Jump to content

ପୃଷ୍ଠା:Bhasa o Jatiyata.pdf/୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୫୦
ଭାଷା ଓ ଜାତୀୟତା
 

କଳିଙ୍ଗର ରାଜଧାନୀ ପାର୍ଥାଲିସ୍ ବୋଲି ଉଲ୍ଲେଖ କରିଛନ୍ତି । ଗାଙ୍ଗିସ୍ ନଦୀ ସମୁଦ୍ରରେ ପ୍ରବେଶ କରିବା ପୂର୍ବରୁ ତାହା ଗଙ୍ଗରିଡାଇ କଳିଙ୍ଗର ପୂର୍ବସୀମା (ବର୍ତ୍ତମାନର ହୁଗୁଳି ନଦୀ) ଓ ଏହି ଅଞ୍ଚଳ ଅଗଣିତ ବୃହତ ହସ୍ତୀସମ୍ବଳିତ ନୌବାହିନୀର ଅଧିକାରୀ ଥିଲେ । ଏହି ଗଜବାହିନୀ ଯୁକ୍ତ ସାମରିକ ଶକ୍ତିପାଇଁ କଳିଙ୍ଗ ବିରୁଦ୍ଧରେ କୌଣସି ବୈଦେଶିକ ଯୁଦ୍ଧାଭିଯାନ ସଫଳ ହୋଇପାରି ନାହିଁ । ଗାଙ୍ଗିସ୍ ନଦୀ ମଧ୍ୟରେ (ପ.ବଙ୍ଗ-ବଙ୍ଗଳାଦେଶରେ ପ୍ରବାହିତ ହୁଗୁଳି ଓ ଗଙ୍ଗାନଦୀର ମଝି ଅଞ୍ଚଳ) ଥିବା ବିଶାଳ ଦ୍ୱୀପ ମୋଡୋ ବା ମକ୍କୋ କଳିଙ୍ଗାଇ ଜନଜାତିଙ୍କ ନିବାସସ୍ଥଳ । କଳିଙ୍ଗ ଜନଜାତି ସମୁଦ୍ରର ଅଧିକ ନିକଟବର୍ତ୍ତୀ । ଏହି ଜାତିର ବୀରତ୍ୱ ସମ୍ପର୍କରେ ସେ ଲେଖିଛନ୍ତି- ସମସ୍ତ ରାଷ୍ଟ୍ର ଓ ଜନଜାତି ବିପକ୍ଷରେ ଯୁଦ୍ଧ ଘୋଷଣା କରି ଆଲେକ୍ଜାଣ୍ଡାର ମଧ୍ୟ-ଏସିଆକୁ ଜୟ କରିନେଲେ ସତ, କିନ୍ତୁ କଳିଙ୍ଗ ବିପକ୍ଷରେ ଯୁଦ୍ଧ ଘୋଷଣା କଲେନାହିଁ । ଅନ୍ୟ ସମସ୍ତ ରାଜ୍ୟ ଓ ଜନଜାତିକୁ ପରାଜିତ କରି ଆଲେକ୍ଜାଣ୍ଡାର ତାଙ୍କ ସେନାବାହିନୀଙ୍କୁ ନେଇ ଯେତେବେଳେ ଗାଙ୍ଗିସ୍ ର କୂଳରେ ଉପସ୍ଥିତ ହେଲେ, ସେତେବେଳେ ସେ ଶୁଣିଲେ କଳିଙ୍ଗ ଛଅସହସ୍ର ସୁନିୟନ୍ତ୍ରିତ ଗଜବାହିନୀର ଅଧିକାରୀ (ପ୍ଲୁଟାର୍କଙ୍କ ବିବରଣୀ) । ଏ କଥା ଶୁଣି ତାଙ୍କର କଳିଙ୍ଗ ବିଜୟ ଅଭିଳାଷ ମଉଳି ଗଲା । ଶକ୍ତିଶାଳୀ ଗ୍ରୀକ୍ ସେନା ପ୍ରଥମ କରି ମୃତ୍ୟୁକୁ ଦେଖି ଭୟଭୀତ ହୋଇ ପଡ଼ିଲେ । ଗଙ୍ଗାନଦୀ ଅତିକ୍ରମ କରିବାକୁ ଆଉ ରାଜି ନ ହେବାରୁ ଆଲେକ୍ଜାଣ୍ଡାର ହତାଶା ମଧ୍ୟରେ ଯୁଦ୍ଧାଭିଯାନ ବର୍ଜ୍ଜନ କରି ସ୍ୱଗୃହ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତହେଲେ । କଳିଙ୍ଗ ଅନ୍ତର୍ଭୁକ୍ତ ଗଙ୍ଗାରିଡାଇ କଳିଙ୍ଗ ବିନାଯୁଦ୍ଧରେ ଗ୍ରୀକ୍ ବୀର ଆଲେକ୍ଜାଣ୍ଡାରଙ୍କୁ ପରାସ୍ତ କରିପାରିଥିଲା ।

