ପୃଷ୍ଠା:Bhasa o Jatiyata.pdf/୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୫୪
ଭାଷା ଓ ଜାତୀୟତା
 

ଉଚିତ ନୁହେଁ ଯେ, ଏହି ସମୟ ବେଳକୁ ସିଂହଳ ସହିତ କଳିଙ୍ଗର ବ୍ୟବସାୟିକ ସଂପର୍କ ସୁଦୃଢ଼ ସ୍ଥିତିରେ ଥିଲା । ଏଥିସହିତ ସାମାଜିକ, ସାଂସ୍କୃତିକ, ରାଜନୈତିକ ସଂପର୍କ ମଧ୍ୟ ଅତି ନିବିଡ଼ ଥିଲା । ତେଣୁ କୁହାଯାଇପାରେ ଯେ, ଏହି ଲିପି କଳିଙ୍ଗ-ପାଲି ଭାଷାରେ ଲିଖିତ ହୋଇଥିଲା । ବୋଧହୁଏ ଏହି ସତ୍ୟକୁ ଉପଲବ୍ଧି କରିବାରୁ ତାମିଲ ଗବେଷକଗଣ ଏହାର ବିଶ୍ୱାସନୀୟତାକୁ ସନ୍ଦେହ କରି ଅଷ୍ଟମ ଶତାବ୍ଦୀରେ ରଚିତ ‘ଇଡଇନାର ଅଗପ୍ପୋରୁଲ ଉରୈ’ ନାମକ ତାମିଲ ଗ୍ରନ୍ଥ-ଟୀକାର ମୁଖବନ୍ଧରେ ବର୍ଣ୍ଣିତ ତିନୋଟି ସାହିତ୍ୟ ସଭାରେ ସଂକଳିତ ସଙ୍ଗମ ସାହିତ୍ୟ ଗ୍ରନ୍ଥକୁ ତାମିଲ ଭାଷାର ପ୍ରାଚୀନ ଲିଖିତ ସାହିତ୍ୟିକ ପ୍ରମାଣ ଭାବେ ଗ୍ରହଣ କରିଛନ୍ତି । ପୁଣି ଏଥିପାଇଁ ତାମିଲ ପଣ୍ଡିତଗଣ ଏଭଳି ଅକାଟ୍ୟ ଯୁକ୍ତି ଉପସ୍ଥାପନ କରିଛନ୍ତି ଯେ ଯାହାକୁ କେବଳ ଭାରତ ନୁହେଁ ବିଶ୍ୱବାସୀ ମଧ୍ୟ ବିଶ୍ୱାସ କରିବାକୁ ବାଧ୍ୟ ହୋଇଛନ୍ତି । ଅଥଚ ସଙ୍ଗମସାହିତ୍ୟର ପ୍ରାଚୀନତାପାଇଁ ତାମିଲ ବିଦ୍ୱାନଗଣଙ୍କ ଭଳି ଓଡ଼ିଶାର ବିଦ୍ୱାନଗଣ ଅକାଟ୍ୟ ଯୁକ୍ତି ଉପସ୍ଥାପନ ନ କରି ପରସ୍ପର ମତକୁ କାଟିବାରେ ବ୍ୟସ୍ତ ରହୁଥିବାରୁ ଓଡ଼ିଆ ଇତିହାସର ଜୀବନରେଖା ମନେହେଉଥିବା ମାଦଳା ପାଞ୍ଜି ଓଡ଼ିଆ ସାହିତ୍ୟ ବା ଜାତୀୟ ଜୀବନର ପ୍ରାଚୀନ ପ୍ରାମାଣିକ ଉତ୍ପାଦାନ ଭାବେ ସ୍ୱୀକୃତ ହୋଇ ପାରିଲା ନାହିଁ । ଅନ୍ୟ ପକ୍ଷରେ ଓଡ଼ିଶାରୁ ସର୍ବାଧିକ ଶିଳାଲେଖ, ତମ୍ବାପଟା ସନନ୍ଦ ମିଳିଛି, ଯାହା ମହାରାଷ୍ଟ୍ର ବ୍ୟତୀତ ଅନ୍ୟ କୌଣସି ରାଜ୍ୟରୁ ମିଳିନାହିଁ । ଓଡ଼ିଆଭାଷା ଓ ଲିପିରେ ରଚିତ ବହୁ ଅଭିଲେଖ, ତାଳପତ୍ର ପୋଥି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟାୟଦ୍ୱାରା ବିଲୁପ୍ତ ହୋଇଥିବାରୁ ଏ ସବୁର ମହାର୍ଗ ମହକକୁ ଆଜି ବିଶ୍ୱ ଅନୁଭବ କରିପାରିନାହିଁ । ତଥାପି ଏଠାରେ ଯେ ଲେଖନଗତ କଳାକୌଶଳର ସୁଦୀର୍ଘ ପରଂପରା କ୍ରମାନ୍ୱୟରେ ରହିଆସିଛି, ଏସବୁ ଅଭିଲେଖ ଓ ତାଳପତ୍ର ପୋଥି ତାହାର ବଳିଷ୍ଠ ପ୍ରମାଣ ।

