Jump to content

ପୃଷ୍ଠା:Bhasa o Jatiyata.pdf/୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
୫୧
 

ରକ୍ତକ୍ଷୟୀ ଧାର୍ମିକ ତାଣ୍ଡବରୁ ମୁକ୍ତ ରହିପାରିଥିଲା । ତବାକତ-ଇ-ଆକବରୀ ଓ ମାଦଳାପଞ୍ଜି ଅନୁସାରେ ୧୫୦୯ରେ ଗୌଡ଼ ସୁଲତାନ ହୁସେନସାହଙ୍କ କଟକ ଅଧିକାର ପ୍ରତିହତ କରିବାପାଇଁ ଦାକ୍ଷିଣାତ୍ୟ ବିଦ୍ରୋହରେ ବ୍ୟସ୍ତଥିବା ଓଡ଼ିଶା ଗଜପତିରାଜା ପ୍ରତାପରୁଦ୍ର ଯେଉଁ ତ୍ୱରତି ବେଗରେ ଦକ୍ଷିଣରୁ ଉତ୍ତରକୁ ଆସି ହୁସେନସାହକୁ ମନ୍ଦାରନଦୁର୍ଗରେ ଆତ୍ମଗୋପନ କରିବାକୁ ବାଧ୍ୟ କରିଥିଲେ, ତାହା ଏବେ ମଧ୍ୟ ଭାରତର ସବୁଠାରୁ ଦ୍ରୁତତମ ସୈନିକ ଅଭିଯାନ ଭାବେ ଇତିହାସରେ ଲିପିବଦ୍ଧ । କାରଣ ୧୫୭୩ରେ ଆକବରଙ୍କ ଗୁଜୁରାଟ ବିଦ୍ରୋହ ଦମନ ଅଭିଯାନଠାରୁ ଏହି ଅଭିଯାନ ବହୁ ନଦୀନାଳପୂର୍ଣ୍ଣ ଅସମତଳ ପାହାଡ଼ିଆଯୁକ୍ତ ଦୀର୍ଘପଥ କମ୍ ଦିନରେ ଅତିକ୍ରମ କରାଯାଇଥିଲା । ଏହି ସମୟର ପ୍ରଶାସନ ଓ ଅର୍ଥନୈତିକ ସ୍ଥିତି ସୁଦୃଢ଼ ଥିବାରୁ ବହିର୍ବାଣିଜ୍ୟ ବିକଶିତ ହେବା ସହ କୃଷକ ଓ ଶିଳ୍ପୀଙ୍କୁ ନେଇ ଗଠିତ ଦୁର୍ଦ୍ଧର୍ଷ ସୈନ୍ୟବାହିନୀଦ୍ୱାରା ସୀମାନ୍ତ ସୁରକ୍ଷିତଥିଲା । ଏପରିକି ଆଭ୍ୟନ୍ତରୀଣ ସୁରକ୍ଷା ଏପରି ସୁଦୃଢ଼ ଥିଲା ଯେ, ଜଣେ ପଥିକ ହାତରେ ସୁନା ଧରି ଅନାୟାସରେ ରାସ୍ତାଘାଟରେ ଯିବାଆସିବା କରିପାରୁଥିଲା ବୋଲି ଏହି ସମୟରେ ଓଡ଼ିଶା ଭ୍ରମଣରେ ଆସିଥିବା ଇଟାଲୀର ସିଜର ଫ୍ରେଡିକ୍ ତାଙ୍କ ବିବରଣୀରେ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି । ଯଦି କୃଷ୍ଣଦେବରାୟଙ୍କର କ୍ରୁରତାକୁ ପ୍ରତାପରୁଦ୍ର ଓ ଆକବରଙ୍କ କୂଟନୀତିକୁ ମୁକୁନ୍ଦଦେବ ବୁଝିପାରିଥାନ୍ତେ କିମ୍ବା ଧର୍ମଭୀରୁଙ୍କ ପୀଡ଼ନର