ଇତିହାସୋଦ୍ଭବଂ ବୃତ୍ତମନନ୍ୟଦ୍ ବା ସଜ୍ଜନାଶ୍ରୟମ୍ ।
ଚତ୍ୱାରସ୍ତସ୍ୟ ବର୍ଗାଃ ସୁ୍ୟସ୍ତେଷ୍ୱେକଂ ଚ ଫଳଂ ଭବେତ ।।
ଆଦୌ ନମସ୍ତିୟାଶୀର୍ବା ବସ୍ତୁ ନିର୍ଦ୍ଦେଶ ଏବ ବା ।
ଅର୍ଥାତ୍ “ସେହି ରଚନାକୁ କାବ୍ୟ କହିବା, ଯାହାର ନାୟକ ଧୀରୋଦାତ୍ତ ଗୁଣଯୁକ୍ତ
ଜଣେ କୁଳୀନ କ୍ଷତ୍ରିୟ ହୋଇଥିବ । ଶୃଙ୍ଗାର, ବୀର ଓ ଶାନ୍ତ ରସ ଭିତରୁ ଗୋଟିଏ ମୁଖ୍ୟ
ରସ ଓ ଅନ୍ୟସବୁ ଗୌଣରସ ଭାବରେ ଥିବ । ନାଟକର ସମସ୍ତ ସନ୍ଧି, ଐତିହାସିକ କଥା
ବା ଅନ୍ୟ କିଛି ସଜ୍ଜନ ବୃତ୍ତାନ୍ତ ରହିବ । ଏଥିରେ ଚାରିବର୍ଗ- ଧର୍ମ, ଅର୍ଥ, କାମ ଓ ମୋକ୍ଷ
ବର୍ଣ୍ଣନା ଥିଲେ ମଧ୍ୟ ଏଥିରୁ ଯେ କୌଣସି ଗୋଟିଏ ମୁଖ୍ୟ ଫଳ ଭାବରେ ବର୍ଣ୍ଣିତ ହୋଇଥିବ ।
ଆରମ୍ଭରେ ନମସ୍କାରାତ୍ମକ, ଆଶୀର୍ବାଦାତ୍ମକ କିମ୍ବା ବସ୍ତୁନିର୍ଦ୍ଦେଶାତ୍ମକ, ମଙ୍ଗଳାଚରଣ ସହିତ
ଖଳନିନ୍ଦା, ସାଧୁସ୍ତୁତି ଉଲ୍ଲେଖ ରହିବ ।”
କାବ୍ୟରଚନା ସଂପର୍କରେ ଥିବା ଏହି ନିୟମ ଖାରବେଳ ବହୁପୂର୍ବରୁ ପାଳନ
କରିଥିଲେ ହାତୀଗୁମ୍ଫା ଶିଳାଲେଖ ରଚନା କରିବା ସମୟରେ । ଯାହାକୁ ପରବର୍ତ୍ତୀ କାଳରେ
ଅନୁସରଣ କରିଥିଲେ ରୁଦ୍ରଦମନ (ଗିରିନାର ଲେଖ-ଖ୍ରୀ.ଅ.୧୫୦), ସମୁଦ୍ରଗୁପ୍ତ (ପ୍ରୟାଗ
ଶିଳାଲେଖ-ଖ୍ରୀ.ଅ.୩୬୫), କୁମାରଗୁପ୍ତ (ମନ୍ଦାସୋର ଶିଳାଲେଖ-ଖ୍ରୀ.ଅ.୪୭୩) ଇତ୍ୟାଦି
ଯୋଦ୍ଧାଗଣ ସ୍ୱକୀର୍ତ୍ତିକୁ ସଂସ୍କୃତଭାଷାରେ କାବ୍ୟିକ ଢଙ୍ଗରେ ନିର୍ଜୀବ ପଥର ଦେହରେ ରଚନା
କରି । ଓଡ଼ିଆ ସାହିତ୍ୟର ଏହି ଲେଖନୀଗତ କ୍ରମବିକଶିତଧାରା ଖାରବେଳଙ୍କ ପରେ ବନ୍ଦ
