ପୃଷ୍ଠା:Bhasa o Jatiyata.pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଓଡ଼ିଆଭାଷାର ବିକାଶ ଓ ପ୍ରସାରପାଇଁ ଓଡ଼ିଶାରେ ପ୍ରଶାସନିକ ସ୍ତରରେ ଉଦ୍ୟମ ଆଦୌ ନାହିଁ ବୋଲି କହିଲେ କିଛି ଭୁଲ ହେବନାହିଁ । ଓଡ଼ିଶା ବାହାରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ବ୍ୟତୀତ ଆଉ କେଉଁଠି ଓଡ଼ିଆ ଭାଷା-ସାହିତ୍ୟର ଉଚ୍ଚତର ଅଧ୍ୟୟନ ଓ ଗବେଷଣା ବ୍ୟବସ୍ଥା ନାହିଁ । ସେଥିପାଇଁ ଓଡ଼ିଶା ର ରାଜନୈତିକ ନେତା ଓ ପ୍ରଶାସକଙ୍କର କେବେ ମୁଣ୍ଡବ୍ୟଥା ହୋଇଥିବାର ମନେହୁଏନା ।

ଶ୍ରୀ ପୃଷ୍ଟିଙ୍କ କହିବାନୁଯାୟୀ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାପାଇଁ ନିର୍ଦ୍ଧାରିତ ସମସ୍ତ ଯୋଗ୍ୟତା ଓଡ଼ିଆଭାଷାର ଅଛି, ମାତ୍ର ପ୍ରଶ୍ନ ହେଉଛି କିଏ ଓ କିପରି ଏହି ଯୋଗ୍ୟତାକୁ ଭାରତ ସରକାରଙ୍କ ଆଗରେ ଉପସ୍ଥାପନ କରିପାରିବ? ଓଡ଼ିଶାରେ ତ ଆଉ ତାମିଲ୍ନ୍ ନାଡ଼ୁର ଡି.ଏମ୍.କେ. ପରି ରାଜନୈତିକ ଦଳ ନାହିଁ କି ଚେନ୍ନାଇରେ ପ୍ରତିଷ୍ଠିତ ସେନ୍ଟ୍ରାଲ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ କ୍ଲାସିକାଲ୍ ତାମିଲ୍ ପରି ଅନୁଷ୍ଠାନ ନାହିଁ ବା ଓଡ଼ିଆ ଅଧ୍ୟୟନକୁ ଆନ୍ତର୍ଜାତିକ କରିବାପାଇଁ ଜର୍ଜ ହାର୍ଟଙ୍କ ପରି ଜଣେ ପ୍ରଫେସର ବିଶେରେ ନାହାନ୍ତି ।

କେବଳ ସେତିକି ନୁହେଁ, ଆଜି ଓଡ଼ିଶାର ଭୌଗୋଳିକ ସୀମା ଭିତରେ ଓଡ଼ିଆଭାଷାର ସ୍ଥିତି ମଧ୍ୟ ସୁଦୃଢ଼ ନୁହେଁ । ଇତିହାସରୁ ତ ଆମେ ଜାଣିଛୁ ଯେ ଓଡ଼ିଆଭାଷା କେତେ ସଙ୍କଟ ମଧ୍ୟ ଦେଇ ଗତି କରି ନିଜର ସ୍ଥିତି ରକ୍ଷା କରିପାରିଛି । ଏବେ ଶିକ୍ଷିତ ଓଡ଼ିଆଙ୍କ ଉଦାସୀନତା ଓ ବ୍ୟବସାୟିକ ମନୋବୃତ୍ତି ସହ ରାଜନୈତିକ ତଥା ପ୍ରଶାସନିକ ପ୍ରତିକୂଳ ମନୋବୃତ୍ତି ମିଶିଯାଇ ଓଡ଼ିଆଭାଷାର ପ୍ରଗତିର ବାଧକ ସାଜିଛି । ଏପରି ଏକ ପରିସ୍ଥିତିକୁ ସୁଧାରିବାପାଇଁ ଶ୍ରୀ ପୃଷ୍ଟି ‘ଓଡ଼ିଆ ଭାଷା ସମୃଦ୍ଧି ହେବ କିପରି’ ପ୍ରବନ୍ଧରେ କେତେଗୁଡିଏ ଗଠନମୂଳକ ପରାମର୍ଶ ଦେଇଛନ୍ତି ।

ସଂପ୍ରତି ଓଡ଼ିଆ ଭାଷା ଯେପରି ଏକ ପ୍ରତିକୂଳ ପରିବେଶ ଭିତର ଦେଇ ଗତି କରୁଛି ତାହା ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି ଯେ ଆଉ କିଛି ବର୍ଷ ପରେ ଓଡ଼ିଶାରେ ହୁଏତ ଓଡ଼ିଆର ଅସ୍ତିତ୍ୱ ବିପନ୍ନ ହୋଇପଡ଼ିବ । ଅବଶ୍ୟ ଏହା ଉପରେ କୌଣସି ମତ ଦେବା ପୂର୍ବରୁ ତର୍କର ପ୍ରୟୋଜନ ଅଛି, ମାତ୍ର ଯେତେବେଳେ ଆମେ ନିଜ ଘର ଭିତରେ, ନିଜ ମାତୃଭାଷାର ସ୍ଥିତିକୁ ନେଇ ସନ୍ଦେହ ପ୍ରକାଶ କରୁଛୁ ସେତେବେଳେ କେଉଁ ମୁହଁ ନେଇ ଆମେ କେନ୍ଦ୍ରରେ ଓଡ଼ିଆର ଶାସ୍ତ୍ରୀୟ ମାନ୍ୟତାପାଇଁ ଦାବି ଉପସ୍ଥାପନ କରିବୁ?

ପ୍ରବନ୍ଧ ସଂକଳନଟି ସଂକ୍ଷିପ୍ତ କଳେବର ମଣ୍ଡନ କରିଥିଲେ ମଧ୍ୟ ଏହା ଏକ ଯୁଗୋପଯୋଗୀ ସୁପାଠ୍ୟ ପୁସ୍ତକ । ଓଡିଆ ଭାଷାପ୍ରେମୀଙ୍କପାଇଁ ଏକ ଅମୂଲ୍ୟ ମଲମ ସଦୃଶ । ଏହି ମଲମ ଓଡିଆଭାଷାକୁ ନେଇ ସୃଷ୍ଟି ହୋଇଥିବା ହୀନମନ୍ୟତା ରୂପକ ଗଭୀର କ୍ଷତର ଯଥାଯଥ ଉପଚାର କରିବା ସହ ଓଡିଆଭାଷା ସମ୍ପର୍କୀତ ଅଜ୍ଞତା, ଭୁଲ ଚିନ୍ତାଧାରା ସମ୍ପର୍କରେ ଅନେକ ମାନସ-ମନ୍ଥନ ଓ ତର୍କବିତର୍କ ସୂତ୍ରପାତ କରିବ ବୋଲି ମୋର ଦୃଢବିଶ୍ୱାସ ।


ଡଃ.ଶୁଭକାନ୍ତ ବେହେରା

ଯୁଗ୍ମ ସଚିବ, ଭାରତ ବିଦେଶସେବା 

ଭାରତ ସରକାର
ନୂଆ ଦ୍ଲିଲୀ
୨.୮.୧୦