ଶିକାର ବ୍ରାହ୍ମଣ କଳାଚାନ୍ଦ ହୋଇ ନ ଥାନ୍ତା, ତେବେ ଭାରତ ଇତିହାସ ଗତି ଭିନ୍ନପ୍ରକାରର ହୋଇଥାନ୍ତା । ବଙ୍ଗଳାର ମୁସଲମାନ ଶାସକ ଦକ୍ଷିଣସୀମାରେ ଥିବା ଗଙ୍ଗାନଦୀ ଅତିକ୍ରମ କରି ଓଡ଼ିଶା ଭୂଖଣ୍ଡ ଅଧିକାର କରିପାରି ନ ଥାନ୍ତେ, ଦକ୍ଷିଣ-ପୂର୍ବ ଏସିଆରେ ବାଣିଜ୍ୟିକ ବିଫଳ ହୋଇଥିବା ତଥା ୧୬୨୩ରେ ଇଣ୍ଡୋନେସିଆରେ ଡଚ୍ ଙ୍କଦ୍ୱାରା ଅନୁଷ୍ଠିତ ବିଭତ୍ସ ଅମ୍ବୋଇନା ଗଣହତ୍ୟାର ଶିକାରହୋଇ ଭୟଭୀତ ଅବସ୍ଥାରେ ପଳାତକ ସାଜିଥିବା ଇଂରେଜ ବ୍ୟବସାୟୀ ପୂର୍ବଭାରତରେ ନିଜ ଭାଗ୍ୟପରୀକ୍ଷା କରି ବାକୁ ଆସି ସର୍ବ ପ୍ରଥମେ ୧୬୩୩ରେ ଓଡ଼ିଶାର ହରିହରପୁର (ଜଗତସିଂହପୁର), ବାଲେଶ୍ୱର, ପିପିଲି (ସୁବର୍ଣ୍ଣରେଖା ନଦୀ ମୁହାଣ)ରେ ବ୍ୟବସାୟ ଆରମ୍ଭକରି ପରେ ଅପେକ୍ଷାକୃତ ସୁରକ୍ଷିତଥିବା ହୁଗୁଳି ନଦୀକୂଳର ସନ୍ତସନ୍ତିଆ ଭୂମିରେ କଲିକତାନଗର ସ୍ଥାପନ କରି ନିଜ ବାଣିଜ୍ୟିକ-ପ୍ରଶାସନିକ ଆଧିପତ୍ୟ ବିସ୍ତାର କରିବାର ସୁଯୋଗ ପାଇପାରି ନ ଥାନ୍ତେ । ପର୍ତ୍ତୁଗୀଜ କିମ୍ବା ଅନ୍ୟ ୟୁରୋପୀୟଙ୍କ ପରି ଇଂରେଜ ସେହି ବଣିକଜାତି ହୋଇ ରହିଥାନ୍ତେ, ବଙ୍ଗ ମୁସଲମାନ ଶାସନାଧିନ ଓଡ଼ିଆ ଅଞ୍ଚଳ କଲିକତାରେ ବାଣିଜ୍ୟକୋଠି ନିର୍ମାଣରୁ ଭାରତ ଓ ପରେ ସମଗ୍ର ବିଶ୍ୱର ଶାସକଭାବେ ପ୍ରତିଷ୍ଠା ପାଇପାରି ନ ଥାନ୍ତେ । ସଂକ୍ଷେପରେ କହିବାକୁ ଗଲେ ଓଡ଼ିଆଜାତି ପତନର ପୃଷ୍ଠପିଠିକା ଉପରେ ଇଂରେଜଜାତିର ଅଭ୍ୟୁତ୍ଥାନ ଘଟିଲା ।

ଏହା ହିଁ ହେଉଛି ଓଡ଼ିଆ ଜାତିର କୀର୍ତ୍ତୀମୟ ଅତୀତ ଇତିହାସ, ଯାହା ଏବେ ମଧ୍ୟ ଉତ୍ତରାୟାଙ୍କ ନିକଟରେ ଅଜଣାଅଶୁଣା ଭାବେ ନଦୀକୂଳର ତୁଠପଥର ଭଳି ପଡ଼ରହିଛି । ଗବେଷଣା ନାମରେ ହେଉ କିମ୍ବା ଜାତୀୟତା ସୃଷ୍ଟି ନାମରେ ହେଉ ଅସଂଖ୍ୟ ସୁବିଧାବାଦୀ