ହୋଇ ନ ଥିଲା ପରବର୍ତ୍ତୀ ଓଡ଼ିଆଯୋଦ୍ଧା ଶତ୍ରୁଭଂଜଙ୍କ ବିଜୟବାର୍ତ୍ତା ବହନ କରିଥିବା
କେନ୍ଦୁଝରସ୍ଥ ଅସନପାଟ ଶିଳାଲେଖଠାରୁ ଆରମ୍ଭକରି ଷୋଡ଼ଶ ଶତାବ୍ଦୀରେ
ମୁକୁନ୍ଦବେଙ୍କଦ୍ୱାରା ସୀମାଞ୍ଚଳମ୍ ର ଲକ୍ଷ୍ମୀନରସିଂହ ମନ୍ଦିରରେ ଖୋଦିତ ଶିଳାଲେଖୀୀ ଇତ୍ୟାଦି
ଏହାର ସମୁଜ୍ଜ୍ୱଳ ଦୃଷ୍ଟାନ୍ତ । ପ୍ରାରମ୍ଭରେ ଏହିସବୁ ଶିଳାଲେଖ ପାଲିରୁ ସଂସ୍କୃତକୁ ଗତିକରି
ପରବର୍ତ୍ତୀ କାଳରେ ପୂର୍ଣ୍ଣରୂପେ ସଂସ୍କୃତ ପ୍ରଭାବିତ ହୋଇ ମଧ୍ୟ ଓଡ଼ିଆତ୍ୱକୁ ହରାଇ ନାହିଁ ।
ସେଥିପାଇଁ ଓଡ଼ିଆ ଭାଷା, ସାହିତ୍ୟ, ଲିପି ଓ ସଂସ୍କୃତ ଆଲୋଚନାର ମୁଖ୍ୟ ସ୍ରୋତ ଭାବେ
ଏହିସବୁ ଶିଳାଲେଖ ଏବଂ ତାମ୍ରପତ୍ରକୁ ଗ୍ରହଣ କରାଯାଇଛି ।
ତାଳପତ୍ର ପୋଥି ରଚନାରେ ଏ ଜାତି ଉଚ୍ଚ ଆସନାଧିକାରୀ । କାରଣ ତାଳପତ୍ରରେ କେବଳ ପୁରାଣ ସାହିତ୍ୟ ନୁହେଁ, ବରଂ ବିଭିନ୍ନ ଚୁକ୍ତି, ଶିଶୁ ଜନ୍ମ ହେବା ବିବରଣୀ ବା ଜାତକ, ବିବାହ ପୂର୍ବରୁ ନିର୍ବନ୍ଧର ସମସ୍ତ ବିବରଣୀ (ଇସଲାମ ଧର୍ମର ନିକାହନାମା ଭଳି) ଆଦି ଏବେ ମଧ୍ୟ ପ୍ରତ୍ୟେକ ପରିବାରରେ ଲେଖାଯାଉଛି । କାଗଜକଲମ ଯୁଗରେ କେତେକ ଏହାକୁ ଅନ୍ଧବିଶ୍ୱାସ କିମ୍ବା ଏଠାରେ ତାଳପତ୍ର ପ୍ରଚୁର ମିଳୁଥିବାରୁ ଏହିସବୁ କାର୍ଯ୍ୟରେ ବ୍ୟବହାର ହେଉଛି ବୋଲି ଆଜିର ଗବେଷକମାନେ କହିପାରନ୍ତି; ମାତ୍ର ଏ କଥା ସତ୍ୟ ଯେ, ପରଂପରାକୁ ସମ୍ମାନ ଦେବା, ଧର୍ମକୁ ବଞ୍ଚିବାର ଆଧାର ଭାବେ ବରଣ କରିଥିବା