ପୃଷ୍ଠା:Bhasa o Jatiyata.pdf/୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୪୪
ଭାଷା ଓ ଜାତୀୟତା
 

(୧) ଲିପିବଦ୍ଧ କ୍ରମିକ ଇତିହାସ

ଗୋଟିଏ ଜାତିର ପ୍ରାଚୀନତାକୁ ଆଧୁନିକ ଐତିହାସିକଗଣ ତିନୋଟି ସ୍ରୋତଦ୍ୱାରା ଆକଳନ କରିଥାନ୍ତି । ଯଥା ୧- ପ୍ରତ୍ନତାତ୍ତ୍ୱିକ ଆବିଷ୍କାର, ୨- ପ୍ରାଚ୍ୟ ସାହିତ୍ୟ ସ୍ରୋତ, ୩-ଭାରତ ଆସିଥିବା ପାଶ୍ଚାତ୍ୟ ପଣ୍ଡିତଙ୍କ ବିବରଣୀ । ବିଶ୍ୱର ମାନବଜାତି ଭଳି ଓଡ଼ିଆଜାତିର ପ୍ରାଚୀନତା ସମ୍ପର୍କରେ ପ୍ରତ୍ନତାତ୍ତ୍ୱିକ ଖନନରୁ ପ୍ରାପ୍ତ ଜୀବାଶ୍ମ, ଆଦିମାନବ ବ୍ୟବହାର କରୁଥିବା ପଥରର ଅସ୍ତ୍ରଶସ୍ତ୍ରରୁ ଜଣାପଡ଼ିଛି । ଏହିସବୁ ବସ୍ତୁ ଓଡ଼ିଶାରେ ପ୍ରବାହିତ ମହାନଦୀ, ସୁବର୍ଣ୍ଣରେଖା, ବୈତରଣୀ, ବ୍ରାହ୍ମଣୀ ଆଦି ବିଭିନ୍ନ ନଦୀ ଅବବାହିକାରୁ ପ୍ରଚୁର ପରିମାଣରେ ମିଳିଥିବାରୁ ଓଡ଼ିଶାରେ ମଧ୍ୟ ପୁରାତନ ପ୍ରସ୍ତରଯୁଗଠାରୁ ନୂତନ ପ୍ରସ୍ତର ଯୁଗ ଅନ୍ତର୍ଭୁକ୍ତ ତାମ୍ରଯଗୁ ଓ ଲୌହଯୁଗ ମଧ୍ୟରେ ମାନବର କ୍ରମ ବିକଶିତ ଅବସ୍ଥା ସମ୍ପର୍କରେ ଯଥେଷ୍ଟ ସୂଚନା ମିଳେ । ଏଥିସହିତ ଆଦିମାନବରୁ ବିବର୍ତ୍ତିତ ହୋଇ ଆଧୁନକି ମାନବ ସଭ୍ୟତାରେ ପହଞ୍ଚିବା ସମ୍ପର୍କରେ ମୁଖ୍ୟ ଭୂମିକା ନେଇଥିବା ଲିପିର କ୍ରମବିକଶିତ ରୂପ ଝାରସୁଗୁଡ଼ାର ବିକ୍ରମଖୋଲ, ଉଷାକୋଠି, ଉଲଫଗଡ଼, କଳହାଣ୍ଡିର ଗୁଡ଼ହାଣ୍ଡି ଓ ନୂଆପଡ଼ାର ଯୋଗୀମଠ ସମେତ ୫୫ଟି ଗୁମ୍ଫାରୁ ୨୦ହଜାର ବର୍ଷ ତଳେ ଅଙ୍କିତ ୫୭୭ଟି ବିଭିନ୍ନ ଚିତ୍ରଲିପିରୁ ଜଣା ପଡ଼ିଥିବାବେଳେ ଓଡ଼ିଆଜାତିର ଉତ୍କର୍ଷ ସମ୍ପର୍କିତ ସୂଚନା ଭାରତର ବିଭିନ୍ନ ପ୍ରାଚୀନ ସାହିତ୍ୟ ଏବଂ ବିଦେଶାଗତ ଭାରତ ଭ୍ରମଣକାରୀଙ୍କ ବିବରଣୀରେ ଦେଖିବାକୁ ମିଳେ ।

