ ।
ତଳେ ପ୍ଲାଟଫର୍ମରେ ସରକାରୀ ବିଜ୍ଞାପନ ।
ଛୋଟ ପରିବାର ସୁଖୀ ପରିବାର ।
ଅନାମଧେୟ ମା'ଙ୍କର ପରିବାର ଛୋଟ । ସନ୍ତାନ ତିନୋଟି । କିନ୍ତୁ କାଇଁ ସେ ସୁଖ ?