ଓଡ଼ିଆ ଲିପି ଓ ଭାଷାର ପ୍ରାଚୀନତା ସଂପର୍କରେ ଜଣାପଡ଼େ ଯେ ଖ୍ରୀ.ପୂ. ତୃତୀୟ ଶତାବ୍ଦୀର ଐତିହସିକ କଳିଙ୍ଗଯୁଦ୍ଧ ବିଜୟୀ ଅଶୋକଙ୍କଦ୍ୱାରା ଓଡ଼ିଶା ଭୂମିରେ ସୁଶାସନପାଇଁ ଧଉଳି ଓ ଜଉଗଡ଼ ପାହାଡ଼ରେ ଖୋଦିତ ଆଦେଶ ସେ ସମୟର ଓଡ଼ିଶାବାସୀଙ୍କ କଥିତଭାଷା ଏବଂ ଲିପିରେ ଲେଖାଯାଇ ଥିଲା । ଏହି ଅଭିଲେଖଦ୍ୱୟରେ ଖୋଦିତ ‘ଠ’ ଲିପି ବର୍ତ୍ତମାନ ଅବିକଳ ଭାବେ ଲେଖା ହେଉଥିବା ବେଳେ; କେତେକ ଶବ୍ଦ- କଳେ, ତିନି, ଦୁବେ, ପଛା, ପନି, ସେ, ହାନି,ନିଲଠା, ଲହେବୁ, ସୁଧି, ଅଗି, ଦସ,ବୁଢ଼,ମଝି ଆଦି ବହୁ ଶବ୍ଦ ଏବେ ମଧ୍ୟ ଅବିକୃତ ଭାବେ ଓଡ଼ିଶାରେ ବ୍ୟବହାର ହେଉଛି । ତେଣୁ ଓଡ଼ିଆଭାଷା ଆଉ ଓଡ଼ିଆଲିପିର ପ୍ରଥମ ପ୍ରମାଣ ଏହି ଶିଳାଲେଖଦ୍ୱୟ ବହନ କରିଛି । କିନ୍ତୁ ଏ ପର୍ଯ୍ୟନ୍ତ ଆବିଷ୍କୃତ ଓଡ଼ିଆଜାତିର ସର୍ବପ୍ରାଚୀନ ଲିଖିତ ସାହିତ୍ୟ ହେଉଛି ହାତୀଗୁମ୍ଫା ଅଭିଲେଖ । ଉକ୍ତ ଅଭିଲେଖର ଭାଷା ପାଲି ବୋଲି ଜେମ୍ସ ପ୍ରିନ୍ସେପ୍ ଚିହ୍ନଟ କରିଥିବାବେଳେ ଏହା କଳିଙ୍ଗ ବା ଓଡ଼ିଶାବାସୀଙ୍କ ମୁଖର ଭାଷା ଓ ଲିପି ବୋଲି ବହୁ ଭାରତୀୟ ଓ ବିଦେଶୀ ପଣ୍ଡିତ ଯୁକ୍ତିପୂର୍ଣ୍ଣ ଭାବେ ପ୍ରମାଣିତ କରିଯିବା କଥା ପୂର୍ବ ଅଧ୍ୟାୟରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।

ଶବ୍ଦଗଠନ ଦୃଷ୍ଟିରୁ ଆଲୋଚନା କଲେ ଜଣାଯାଏ ଯେ, ଓଡ଼ିଆଭାଷାର ବ୍ୟାକରଣିକ