ପ୍ରତ୍ନତାତ୍ତ୍ୱିକ ଖନନରୁ ଜଣାପଡ଼େ ଏ ପର୍ଯ୍ୟନ୍ତ ଆବିଷ୍କୃତ ଭାରତର ସର୍ବପ୍ରାଚୀନ ସଭ୍ୟତା ହେଉଛି ପଶ୍ଚିମଭାଗରେ ପ୍ରବାହିତ ସିନ୍ଧୁ ଓ ଏହାର ଶାଖା ନଦୀକୂଳରେ ଗଢ଼ିଉଠିଥିବା ବାଣିଜ୍ୟିକ ସଭ୍ୟତା । ୫,୦୦୦ବର୍ଷ ତଳର ଏହି ସଭ୍ୟତା ପ୍ରମାଣ କରିଥାଏ ଯେ, ଭାରତ କେବଳ ବାଣିଜ୍ୟ ବ୍ୟବସାୟ ନୁହେଁ, ଲିଖନ କଳାରେ ମଧ୍ୟ ତତ୍କାଳୀନ ସୁମେରୀୟଙ୍କ ଭଳି ସଫଳ ଥିଲେ । ବାରମ୍ବାର ପ୍ରାକୃତିକ ଦୁର୍ବିପାକ ତଥା ସିନ୍ଧୁ ଓ ଏହାର ଶାଖା ନଦୀରେ ପ୍ରବଳ ବନ୍ୟା ଆସିବାରୁ ଏବଂ ଏହି ନଗରସଭ୍ୟତା ଗଢ଼ିଉଠିଥିବା ପଛରେ ଥିବା ଟେକ୍ନୋଲୋଜିରେ ପରିବର୍ତ୍ତନ ନ ଘଟିବାରୁ ଏହି ସଭ୍ୟତାର ଅବକ୍ଷୟ ଘଟିଲା । ତେଣୁ ଏହି ନଗରବାସୀ ସୁରକ୍ଷାପାଇଁ ବାଧ୍ୟହୋଇ ପୁଣି ଗ୍ରାମାଭିମୁଖୀ ହୋଇ ଭାରତର ବିଭିନ୍ନ ନଦୀକୂଳରେ ଥିବା ଅପେକ୍ଷାକୃତ ସୁରକ୍ଷିତ ସ୍ଥାନରେ ବସବାସ କରିବାରେ ଲାଗିଲେ । ଯଦିଓ ଏହି ସଭ୍ୟତା କୃଷିଭିତ୍ତିକ ବଳକା ଶସ୍ୟ ବ୍ୟବସ୍ଥା ଉପରେ ଗଢ଼ି ଉଠିଥିଲା ଓ ଖ୍ରୀ.ପୂ. ୨୫୦୦ରୁ ଖ୍ରୀ.ପୂ. ୧୮୦୦ ପର୍ଯ୍ୟନ୍ତ ନଗର ବିକାଶର ଚରମ ଅବସ୍ଥାରେ ପହଞ୍ଚିଥିଲା, ତଥାପି ଏହା ଜୋରୱେ ସଂସ୍କୃତି (ଖ୍ରୀ.ପୂ. ୭ମ ଶତାବ୍ଦୀ ପର୍ଯ୍ୟନ୍ତ) ଅର୍ଥାତ୍ ଲୁହାର ଆବିଷ୍କାର ପରେ ଗଙ୍ଗା ଉପତ୍ୟକାରେ ଦ୍ୱିତୀୟ ନଗରୀକରଣର ସୃଷ୍ଟି ହେବା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା ବୋଲି ପ୍ରତ୍ନତାତ୍ତ୍ୱିକ ଖନନରୁ ପ୍ରାପ୍ତ ବିଭିନ୍ନ ସାମଗ୍ରୀକୁ ବିଶ୍ଳେଷଣ କରି ଐତିହାସିକଗଣ ମତବ୍ୟକ୍ତ କରିଛନ୍ତି । ଏହି କାଳ ମଧ୍ୟରେ କୃଷି ଓ ପଶୁପାଳନକୁ ଆଧାର କରି ସେହି ଉତ୍ତର ଭାରତରେ ଆର୍ଯ୍ୟ ନାମକ ଆଉ ଏକ ଶିକ୍ଷିତ ଗୋଷ୍ଠୀଙ୍କ ଆବିର୍ଭାବ ଘଟିଥିଲା ଏବଂ ଏମାନେ ଭୂମଧ୍ୟସାଗର ବା ମଧ୍ୟ ଏସିଆର ଉଚ୍ଚଶିକ୍ଷିତ ଯାଯାବର ଜାତିବୋଲି ଇଂରେଜ ଗବେଷକଙ୍କ୍ୱାରା ଆମ ମୁଣ୍ଡରେ ଭର୍ତ୍ତି