ପୃଷ୍ଠା:Bhasa o Jatiyata.pdf/୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
୫୫
 

ପଦ୍ଧତି ପାଲି ସହ ତୁଳନୀୟ । ଯଥା

୧- ପାଲି ଶ, ଷ, ସ ସ୍ଥାନରେ କେବଳ ‘ସ’ର ପ୍ରୟୋଗ ରହିଛି, ଯାହା ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଦେଖିବାକୁ ମିଳେ ।

୨- ପାଲିରେ ‘ଅୟ’ ସ୍ଥାନରେ ‘ଏ’ ଏବଂ ‘ଅବ’ ସ୍ଥାନରେ ‘ଓ’ ହୋଇଥାଏ । ଯଥା- ତ୍ରୟୋଦଶ>ତେରସ, ଲବଣ>ଲୋଣ (ଲୋଣ କଉଡ଼ି ସୁଳକ ନ୍ୟାଯ୍ୟ ଛାଡ଼ିଲି ଛାଡ଼ିଲି-ପୁରୀ ଜୟବିଜୟ ଦ୍ୱାରର ବାମପାଶ୍ୱର୍ରେ କପିଳେନ୍ଦ୍ର ଦେବଙ୍କ ୪ର୍ଥ ଅଙ୍କରେ ଖୋଦିତ ୨ ନମ୍ବର ଶିଳାଲେଖ)

୩- ସଂସ୍କୃତ ଭଳି ପାଲିରେ ବିସର୍ଗର ବ୍ୟବହାର ନାହିଁ । ସଂସ୍କୃତ ‘ଅ’ କାରାନ୍ତ ପର ଅନ୍ତସ୍ଥ ବିସର୍ଗ ସ୍ଥାନରେ ‘ଐ’କାର ସହିତ ‘ଓ’କାର ହୋଇଥାଏ । ଯଥାକଃ>କୋ>କେ, ଅଗ୍ନିଃ>ଅଗ୍ଗି>ଅଗି ।

୪- ପାଲି ଭାଷାରେ ପଦର ମଧ୍ୟ ବା ଶେଷରେ ‘ଥ୍ୟ’ ସ୍ଥାନରେ ‘ଚ୍ଛ’ ଓ ‘ଦ୍ୟ’ ସ୍ଥାନରେ ‘ଜ୍ଜ‘, ‘ଷ୍ଟ’ ସ୍ଥାନରେ ‘ଟ୍ ଠ’, ‘ତ୍ସ’ ସ୍ଥାନରେ ‘ଚ୍ଛ’, ‘ଶ୍ଚ’ ସ୍ଥାନରେ ‘ଚ୍ଛ’ ଏବଂ ‘ଧ୍ୟ’ ସ୍ଥାନରେ ‘ଝ’ ହୁ ଏ । ଯଥା- ମିଥ୍ୟା>ମିଚ୍ଛା>ମିଛ , ଅଦ୍ୟ>ଅଜ୍ଜ>ଆଜି , ଅଷ୍ଟ>ଅଟ୍ ଠ>ଆଠ, ମତ୍ସ>ମଚ୍ଛ>ମାଛ, ପଶ୍ଚାତ୍>ପଚ୍ଛା>ପଛ, ସିଧ୍ୟତି>ସିଜ୍ ଝତି>ସିଝଇ ଇତ୍ୟାଦି ।

୫- ପଦର ପ୍ରଥମ ବର୍ଣ୍ଣରେ ‘ବ’କାର ଲୋପ ପାଇଥାଏ । ଯଥାଜ୍ୱଳତି>ଜଳତି>ଜଳଇ, ଦ୍ୱୀପ>ଦୀପୋ>ଦୀପ ଇତ୍ୟାଦି ।

ଏହିପରି ଭାବରେ ବହୁ ଓଡ଼ିଆଶବ୍ଦ ପାଲିଭାଷାର ଯେତେ ନିକଟତର, ତାହା ଅନ୍ୟ କୌଣସି ଭାଷା ସହିତ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ, ସଂସ୍କୃତଭାଷାର ପରବର୍ତ୍ତୀ ବିକଶିତ ରୂପ ପାଲି ବୋଲି ଇଂରେଜ ବିଦ୍ୱାନଙ୍କ ମତକୁ ଆଜି ପର୍ଯ୍ୟନ୍ତ ବହୁ ଭାରତୀୟ ଗ୍ରହଣ କରି ଆସିଥିବାରୁ ଏମାନଙ୍କ ଦୃଷ୍ଟିରେ ପାଲି ଏକ ସ୍ୱତନ୍ତ୍ରଭାଷା ନୁହେଁ । ସଂସ୍କୃତଭାଷା ବିକାଶ ପରିପ୍ରେକ୍ଷୀରେ ପାଲି-ପ୍ରାକୃତ-ଅପଭ୍ରଂଶରୁ ଆଧୁନିକ ଭାରତୀୟ ଭାଷାର ସୃଷ୍ଟି । ଏହି ଯୁକ୍ତି ବଳରେ ଓଡ଼ିଆଭାଷା ପାଲି ସହ ସମ୍ବନ୍ଧ ଥିବାରୁ ମୂଳଭାଷା ନିଶ୍ଚିତ ଭାବେ ସଂସ୍କୃତ ବୋଲି ଏମାନେ ପ୍ରମାଣ କରିଥାନ୍ତି । ମାତ୍ର ଏହି ଯୁକ୍ତି କରୁଥିବା ବିଦ୍ୱାନଗଣ “ଗଛ ଆଗ ନା ମଞ୍ଜି ଆଗ” ନ୍ୟାୟରେ ସଂସ୍କୃତ ଆଗ ନା ପାଲି ଆଗ- ତାହା ବୁଝିବା ଉଚିତ । କାରଣ ସଂସ୍କୃତଭାଷାର ଆଦିସ୍ତର ହେଲା ବୈଦିକସାହିତ୍ୟ । ଅଥଚ ଏହି ସାହିତ୍ୟ-ସଭ୍ୟତା ପୂର୍ବରୁ ଭାରତର ସିନ୍ଧୁନଦୀ କୂଳରେ ଏକ ଉନ୍ନତ ସଭ୍ୟତା ଥିଲା । ଏହି ସଭ୍ୟତାର ମଧ୍ୟ ଲୋକପ୍ରଚଳିତ ଭାଷା ଥିଲା । ଅର୍ଥାତ ବୈଦିକ ସଂସ୍କୃତ ପୂର୍ବରୁ ଭାରତରେ ଏକ ସମୃଦ୍ଧ ଭାଷା ଓ ଲିପି ଥିଲା । ଏହା କେଉଁଭାଷା ଓ କେଉଁ ଲିପିକୁ ଆଧାର କରି ପରିବର୍ଦ୍ଧିତ ହୋଇଥିଲା, ତାହା ଏ ପର୍ଯ୍ୟନ୍ତ ନିରୂପିତ ହୋଇପାରି ନାହିଁ । ବର୍ତ୍ତମାନର ବିଭିନ୍ନ ଆଦିବାସୀ ଭାଷା ବହୁକାଳରୁ ବିନା ଲିପି, ବ୍ୟାକରଣରେ ଜୀବିତ ଥିବାପରି ସାଧାରଣ ଜନତାଙ୍କ ପଲ୍ଲୀଭାଷା (ଇଂରାଜୀରେ ପାଲି) ଦୀର୍ଘଦିନ ଧରି ଉଚ୍ଚାରିତ ହୋଇ ଆସୁଥିବାବେଳ ଖ୍ରୀ.ପୂ.