ପୃଷ୍ଠା:Bhasa o Jatiyata.pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ଦେଖିବାକୁ ମିଳେନାହିଁ । ଦୀର୍ଘଦିନ ଧରି ଅଣଓଡ଼ିଆଙ୍କ ଦ୍ୱାରା ଓଡ଼ିଶାବାସୀ ଶାସିତ ହେଉଥିବାରୁ ପ୍ରଶାସନିକଭାଷା ଭାବରେ ସଂସ୍କୃତ ପ୍ରଚଳନ ହେଉଥିଲା, ଯାହା ସେହିସମୟର ଖୋଦିତ ଅଭିଲେଖରେ ଦେଖିବାକୁ ମିଳେ । ସାଧାରଣ ସ୍ତରରେ ଓଡ଼ିଆଙ୍କ ଲେଖିବାର ଏକମାତ୍ର ମାଧ୍ୟମ ଥିଲା ତାଳପତ୍ର । ଏହା ମଧ୍ୟ ଓଡ଼ିଶା ଭଳି ପ୍ରାକୃତିକ ବିପର୍ଯ୍ୟୟ ସ୍ଥଳୀରେ ଦୀର୍ଘଦିନ ଧରି ସୁରକ୍ଷିତ ହୋଇରହିବା ଅସମ୍ଭବ । ତେବେ ନେପାଳ ରାଜଦରବାରରୁ ‘ଚର୍ଯ୍ୟାଗୀତିକା’ ପ୍ରାପ୍ତ ହେବାଭଳି ଯଦି କୌଣସି ପ୍ରାଚୀନ ଗ୍ରନ୍ଥାଳୟରେ ସୁରକ୍ଷିତ ହୋଇ ରହିଥିବ, ନିଶ୍ଚିତ ଭାବେ ଦିନେ ଆବିଷ୍କୃତ ହୋଇ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ଜାତି ଇତିହାସର ଗତିପଥକୁ ବଦଳାଇ ଦେବ ।

(୩)ମୌଳିକ ସୃଷ୍ଟିସମ୍ଭାର

ଆଧୁନିକ ଭାରତୀୟ ପ୍ରାଦେଶିକ ଆର୍ଯ୍ୟଭାଷାଗୁଡ଼ିକ ମଧ୍ୟରେ ଓଡ଼ିଆସାହିତ୍ୟ ବହୁ ପ୍ରାଚୀନ ଏବଂ ସମୃଦ୍ଧ, ବହୁଦିଗରୁ ସ୍ୱତନ୍ତ୍ର ମଧ୍ୟ । ଏ ସମ୍ପର୍କରେ ପୂର୍ବରୁ ସୂଚନା ଦିଆସରିଛି । ତେବେ କାଳର କ୍ରମବିବର୍ତ୍ତନ ପଥରେ ଆସି ଖାରବେଳଙ୍କ ୧୪ ଶହ ବର୍ଷପରେ ଓଡ଼ିଆ ଭାଷା ରାଜଭାଷାର ମାନ୍ୟତା ପାଇବାପରେ ଏହା ୧୫ଶ ଶତକରେ ସ୍ୱୟଂସମ୍ପୂର୍ଣ୍ଣ ଓ ସମୃଦ୍ଧ ରୂପ ନିଏ ମହାକବି ସାରଳା ଦାସଙ୍କ ରଚନାରେ । ଏ କଥା ବହୁ କମ ଆଲୋଚକ ଜାଣନ୍ତି ସାରଳା ଦାସଙ୍କ ଭାଷା ସଂସ୍କୃତମୁକ୍ତ ଭାଷା । ଏହା ଲୋକ ପ୍ରଚଳିତଭାଷାର ସାହିତ୍ୟିକରୂପ । ଆଗଙ୍ଗା-ଗୋଦାବରୀ କ୍ଷେତ୍ରରେ ସାଧାରଣ ଜନତା ସେଥିପାଇଁ ଏହି ଗ୍ରନ୍ଥକୁ ଆଦରରେ ପୂଜା କରୁଥିଲେ । ଭାରତର ଅନ୍ୟ କୌଣସି ଭାଷାରେ ସେ ସମୟରେ ଏପରି ସଂସ୍କୃତମୁକ୍ତ ମୌଳିକଗ୍ରନ୍ଥ ରଚନା ଜଣେ ବ୍ୟକ୍ତିଦ୍ୱାରା ସମ୍ଭବ ହୋଇ ନ ଥିଲା । ଏପରିକି ବ୍ୟାସ ରଚିତ ସଂସ୍କୃତ ମହାଭାରତ ଜଣେ ବ୍ୟାସଙ୍କ ରଚନା ନୁହେଁ । ତାହା ବହୁକାଳଧରି ଭିନ୍ନଭିନ୍ନ ସମୟରେ ବ୍ୟାସଙ୍କ ନାମରେ ଲେଖାଯାଇଛି । ତାମିଲ ଏକ ପ୍ରାଚୀନ ଓ ସମୃଦ୍ଧ ଭାଷା ହେଲେ ମଧ୍ୟ ସେ ଭାଷାରେ ଏତେବଡ଼ ଗ୍ରନ୍ଥ ବା ‘ମହାଭାରତ’ ଗ୍ରନ୍ଥ ରଚିତ ହୋଇ ନାହିଁ । ତେଲୁଗୁ ମହାଭାରତ ଲେଖିଛନ୍ତି ତିନିଜଣ କବି ୨୦୦ ବର୍ଷ ଭିତରେ । ବଙ୍ଗଳା, ଅହମିୟା, ହିନ୍ଦୀ, ମରାଠୀ, ଗୁଜୁରାଟି ଆଦି ଭାଷାରେ ଏଭଳି ଗ୍ରନ୍ଥ ଦୁର୍ଲଭ । ୧୫ଶ ଶତକ ହିସାବରେ ଓଡ଼ିଆ ମହାଭାରତ ଏସିଆ ମହାଦେଶର ବୃହତ୍ତମ ଗ୍ରନ୍ଥ । ସାରଳା ଦାସ ଏକାମତ୍ର କବି, ଯିଏ କି ମହାଭାରତ ସମେତ ଆଉ ଦୁଇଟି ବୃହତ ଗ୍ରନ୍ଥ- ବିଲଙ୍କା ରାମାୟଣ ଓ ଦେବୀ ଭାଗବତ ବା ଚଣ୍ଡୀପୁରାଣ ତାଳପତ୍ରରେ ଲେଖିବା ସହ ଲକ୍ଷ୍ମୀନାରାୟଣ ବଚନିକା ନାମକ କଥାସାହିତ୍ୟ ସୃଷ୍ଟିକରି ଓଡ଼ିଆସାହିତ୍ୟକୁ ଏକ ନୂତନମୋଡ଼ ପ୍ରଦାନ କରିଛନ୍ତି । ଏହିସବୁ କୃତିରେ ପୁରାଣର ମହାଭାରତୀୟ ଚେତନାକୁ ପ୍ରତ୍ୟାହାର କରି ଓଡ଼ିଆତ୍ୱର ମହକକୁ ପାଠକପ୍ରାଣରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଓଡ଼ିଆ ପାଣି, ପବନ, ଭୂଗୋଳ, ଇତିହାସ, ଜାତୀୟଜୀବନ ଓ ସଂସ୍କୃତି ସହ ଖାପ ଖୁଆଇଥିବା ତଥ୍ୟପ୍ରଦାନ ପୂର୍ବକ ବିଶ୍ୱାସଯୋଗ୍ୟ ଉପାଖ୍ୟାନ ମିଶାଇ ଏହିସବୁ ଗ୍ରନ୍ଥକୁ ଆହୁରି ସରଳ, ରସାଳ, ମନୋଜ୍ଞ ଓ ସୁଖପାଠ୍ୟ