ପୃଷ୍ଠା:Bhasa o Jatiyata.pdf/୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ଭାଷାର ପ୍ରାଚୀନତା, ସ୍ଥାୟୀତ୍ୱ ଏବଂ କ୍ରମବିକଶିତ ଅବସ୍ଥାକୁ ସୂଚିତ କରେ । ଭାରତର ଏକମାତ୍ର ଭାଷାଭାବେ ଖ୍ରୀ.ପୂ. ତୃତୀୟ ଶତାବ୍ଦୀଠାରୁ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଖୋଦିତ ଅଭିଲେଖମାନଙ୍କରେ ଓଡ଼ିଆଲିପିର କ୍ରମବିକଶିତ ସ୍ଥିତି ଦେଖିବାକୁ ମିଳିଥାଏ ଓ ଏହି ଭାଷା ଯେଭଳି ଉଚ୍ଚାରିତ ହୁଏ, ସେହିଭଳି ଲିଖିତରୂପ ନିଏ । ଏହାର ପ୍ରୟୋଗବିଧି ମଧ୍ୟ ବୈିଦିକ ସଂସ୍କୃତଭଳି ବିଜ୍ଞାନସମ୍ମତ । ଏହାକୁ ଲକ୍ଷ୍ୟକରି ଭାରତର ପ୍ରଥମକରି ଭାଷା ସର୍ବେକ୍ଷଣ କରିଥିବା ପୃଥିବୀ ବିଖ୍ୟାତ ଭାଷାବିଜ୍ଞାନୀ ଜନ୍ ଗ୍ରୀୟର୍ସନ ଏବଂ ବୈିଦିକ ଓ ବର୍ତ୍ତମାନ ସଂସ୍କୃତଭାଷାର ବିଶିଷ୍ଟ ପାଶ୍ଚାତ୍ୟ ବିଦ୍ୱାନ ଏଲ୍.ଏସ୍.ଏସ୍. ଓମା’ଲୀ ଓଡ଼ିଆଭାଷାର କାଳ ନିରୂପଣ କରି ପ୍ରାଚୀନ ବୈିଦିକ ସଂସ୍କୃତ ସମକାଳୀନ ବୋଲି ଉଲ୍ଲେଖ କରିଛନ୍ତି । ତେବେ କୁଷାଣ ଶାସନକାଳରୁ ରାଜଭାଷାର ମାନ୍ୟତା ପାଇଥିବା ସଂସ୍କୃତ ଗୁପ୍ତକାଳରେ ନିଜର ସାହିତ୍ୟିକ ଭୂୟୋବିକାଶ ଘଟାଇ ଅନ୍ୟ ଭାଷାକୁ ପ୍ରଭାବିତ କରିପାରିଥିବାବେେଳେ ସମତାଳରେ ଓଡ଼ିଆଭାଷା ଓଡ଼ିଶାମାଟିରେ ଅସହାୟ ମଣିଷପରି ନୀରବରେ ସାଧାରଣ ଜନମାନସ ମଧ୍ୟରେ ଲୋକକଥା, ଲୋକଗୀତ, ଲୋକନାଟକ ଦେଇ ନିଜର କାୟା ବିସ୍ତାର କରିଚାଲିଛି ଦୀର୍ଘ ଦୁଇହଜାର ବର୍ଷଧରି । ଏପରିକି ଧାର୍ମିକକ୍ଷେତ୍ରରେ ସଂସ୍କୃତ ଭାଷା ଓ ସଂସ୍କୃତ ପଣ୍ଡିତଙ୍କ ଦୌରାତ୍ମ୍ୟରୁ ରକ୍ଷାପାଇବାପାଇଁ ନିଜସ୍ୱ ପୁରାଣ, ପୂଜାପଦ୍ଧତି ସୃଷ୍ଟିକରି ଓଡ଼ିଆ ଜାତୀୟଜୀବନକୁ ଆହୁରି ମାର୍ଜିତ ଓ ସ୍ୱାଭିମାନୀ କରିପାରିଛି ।

ତେଣୁ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାପାଇଁ ନିର୍ଦ୍ଧାରିତ ସମସ୍ତ ଯୋଗ୍ୟତା ଓଡ଼ିଆଭାଷାର ଅଛି । ଏପରିକି ସଂସ୍କୃତଠାରୁ ପ୍ରାଚୀନ ବୋଲି ଦାବି କରୁଥିବା ତାମିଲ ଭାଷାପାଇଁ ସେଭଳି ପ୍ରମାଣଯୋଗ୍ୟ ତଥ୍ୟ ନାହିଁ, ଯାହା ଓଡ଼ିଆ ଭାଷାପାଇଁ ଅଛି । ଓଡ଼ିଶାରେ ୫ ହଜାରବର୍ଷ ତଳର ଲିପି ସହିତ ଅଶୋକ, ଖାରବେଳ, ଶତ୍ରୁଭଞ୍ଜ ଆଦି ଓଡ଼ିଆବୀରଙ୍କ ଅଭିଲେଖ ଏବଂ ମେଘାସ୍ଥିନିସ୍‌ଠାରୁ ଆଲବେରୁଣୀ ପର୍ଯ୍ୟନ୍ତ ବହୁ ବିଦେଶୀପଣ୍ଡିତ କଳିଙ୍ଗକଥା ବର୍ଣ୍ଣନା କରିବାରେ ଅକୁଣ୍ଠିତ ମନୋଭାବ ହିଁ ଓଡ଼ିଆ ଜାତି, ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରାଚୀନତାକୁ ପ୍ରମାଣ କରିଥାଏ । ଓଡ଼ିଶାର କଳା, ଭାସ୍କର୍ଯ୍ୟ, ସାହିତ୍ୟ, ସଂସ୍କୃତି ସର୍ବଦା ବିଶ୍ୱସମୁଦାୟକୁ ଆକୃଷ୍ଟ କରିଆସିଛି । ଓଡ଼ିଶାର ଅତୀତ ଗୌରବ ଆଜିର ଓଡ଼ିଆଠାରେ ଲୁକ୍‌କାୟିତ ଥିବାବେଳେ ବର୍ମା, ସିଂହଳ, ମାଳୟ, ବାଲି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ, କାମ୍ବୋଡିଆ, ଭିଏତ୍‌ନାମ ଆଦି ଦେଶ; ଏପରିକି ରୋମ୍‌ର ଅଧିବାସୀ ନିକଟରେ ଅଜଣା ନୁହେଁ । କାରଣ କଳିଙ୍ଗର ଇତିହାସ ସହିତ ଏହିସବୁ ରାଷ୍ଟ୍ରର ଇତିହାସ ଜଡ଼ିତ । ଯେପରି ଏବେ ଇଂରେଜଜାତିର ଇତିହାସ ବିଶ୍ୱର ସବୁଜାତିର ଇତିହାସ ସହ ