ପୃଷ୍ଠା:Bhasa o Jatiyata.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୨
ଭାଷା ଓ ଜାତୀୟତା
 
ଜାତିର ବିକାଶରେ ଭାଷାର ଭୂମିକା

ମାନବସଭ୍ୟତାରେ ଏକ ଉନ୍ନତ ଜାତିର ପରିଚୟ ହେଉଛି ସେହି ଜାତିର ଅଧିବାସୀଙ୍କ ମୁଖରେ ଉଚ୍ଚାରିତ ହେଉଥିବା ଭାଷା | ଆମେ ସେହି ଜାତିକୁ ସେତେ ଉନ୍ନତ ବୋଲି କାହିବା, ଯେଉଁ ଜାତିର ଭାଷା ସାମାଜର ସବୁ ପ୍ରକାର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିଥାଏ | ଭାଷା ମଧ୍ୟ ମଣିଷ ଭଳି ଗତିଶୀଳ, ଚଳଚଞ୍ଚଳ । ପ୍ରବାହମାନ ନଦୀଧାରା ଭଳି ସ୍ୱଚ୍ଛ, ମନୋହର ଓ ଲାଳିତ୍ୟପୂର୍ଣ୍ଣ । ପୁଣି ଭାଷାକୁ ଜୀବିତ ରଖେ ଏହାର ବ୍ୟବହାରିକ ଦିଗ । ଅର୍ଥାତ୍ ଗୋଟିଏ ଭାଷାକୁ ଯେତେ ବ୍ୟବହାର କରାଯିବ ସେ ଭାଷା ସେତେ ସ୍ୱଚ୍ଛ,ସତେଜ ଓ ଦୀର୍ଘଜୀବୀ ହୋଇ ରହିବ ।

କେବଳ ଉଚ୍ଚାରଣ ନୁହଁ, ଆଚରଣରେ ମଧ୍ୟ ଭାଷା ବଞ୍ଚିଥାଏ । ମଣିଷ ସମାଜର ଦୈନନ୍ଦିନ ଆବଶ୍ୟକତା, ଯଥା-ବିଜ୍ଞାନ, କାରିଗରୀ, ଚିକିତ୍ସା, ନ୍ୟାୟ, ପ୍ରଶାସନକ୍ଷେତ୍ର ହିଁ ଏହି ଆଚରଣର ଗୋଟିଏଗୋଟିଏ ବିନ୍ଦୁ । ଯଦି ଆଚରଣରେ ଭାଷାର ପ୍ରୟୋଗ ନ ରହେ, ତେବେ ସେ ଭାଷା ଯେତେ ଉନ୍ନତ ହୋଇଥିଲେ ମଧ୍ୟ ତାହାର ମୃତ୍ୟୁ ଅବଶ୍ୟାମ୍ଭାବୀ । ପୁଣି ଯଦି ଗୋଟିଏ ଭାଷାଭାଷୀଙ୍କ ମଧ୍ୟରେ ସ୍ୱାଭିମାନର ବୀଜ ଅଙ୍କୁରିତ ହୋଇଉଠେ, ତେବେ ସେ ଭାଷା ମୃତ ହୋଇ ମଧ୍ୟ ପୁନଃ ଜାଗରିତ ହୋଇ ଉଠିବ । ଦୃଷ୍ଟାନ୍ତରୂପେ ବିଶ୍ୱର ଦୁଇ ପ୍ରାଚୀନଭାଷା- ସଂସ୍କୃତ ଓ ହିବ୍ରୁକୁ ନେଇପାରିବା । ବୈଦିକକାଳରୁ ଆରମ୍ଭ ହୋଇଥିବା ସଂସ୍କୃତଭାଷା ପ୍ରଥମ ଶତାବ୍ଦୀ ବେଳକୁ କୁଶାଣ ଶାସନ କାଳରେ ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାରର ଭାଷା ଭାବରେ ଗୃହୀତ ହେଲା । ମାତ୍ର ଚତୁର୍ଥ ଶତାବ୍ଦୀ ବେଳକୁ ଗୁପ୍ତବଂଶୀ ଶାସକଙ୍କ ପ୍ରୋତ୍ସାହନରେ ଏହାର ସାଂସ୍କୃତିକ ବିକାଶ ଘଟି ଚିକିତ୍ସା, ବିଜ୍ଞାନ, ଗଣିତ, ଭୁଗୋଳ, ସାହିତ୍ୟ, ସଂସ୍କୃତି, କାରିଗରୀ ବିଦ୍ୟା, ନ୍ୟାୟ, ପ୍ରଶାସନରେ ବହୁଳ ବ୍ୟବହାର ଘଟିଥିଲା । ପରବର୍ତ୍ତୀ କାଳରେ ଶାସନଗତ ବିଶୃଙ୍ଖଳାର ସୁଯୋଗ ନେଇ ବିଦେଶୀଙ୍କଦ୍ୱାରା ଦୀର୍ଘଦିନ ଧରି ଭାରତ ଶାସିତ ହେଲା । ଶାସନ କ୍ଷେତ୍ରରେ ପାର୍ଶୀ ଓ ଇଂରାଜୀ ଭାଷାର ବିପୁଳ ବ୍ୟବହାର ଆଜି ସଂସ୍କୃତଭାଷାର ଅସ୍ତିତ୍ୱକୁ ସଂକଟାପନ୍ନ ଅବସ୍ଥାରେ ପକାଇଛି ।

ଠିକ୍ ସେହିପରି ହିବ୍ରୁ ଭାଷା । ପ୍ରାଚୀନ ବାଇବେଲ ଲେଖାଯାଇଥିବା ଏହିଭାଷା