Jump to content

ପୃଷ୍ଠା:Bhasa o Jatiyata.pdf/୧୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ଇଂରେଜ ଅଧିକାରୀଙ୍କ ଏହିପରି ମାନସିକତାରେ ପ୍ରେରଣା ପାଇ ତ‌ତ୍କାଳୀନ ମାନ୍ଦ୍ରାଜ ପ୍ରେସିଡେନ୍ସି ଅନ୍ତର୍ଭୁକ୍ତ ତେଲୁଗୁ ଓ ତାମିଲ ବୁଦ୍ଧିଜୀବୀଗଣ ଉତ୍ତର ସରକାର ବା ଗୋଦାବରୀ ନ‌ଦୀ ଉତ୍ତର ପାର୍ଶ୍ୱରେ ଥିବା ସଂପୂର୍ଣ୍ଣ ଓଡ଼ିଆ ଅଞ୍ଚଳରେ ତେଲୁଗୁଭାୁଷା ପ୍ରଚଳନପାଇଁ ଦାବି ଜଣାଇଲେ । ଏମାନଙ୍କ ଦାବିକୁ ସ୍ୱୀକାର କରାଯାଇ ତେଲୁଗୁଭାଷା ପ୍ରଚଳିତ ହେଲା । ମାତ୍ର ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷପରେ ଯେଉଁ ଜାତୀୟ ଆନ୍ଦୋଳନର ସୂତ୍ରପାତ ଘଟି ଓଡ଼ିଆ ପତ୍ରପତ୍ରିକା ଓ ସାହିତ୍ୟିକ ଭିତ୍ତିଭୂମି ସ୍ଥାପିତ ହେଲା, ସେଥିରେ ଅନୁପ୍ରାଣିତ ହୋଇ ଉଠିଲେ ଦକ୍ଷିଣ ଓଡ଼ିଶାବାସୀ ।୧୮୭୦ ମସିହାରେ ଏମାନେ ମାନ୍ଦ୍ରାଜ ସରକାରଙ୍କୁ ସର୍ବପଥ୍ରମେ ଏକ ସ୍ମାରକପତ୍ର ପ୍ରଦାନ କଲେ । ଏଥିରେ ନ୍ୟାୟାଳୟମାନଙ୍କରେ ତେଲୁଗୁଭାଷା ପ୍ରଚଳନ‌ଦ୍ୱାରା ସାଧାରଣ ଜନତା କିପରି ଅସୁବିଧାର ସମ୍ମୁଖୀନ ହେଉଥିଲେ, ତାହା ଦର୍ଶାଯାଇ ଥିଲା । ଶେଷରେ୪ମାର୍ଚ୍ଚ୧୮୭୨ ମସିହାରେ ସରକାରୀ ଆଦେଶ‌ଦ୍ୱାରା ନ୍ୟାୟାଳୟର ଭାଷା ତେଲୁଗୁ ବଦଳରେ ଓଡ଼ିଆ ହେଲା । କାଟିଙ୍ଗିଆ ଜମିଦାର ଭେଙ୍କଟେଶ୍ୱର ରାଓ ଏଥିରେ ଉତ୍ସାହିତ ହୋଇ ଓଡ଼ିଆ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ଲକ୍ଷ୍ୟରେ ଗଢ଼ିଲେ ‘ଓଡ଼ିଆ ହିତବାଦିନୀ ସଭା’ । ଏହା ଥିଲା ଭାରତର ସର୍ବପ୍ରଥମ ସଂଗଠନ, ଯାହା କେବଳ ରାଜନୈତିକ ଅଧିକାରପାଇଁ ଗଠିତ ହୋଇ ନ ଥିଲା, ବରଂ କୌଣସି ଭାଷା ଓ ସଂସ୍କୃତିର ସୁରକ୍ଷାପାଇଁ ଗଠିତ ଭାରତର ସର୍ବପ୍ରଥମ ଅନୁଷ୍ଠାନ । ଏଥିରୁ ଜଣାପଡ଼େ ସର୍ବଭାରତୀୟ ସ୍ତରରେ ଓଡ଼ିଆଙ୍କର ରାଜନୈତିକ ସଚେତନତା କିଭଳି ପ୍ରକାରର ଥିଲା ।

