ପୃଷ୍ଠା:Bhasa o Jatiyata.pdf/୧୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ଜୁଲାଇ ୧୯୦୧ରେ ବ୍ରଜମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ନାଗପୁର ଚିଫ୍ କମିଶନର ଫ୍ରେଜର ସାହେବଙ୍କୁ ଓଡ଼ିଆଭାଷାର ପୁନଃ ପ୍ରଚଳନପାଇଁ ଦାବିପତ୍ର ପ୍ରଦାନ ପୂର୍ବକ ନିଜ ଅଧିକାର ସାବ୍ୟସ୍ତ କରିବାକୁ ବାହାରି ପଡ଼ିଲେ । ଓଡ଼ିଆତ୍ୱର ଆବେଗରେ ହଜିଯାଇଥିବା ୫ଜଣ ବ୍ୟକ୍ତି କେତେବେଳେ ଚାଲିଚାଲି, କେତେବେଳେ ଟାଙ୍ଗାଗାଡ଼ି କିମ୍ବା ରେଳଗାଡ଼ି ଯୋଗେ ଦୀର୍ଘପଥ ଅତିକମ୍ର କରି୧୬ସେପ୍ଟେମ୍ବର୧୯୦୧ରେ ଶିମିଳାଠାରେ ପହ୍ଞ୍ଚିଲେ । ମାତ୍ର ଶିମିଳାରେ ଉଭୟ ବଡ଼ଲାଟ ଲର୍ଡ କର୍ଜନ ଓ ମଧ୍ୟପ୍ରଦେଶ ଗଭର୍ଣ୍ଣର ଆଣ୍ଡ୍ୟୁ ଫ୍ରେଜର ଉପସ୍ଥିତ ଥିଲେ ମଧ୍ୟ ସାକ୍ଷାତ ପାଇପାରି ନ ଥିଲେ । ତେବେ ପୂର୍ବରୁ ସମ୍ବଲପୁରର କଲେକ୍ଟର ତଥା ଏହି ସମୟରେ ମଧ୍ୟପ୍ରଦେଶର ଗଭର୍ଣ୍ଣରଙ୍କ ଘରୋଇ ସଚିବ ଭାବେ ନିଯୁକ୍ତି ପାଇଥିବା କ୍ରମ୍ପଟ ସାହେବଙ୍କ ପରାମର୍ଶ କ୍ରମେ ଦାବିପତ୍ର ପ୍ରଦାନ କରି ସମ୍ବଲପୁର ଫେରି ଆସିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ସମୟରେ ଶିମିଳାଠାରେ ଚାଲିଥିବା ‘ସର୍ବଭାରତୀୟ ଶିକ୍ଷାନୀତି’ ସଂପର୍କିତ ସମ୍ମିଳନୀରେ ବଡ଼ଲାଟ କର୍ଜ୍ଜନ ମଧ୍ୟପ୍ରଦେଶ ସରକାର ଆଣ୍ଡ୍ୟୁ ଫ୍ରେଜରଙ୍କୁ ମଧ୍ୟପ୍ରଦେଶ ଅଧିନସ୍ଥ ନାଗପୁରରେ ମରାଠୀ ଓ ସିର•ରେ ତେଲୁଗୁ ଭାଷା ପ୍ରଚଳନ ହେଉଥିବା ବେଳେ ସମ୍ବଲପୁରରେ ଓଡ଼ିଆଭାଷା ପ୍ରଚଳନ ନ ହେବ କାହିଁକି ବୋଲି ସ୍ପଷ୍ଟୀକରଣ ଚାହିଁଥିଲେ । ଓଡ଼ିଆଭାଷା ପ୍ରଚଳନକୁ ଦୃଢ଼ବିରୋଧ କରୁଥିବା ଫ୍ରେଜର ଏହାର ଉତ୍ତର ଦେଇପାରି ନ ଥିଲେ । ତେଣୁ ଏହାପରେ ସେ ନିଜ ପ୍ରତ୍ୟକ୍ଷ ଅନୁଭୂତିକୁ ନିରପେକ୍ଷ ରଖିବାପାଇଁ ସିଧାସଳଖ ସମ୍ବଲପୁର ଆସି ବିଭିନ୍ନ ଜନତାଙ୍କଠାରୁ ମତାମତ ସଂଗ୍ରହ କରିଥିଲେ ।