ପୃଷ୍ଠା:Bhasa o Jatiyata.pdf/୧୦୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


ଭାଷା ଓ ଜାତୀୟତା ଦାବି ଜଣାଇଲେ । ରାଜ୍ୟପାଳ ଫ୍ରେଜରସାହେବ ଏହି ଅଭିଯୋଗ ବଡ଼ଲାଟ ଲର୍ଡ ଏଲଗିନ୍‌ଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଲେ । ମାତ୍ର ବଡ଼ଲାଟ ଫ୍ରେଜରଙ୍କ ପରାମର୍ଶକୁ ପ୍ରତ୍ୟାଖ୍ୟାନ କରି ହିନ୍ଦୀଭାଷା ପ୍ରଚଳନପାଇଁ ନିର୍ଦ୍ଦେଶ ଦେଲେ । ପରେ ସୋମନାଥବାବୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାର ପ୍ରସ୍ତାବକ୍ରମେ ମହନ୍ତ ବିହାରୀ ଦାସ, ବ୍ରଜମୋହନ ପଟ୍ଟନାୟକ, ବଳଭ‌ଦ୍ର ସୂପକାର (ସୁଆର), ମଦନମୋହନ ମିଶ୍ରଙ୍କ ସହିତ ଯୁବକ ଶ୍ରୀପତି ମିଶ୍ର ବଡ଼ଲାଟ ଲର୍ଡ କର୍ଜନକୁ ଭେଟି ସମ୍ବଲପୁରରେ ଓଡ଼ିଆଭାଷା ପ୍ରଚଳନପାଇଁ ଦାବିପତ୍ର ପ୍ରଦାନ କରିବେ ବୋଲି ଶିମିଳାି ଯାଇଥିଲେ । ଯାହା ପରବର୍ତ୍ତୀ ସମୟରେ ‘ଶିମିଳାି ଯାତ୍ରା’ ନାମରେ ଖ୍ୟାତ। ୧୮୯୯ରେ ସମ୍ବଲପୁର ଅଞ୍ଚଳରେ ଭୟାବହ ଦୁର୍ଭିକ୍ଷ ଦେଖାଦେଇଥିଲା । ଏହା ୧୮୬୬ ମସିହାରେ ଘଟିଯାଇଥିବା ଉପକୂଳ ଓଡ଼ିଶାର ନ’ଅଙ୍କ ଦୁର୍ଭିକ୍ଷ ଭଳି ମନୁଷ୍ୟକୃତ ଥିଲା । ୧୮୯୦ରେ ଝାରସୁଗୁଡ଼ା ଦେଇ ବମ୍ବେ-କଲିକତା ରେଳପଥ ନିର୍ମାଣ ହେବାପରେ ୧୮୯୪ରେ ଝାରସୁଗୁଡ଼ାଠାରୁ ସମ୍ବଲପୁରକୁ ରେଳପଥ ନିର୍ମାଣହେଲା । ଫଳରେ ଏହି ଅଞ୍ଚଳରୁ ଉତ୍ପାଦିତଶସ୍ୟକୁ ସଂଗ୍ରହକରି ରେଳମାଧ୍ୟମରେ ପଠାଇ ଦିଆଗଲା । ଅଥଚ ଆବଶ୍ୟକ ସମୟରେ ଶସ୍ୟ ଆମଦାନୀର କୌଣସି ବ୍ୟବସ୍ଥା କରାଯାଇ ନ ଥିଲା । ଖାଦ୍ୟ ରପ୍ତାନୀହାର ଏଭଳି ମାତ୍ରାରେ ବୃଦ୍ଧିପାଇଲା ଯେ ମାତ୍ର ୩/୪ବର୍ଷ ପରେ ଯେଉଁ ଭୟଙ୍କର ଦୁର୍ଭିକ୍ଷ ଦେଖାଦେଲା, ସେଥିରେ ସମ୍ବଲପୁର ଜିଲ୍ଲାର ୮ ଲକ୍ଷ ମଧ୍ୟରୁ ୧ ଅକ୍ଟୋବର ୧୮୯୯ ରୁ ୩୦ ସେପ୍ଟେମ୍ବର୧୯୦୦ମଧ୍ୟରେ ୬୨ହଜାର୯୨୪ଜଣ ଓଡ଼ିଆ ପ୍ରାଣ ହରାଇ ଥିବାବେଳେ ଏହାର ୫ଗୁଣ ସ୍ୱଚ୍ଛଳ ଓଡ଼ିଆ ସବୁକିଛି ହରାଇ ନିଃସ୍ୱ ହୋଇଯାଇଥିଲେ । ଏପରିକି ଏମାନେ ସରକାରଙ୍କୁ ବିଭିନ୍ନ ନିବେଦନ ଓଡ଼ିଆଭାଷାରେ ଲେଖି ପଠାଉଥିବାରୁ ଅଣଓଡ଼ିଆ କିରାଣୀଦଳ ଏହିସବୁ ଦରଖାସ୍ତକୁ ଚିରି ଦେଉଥିଲେ କିମ୍ବା ନାଲିଫିତା ତଳେ ଲୁଚାଇ ରଖି ଦେଉଥିଲେ । ଜିଲ୍ଲା ମୁଖ୍ୟପ୍ରଶାସନିକ କାର୍ଯ୍ୟାଳୟରେ କିରାଣୀ ଥିବା ଦାଶରଥି ମିଶ୍ର ଏ ସଂପର୍କିତ ତଥ୍ୟ ଭାଇ ଶ୍ରୀପତି ମିଶ୍ରଙ୍କ ମାଧ୍ୟମରେ ଅନ୍ୟମାନଙ୍କୁ ସୂଚନା ଦେଇ ହିନ୍ଦୀଭାଷୀ କର୍ମଚାରୀଙ୍କ ଚକ୍ରାନ୍ତ ବିରୁଦ୍ଧରେ ଜନମତ ସୃଷ୍ଟି କରିବାରେ ଚେଷ୍ଟିତ ଥିଲେ । ଆଉଜଣେ ଓଡ଼ିଆପ୍ରାଣ ବ୍ୟକ୍ତିତ୍ୱ ତଥା ସମ୍ବଲପୁରର ଅତିରିକ୍ତ ସହକାରୀ କମିଶନର ବୈକୁଣ୍ଠନାଥ ପୂଜାରୀ ୧୯୦୧ର ଜନଗଣନା କାର୍ଯ୍ୟରେ ଉପୁଜିଥିବା ବିଶୃଙ୍ଖଳାର ତଦାରଖ ଦାୟିତ୍ୱରେ ଥିବାବେଳେ ରାତିରାତି ଅନିଦ୍ରା ହୋଇ ଗ୍ରାମାଞ୍ଚଳର ସାଧାରଣ ନିରୀହ ଓଡ଼ିଆଙ୍କୁ କୌଣସି ପ୍ରଲୋଭନର ବଶବର୍ତ୍ତୀ ନ ହୋଇ ଭୟ ଓ ଆଶଙ୍କାରହିତ ଭାବେ ନିଜ ମାତୃଭାଷା ଓଡ଼ିଆ ବୋଲି ଜନଗଣନାକାରୀଙ୍କୁ ଦୃଢ଼ଭାବେ କହିବାପାଇଁ ପରାମର୍ଶ ଦେଉଥିଲେ । ଏହି ସୂଚନା ଜିଲ୍ଲାପାଳ ପାଇବାରୁ ପୂଜାରୀ ମହାଶୟଙ୍କୁ ଜବଲପୁର ବଦଳି କରାଗଲା । ସେହିପରି ଅନ୍ୟଜଣେ ଯୁବନେତୃତ୍ୱ ତଥା ଆଇନଜୀବୀ ଚନ୍ଦ୍ରଶେଖର ବେହେରା ମଧ୍ୟ ଓଡ଼ିଆଭାଷାର ସ୍ଥିତିରକ୍ଷାପାଇଁ ବାହାରି ପଡ଼ିଲେ । ୧୯୦୧ବେଳକୁ ହିନ୍ଦୀଭାଷୀଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସାଧାରଣ ଜନତାଙ୍କ ଭିତରେ ଏଭଳି ଆଲୋଡ଼ନ ସୃଷ୍ଟି ହେଲା ଯେ, ମଇମାସରେ ମଦନମୋହନ ମିଶ୍ରଙ୍କ ନେତୃତ୍ୱରେ ଓ ୨୯