ବଙ୍ଗଳା ଅଧୀନରେ ଥିବା ଉପକୂଳବର୍ତ୍ତୀ ଓଡିଶା ଅଞ୍ଚଳ ଯେତେବେଳେ ନ’ଅଙ୍କ ଦୁର୍ଭିକ୍ଷର କରାଳ କାୟାରେ କବଳିତ ହୋଇ ଅର୍ଦ୍ଧାଧିକ ଓଡ଼ିଆଙ୍କୁ (ସରକାରୀ ହିସାବରେ ଏକତୃତୀୟାଂଶ ବା ମୋଟ ୩୦ ଲକ୍ଷ ଜନସଂଖ୍ୟାରୁ ୧୦ ଲକ୍ଷ) ହରାଇ ନିଜର ସ୍ଥିତି ସୁରକ୍ଷିତ ରଖିବାର ପ୍ରୟାସରତ ଥିଲା, ସେତେବେଳେ ଓଡ଼ିଆ ଭାଷା, ଜାତି ଓ ସଂସ୍କୃତିର ସୁରକ୍ଷାପାଇଁ କନ୍ଧମାଳ ଭଳି ନିଘଞ୍ଚ ଜଙ୍ଗଲ ଓ ସୁଉଚ୍ଚ ପାହାଡ଼ ଘେରା ଅଜଣା ଅଶୁଣା ଅଞ୍ଚଳରେ ଏକ ଉଜ୍ୱଳ ଜ୍ୟୋତିଷ୍କର ଆବିର୍ଭାବ ଘଟିଲା । ସେହି ଜ୍ୟୋତିଷ୍କ ହେଉଛି ବର୍ତ୍ତମାନର ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ଅନ୍ତର୍ଗତ କାଟିଙ୍ଗିଆ ଜମିଦାର ଭେଙ୍କଟେଶ୍ୱର ରାଓ । ଜଣେ ଦୂରଦ୍ରଷ୍ଟା, ସ୍ୱାଭିମାନୀ ସ୍ୱାଧୀନଚେତା ଓଡ଼ିଆ ଭାବେ ସେ ଅନୁଭବ କଲେ ଓଡ଼ିଆଭାଷାୀ ଅଞ୍ଚଳକୁ ଏକ ଶାସନାଧୀନ ନ କଲେ ତଥା ଏହି ଅଞ୍ଚଳର ଅଧିବାସୀଙ୍କୁ ନିଜ ମାତୃଭାଷାରେ ଶିକ୍ଷିତ ନ କଲେ ଐତିହାସିକ ଗୌରବମୟ ଓଡ଼ିଶା ଭୂଖଣ୍ଡର କୌଣସି ଉନ୍ନତି ଘଟିବନାହିଁ । ଆଜି ଇଂରେଜ ଚକ୍ରାନ୍ତରେ ଯେପରି ଓଡ଼ିଆଏ ପୋକମାଛି ଭଳି ମରୁଛନ୍ତି, କାଲି ଆଉ କାହା ଚକ୍ରାନ୍ତରେ ନିଜର ସ• ହରାଇ ବସିବେ । ଓଡ଼ିଆଜାତିର ସର୍ବାଙ୍ଗୀନ ବିକାଶପାଇଁ ଏକମାତ୍ର କାର୍ଯ୍ୟ ହେଉଛି ମାନ୍ଦ୍ରାଜ, ମଧ୍ୟପ୍ରଦେଶ ଓ ବଙ୍ଗଳା ଅଧୀନରେ ଥିବା ଓଡ଼ିଆ ଭୂଖଣ୍ଡକୁ ଏକତ୍ରକରି ସମଗ୍ର ଶାସନବ୍ୟବସ୍ଥା ଓଡ଼ିଆ ଓ ଇଂରାଜୀଭାଷା ମାଧ୍ୟମରେ କରାଇବା । ତେଣୁ ସେ ୧୮୬୬ରେ ଜମିଦାରୀ କ୍ଷମତା ପାଇବା ପରେ ନିଜ ଚିନ୍ତାଧାରାକୁ