ପୃଷ୍ଠା:Bhasa o Jatiyata.pdf/୪୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଏହି ସମୟରେ କୃଷି ଟେକ୍ନୋଲୋଜି ମଗଧରେ ଆବିଷ୍କୃତ ହୋଇ ଏହା କେବଳ ଉତ୍ପାଦକ ରାଜ୍ୟର ମାନ୍ୟତା ପାଇଲା । ଅନ୍ୟ ପକ୍ଷରେ ଏହି ଉତ୍ପାଦନକୁ ନେଇ କଳିଙ୍ଗ ନିଜର ବ୍ୟବସାୟିକ ପ୍ରତିଷ୍ଠା ପ୍ରତିପାଦିତ କରିବା ସହ ଦକ୍ଷିଣପୂର୍ବ ଏସିଆରେ ନିଜ ଆଧିପତ୍ୟ ବିସ୍ତାର ପୂର୍ବକ ଉପନିବେଶ ସ୍ଥାପନ କରିପାରିଥିଲା । ଏହିକଥା ବିଭିନ୍ନ ପ୍ରତ୍ନାତାତ୍ତ୍ୱିକ ଖନନଦ୍ୱାରା ପ୍ରମାଣ ହୋଇସାରିଛି । ବୋଧହୁଏ ସେଥିପାଇଁ ଏହିମାଟି ପୂର୍ବରୁ ମହାପଦ୍ମନନ୍ଦ ଓ ପରେ ଅଶୋକଙ୍କ ଦୃଷ୍ଟିକଟୁର ଶିକାର ହୋଇଥିଲା । ଯଦିଓ ମହାପଦ୍ମନନ୍ଦଙ୍କ କଳିଙ୍ଗ ଆକ୍ରମଣ ସୂଚନା ଖାରବେଳଙ୍କ ହାତୀଗୁମ୍ଫା ଅଭିଲେଖ ବ୍ୟତୀତ ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ । ତେଣୁ ଏହା ନିଶ୍ଚିତଭାବେ ଭୟଙ୍କର ଯୁଦ୍ଧ ନ ଥିଲା । କେବଳ ପାରମ୍ପରିକ ଭାବେ ରାଜ୍ୟଜୟ, ଧନସମ୍ପତ୍ତି ଅଧିକାର କିମ୍ବା ବାଣିଜ୍ୟିକ ସୁବିଧା ହାସଲ ମଧ୍ୟରେ ସୀମିତ ଥିଲା । ତାହା ପୁଣି ଦୁର୍ଭିକ୍ଷ ସମୟରେ ହୋଇଥିବାରୁ କଳିଙ୍ଗବାସୀଙ୍କ ହୃଦୟ ଜିତିବାପାଇଁ ଏହାର ସ୍ଥାୟୀ ପ୍ରତିକାର ଉଦ୍ଦେଶ୍ୟରେ ନନ୍ଦରାଜା କେନାଲ ଖୋଳାଇଥିଲେ ।

ମାତ୍ର ପରବର୍ତ୍ତୀ ନନ୍ଦଶାସକ ଓ ମୌର୍ଯ୍ୟବଂଶର ପ୍ରାରମ୍ଭିକ ଶାସନକାଳରେ କଳିଙ୍ଗ ପୁଣି ନିଜର ସ୍ୱାତନ୍ତ୍ର୍ୟ ପ୍ରଦର୍ଶନକରି ମଗଧ ବିକାଶ ପଥରେ ଏକ ପ୍ରାଚୀର ସଦୃଶ ଠିଆହେଲା । ଫଳରେ କଳିଙ୍ଗ ମାଟିରେ ଘଟି ଯାଇଥିଲି ଭାରତବର୍ଷ ର ସବୁଠାରୁ ଭୟଙ୍କର ଓ ଲୋମହର୍ଷଣକାରୀ ଯୁଦ୍ଧ । ଏ ଯୁଦ୍ଧ ଥିଲା ସ୍ୱାଭିମାନ ସହିତ ପ୍ରାଚୁର୍ଯ୍ୟ ଓ ପ୍ରତିଷ୍ଠାର ଯୁଦ୍ଧ । ଅଶୋକ ନିଜର ପ୍ରାଚୁର୍ଯ୍ୟ ଓ ପ୍ରତିଷ୍ଠାକୁ ସୁରକ୍ଷିତ ରଖିବାପାଇଁ କଳିଙ୍ଗ ସ୍ୱାଭିମାନକୁ ନିର୍ଦ୍ଧୟଭାବେ ହତ୍ୟାକଲେ ସତ୍ୟ, ମାତ୍ର ମଗଧକୁ କଳିଙ୍ଗଜାତିର କ୍ରୋଧାଗ୍ନିରୁ ସୁରକ୍ଷିତ ରଖିବାପାଇଁ ଅନୁଶୋଚନାରେ ଜର୍ଜରିତ ହୋଇ ଯୁଦ୍ଧ କରିବା ପ୍ରବୃତ୍ତିକୁ ତ୍ୟାଗ କରିବାର ଛଳନାକୁ ବରଣ କରିନେଲେ । ନିଜର ଏହି ଭାବନା ଜନସାଧାରଣଙ୍କ ଗୋଚର ଉଦ୍ଦେଶ୍ୟରେ ପଥର ଖୋଦେଇ କରି ବିଭିନ୍ନ ଜନଗହଳିପୂର୍ଣ୍ଣ ଉପକଣ୍ଠରେ ସ୍ଥାପନ କରିବା ସହ କଳିଙ୍ଗର ୨ଟି ପ୍ରସିଦ୍ଧ ସହର ତୋଷାଳୀ (ଭୁବନେଶ୍ୱର) ଓ ସମାପା (ଜଉଗଡ଼)ଠାରେ ନିଯୁକ୍ତ ମଗଧର ପ୍ରଶାସକଙ୍କୁ ଏହିଭଳି ଭାବେ ନିର୍ଦ୍ଦେଶ ଦେଇଥିଲେ - “ଏମାନେ ମୋର ସନ୍ତାନ । ଏମାନଙ୍କ ପ୍ରତି ସର୍ବଦା ନ୍ୟାୟ ବିଚାର କରିବ ।” ପୁଣି କଳିଙ୍ଗବାସୀଙ୍କୁ ପ୍ରଚ୍ଛନ୍ନ ଧମକ ମଧ୍ୟ ଦେଇଥିଲେ- “ରାଜା (ଅଶୋକ) କ୍ଷମା କରିବାକୁ ଯେତେଦୁର ସମର୍ଥ ସେମାନଙ୍କୁ କ୍ଷମା ଦେବେ । ଅର୍ଥାତ୍ କଳିଙ୍ଗବାସୀ ତଥା କଳିଙ୍ଗସେନାର ମୁଖ୍ୟସ୍ରୋତ ଆଟବୀକ ବା ଆଦିବାସୀ ସଂପ୍ରଦାୟ ଯଦିପୁଣି ବିଦ୍ରୋହ କରନ୍ତି, ତେବେ ଅସ୍ତ୍ରତ୍ୟାଗ କରିଥିବା ଅଶୋକ ପୂର୍ବଯୁଦ୍ଧର ପୁନରାବୃତ୍ତି ଘଟାଇବାକୁ ପଛାଇବେ ନାହିଁ ।” କେବଳ ସେତିକି ନୁହେଁ, କଳିଙ୍ଗଠାରୁ ବହୁଦୂରରେ ଥିବା ତଥା କଳିଙ୍ଗବାସୀଙ୍କ ସହ ହିନ୍ଦୁକୁଶ ପର୍ବତମାଳା ଅନ୍ତର୍ଭୁକ୍ତ ସାହବାଜଗଡ଼ି ନାମକ ସ୍ଥାନରେ ଭୟଙ୍କର କଳିଙ୍ଗଯୁଦ୍ଧ ସଂପର୍କରେ ବିସ୍ତୃତ ବର୍ଣ୍ଣନାକରି ନିଜ ଅନୁଶୋଚନା ପ୍ରକାଶ ପରିବର୍ତ୍ତେ ସେହି ସମୟର ଆହତ ସିଂହପରି ଅଶୋକଙ୍କ ଅମାନବିକ ଯୁଦ୍ଧର ପ୍ରତିଶୋଧପାଇଁ ପ୍ରସ୍ତୁତ ହେଉଥିବା କଳିଙ୍ଗ ସେନାବାହିନୀ ଭାବେ ପରିଚିତ ସୀମାନ୍ତ ଆଦିବାସୀ ବା ଆଟବିକମାନଙ୍କୁ ଅଭିଲେଖର ସପ୍ତମ ଧାଡ଼ିରେ ସିଧାସଳଖ ଧମକ ଦେଇଥିଲେ-