୨୬ ତାରିଖ ସକାଳେ ତାଙ୍କୁ ସମ୍ବଲପୁରବାସୀଙ୍କ‌ଦ୍ୱା‌ରା ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଗଲା । ‘ସମ୍ବଲପୁର ହିତୈଷିଣୀ’ ବର୍ଣ୍ଣନାନୁସାରେ- “ମାନ୍ୟବର ଫ୍ରେଜର ସାହେବ ଯହିଁ ଯହିଁ ଗଲେ, ସେଠାରେ ଓଡ଼ିଆମାନଙ୍କର ହୃଦୟନିହତି ମର୍ମାନ୍ତିକ ବେଦନାଜନିତ ଆର୍ଭିନାଦ ଶ୍ରବଣ କଲେ । ଓଡ଼ିଆଙ୍କ ଦୁଃଖରେ ତାଙ୍କର ହୃଦୟ ବିଗଳିତ ହେଲା । ସେ ତତ୍‌କ୍ଷଣାତ୍ ବୁଝିପାରିଲେ ଯେ, ଓଡ଼ିଆଙ୍କର ଦୁଃଖ କାଳ୍ପନିକ ନୁହେଁ, କିନ୍ତୁ ହୃଦୟଜାତ ଏବଂ ସ୍ୱାଭାବିକ ।” ସମ୍ବଲପୁରବାସୀ ଓଡ଼ିଆମାନଙ୍କର ଭାଷାନିମିତ୍ତି ଗଭୀର ଉଦ୍‌ବେଗ ଲକ୍ଷ୍ୟ କରି କହିଥିଲେ, “ଆମ୍ଭେ ଆପଣମାନଙ୍କର ଦେଶରେ ଉପସ୍ଥିତ ହୋଇ ଆପଣମାନଙ୍କ ଭାଷା ପରିବର୍ତ୍ତନ ଜନିତ ଦୁଃଖକଷ୍ଟ ବିଷୟରେ ଅନୁସନ୍ଧାନ କଲୁ । ଆପଣମାନେ ପ୍ରକୃତରେ କଷ୍ଟ ଅନୁଭବ କରୁଛନ୍ତି ଏବଂ ଏତଦ୍ ଦୃଷ୍ଟିରେ ଆମ୍ଭେ ସମ୍ବଲପୁରରେ ଓଡ଼ିଆ ପୁନଃପ୍ରଚଳନ ନିମନ୍ତେ ନିକଟରେ ଗଭର୍ଣ୍ଣର ଜେନେରାଲ ବାହାଦୁରଙ୍କ ନିକଟକୁ ଲେଖୁଅଛୁ । ଆପଣମାନେ ମନେକରନ୍ତୁ ଯେ ଓଡ଼ିଆ ଆଜିଠାରୁ ସମ୍ବଲପୁରର ଅଦାଲତ ଭାଷା ହେଲା । ଆପଣ ଜାଣିରଖନ୍ତୁ,ଜାନୁଆରୀମାସ ପ୍ରଥମ ତାରିଖଠାରୁ କାଗଜପତ୍ର ଓଡ଼ିଆରେ ଲିଖିତ ହେବାର ଆଦେଶ ଅବିଳମ୍ବେ ପ୍ରଚାରିତ ହେବ ।” (ହିତୈଷିଣୀ, ୧୬ ଅକ୍ଟୋବର ୧୯୦୧, ପୃ-୯୦)

ଦୀର୍ଘ ଛଅବର୍ଷର ନିର୍ବାସନ‌ଦଣ୍ତ ପରେ ଓଡ଼ିଆଙ୍କ ମୁଖରେ ଓଡ଼ିଆଭାଷା ପୁନଃ ପ୍ରଚଳିତ ହେଲା । ଆଣ୍ଡ୍ୟୁ ଫ୍ରେଜର ନିଜକଥା ଅନୁସାରେ ଅକ୍ଟୋବର ୧୯୦୧ରେ ନିଜ