ପୃଷ୍ଠା:Banhi O Bou.pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପାରିବନି । କଟକ ହିଁ ଉପ‌ଯୁକ୍ତ । ପଣ୍ତିତ ମହାଶୟ ଖୁବ୍ ଲଢ଼ିଲେ । ଶେଷରେ ଠିକ୍ ହେଲା, ଅମୂକ ସମୟ ଭିତରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ଯଦି ଏତେଜଣଙ୍କୁ ଅଭ୍ୟର୍ଥନା ସମିତିର ସଭ୍ୟ କରିପାରିବ, ତେବେ ଯାଇ କଂଗ୍ରେସ ପୁରୀରେ ହେବ ।

ପୁରୀର ପଣ୍ତା ଅତିଥିସତ୍କାର ପାଇଁ ଜଗତ ବିଖ୍ୟାତ । ଆଉ କେତେ ହଜାର ମାତ୍ର କଂଗ୍ରେସ ସଭ୍ୟଙ୍କର ରହିବା, ଖାଇବାର ବନ୍ଦୋବସ୍ତ ସେମାନେ କରିପାରିବେନି ? ସମସ୍ତଙ୍କୁ ଦେଖାଇଦେବାକୁ ହେବ ଯେ, ପୁରୀର ପଣ୍ତା ଖାଲି ଭାଙ୍ଗୁଆ, ଗୁଣ୍ତା ନୁହେଁ, ସେ ଜଗତରେ ସବୁଠାରୁ ବଡ଼ ଅତିଥିସତ୍କାରକ ମଧ୍ୟ ।

ପଢ଼ିଆରୀଏ ଝାଡ଼ିଝୁଡ଼ି ହୋଇ ଉଠିପଡ଼ିଲେ । ତାଙ୍କ ସଙ୍ଗେ ଉଠିପଡ଼ିଲେ ଦନୁ ପାଡ଼ୁସିଏ, ଜଗା ସୁଆରେ, ରାମ ଖୁଣ୍ଟିଏ ଆଉ ଦାଁମାହାପ୍ତ୍ରେ । ପଶାପାଲି ପଡ଼ିରହିଲା, ପଖୌଜ ଗଡ଼ିଲା, ଆଉ ତା'ସଙ୍ଗେ ସଙ୍ଗେ ଭାଙ୍ଗଶିଳ ବି ।

ପଢ଼ିଆରୀଏ ଲାଗିପଡ଼ିଲେ, କି ଦିନ କି ରାତି ଖାଲି ସଭ୍ୟ ସଂଗ୍ରହରେ । ପଣ୍ତିତ ମହାଶୟ ଲାଗିଚନ୍ତି ପଛରେ - ପଢ଼ିଆରୀଏ, କିଓ ଟୋକାଲୋକ ହୋଇ ଏମିତି ହଟିଯାଉଚ କିଆଁ ?

ପଢ଼ିଆରୀଙ୍କ ସିନ୍ଧୁକରୁ ହଜାର ହଜାର ଟଙ୍କା ପାଣିପରିକା ବୋହି ଯାଉଚି । କାଇଁକିନା, କାହାଠୁ ପାଞ୍ଚ, କାହାଠୁ ଦଶ ଆଣି ବାକିତକ ନିଜ ହାତରୁ ଦେଇ ଅଭ୍ୟର୍ଥନା ସମିତିର ସଭ୍ୟ କରାଇବାକୁ ହେବ । ପୁରୀର ମାନ ତଳକୁ ପଡ଼ିବା ମାନେ ପତିତପାବନ ବାନାର ନିନ୍ଦା । ସେ କଥା ପଢ଼ିଆରୀଏ ବଞ୍ଚି ଥାଉ ଥାଉ କରିବାକୁ ଦେବେନି ।

ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଦିଷ୍ଟ ସଂଖ୍ୟାରୁ ବ‌ହୁ ଅଧିକ ସଭ୍ୟତାଲିକା ଆଉ ଟଙ୍କା ଧରି ରାତି ଅଧରେ ପଣ୍ତିତ ମହାଶୟଙ୍କ ସଙ୍ଗେ ପଢ଼ିଆରୀଏ ମଟର ଗାଡ଼ି କରି ଗଲେ କଟକ । ଶେଷରେ ସେଇମାନଙ୍କରହିଁ ଜୟ ହେଲା । ବଳିଆ ପଣ୍ତାରେ କଂଗ୍ରେସ ହେବ । ପଢ଼ିଆରୀଙ୍କ ଆନନ୍ଦ କ‌ହିଲେ ନ ସରେ । ଯାହା‌ହେଉ, ଜଗନ୍ନାଥ ବାନା ନିନ୍ଦାରୁ ରକ୍ଷା ପାଇଗଲା ।