ବହୁବର୍ଷ ପରେ ଓଡ଼ିଶା ଭାବେ ପରିଚିତ କଳିଙ୍ଗ ମାଟିରେ ସମାନ ଘଟଣା ଘଟିଥିଲା ମୁସଲମାନ ଶାସନକାଳରେ । ଯେତେବେଳେ ସମଗ୍ର ଭାରତବର୍ଷ ମୁସଲମାନ ଆତଙ୍କରେ ତ୍ରାହିତ୍ରାହି ଡାକୁଥିଲା, ସେତେବେଳେ ତ୍ରୟୋଦଶ ଶତାବ୍ଦୀର ରାଜା ଲାଙ୍ଗୁଳା ନରସିଂହବେ (୧ମ) ଓଡ଼ିଶା ବାସୀଙ୍କୁ ଆତଙ୍କମୁକ୍ତ ରଖିବାପାଇଁ ମୁସଲମାନ ଶାସକଙ୍କୁ ଆଗୁଆ ଆକ୍ରମଣ କରି ମୁସଲମାନ ବେଗମଙ୍କ କଜ୍ଜ୍ୱଳପୂର୍ଣ୍ଣ ଲୋତକରେ ଗଙ୍ଗାନଦୀର ଜଳକୁ କଳା କରିବା ସହ ସୀମାନ୍ତ ମୁସଲମାନ ଶାସକଙ୍କଠାରେ ଭୟ ସୃଷ୍ଟି କରିଥିଲେ ବୋଲି କେନ୍ଦୁଲି ତାମ୍ରଲେଖରୁ ଜଣାପଡେ । କୋଣାର୍କ ମନ୍ଦିର ଏହି ଗୌଡ଼ଦେଶ ବିଜୟର ସ୍ମାରକ । କେବଳ ସେତିକି ନୁହେଁ, ମୁସଲମାନ ଶାସକଠାରୁ ପରାସ୍ତ ହୋଇଥିବାରୁ ଜନ ଅସନ୍ତୋଷର ଶିକାର ହୋଇ ଓଡ଼ିଶାରାଜା ଭାନୁଦେବ ୪ର୍ଥ ନିଜ ସେନାପତି କପିଳେନ୍ଦ୍ରଦେବଙ୍କଦ୍ୱାରା ସିଂହାସନଚ୍ୟୁତ ହୋଇଥିଲେ । ସେହିପରି ଫେରିସ୍ତା ଓ ବୁରାନ୍-ଇ-ମାସିଲ୍ ଏକମତ ଯେ, ଏହି ଓଡ଼ିଆରାଜା ଶକ୍ତିଶାଳୀ ବାହମନୀ ସାମ୍ରାଜ୍ୟ ଆକ୍ରମଣ କରି ସୁଦୂର ବିର ଦୁର୍ଗର ଫାଟକ ନିକଟରେ ପହଞ୍ଚିଥିଲେ । ଯାହାକି କୌଣସି ହିନ୍ଦୁରାଜାଦ୍ୱାରା ମୁସଲମାନ ଶାସକ ପରାସ୍ତ ଓ ଆଖିରୁ ନିଦ ହଜିବା ଭଳି ଏକମାତ୍ର ଘଟଣାକୁ ତତ୍କାଳୀନ ଐତିହାସିକଗଣ ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି । ଦୁର୍ଦ୍ଧର୍ଷ ଆଫଗାନ୍ ସମଗ୍ର ଭାରତକୁ ଅଧିକାର କରି ସାରିଥିବାବେଳେ ଓଡ଼ିଆ ଜାତୀୟତାର ଦୃଢଭିତ୍ତି ଥିବାରୁ ଦୀର୍ଘ ୫୦୦ବର୍ଷ ଧରି କେବଳ ଏହିମାଟି ସେମାନଙ୍କର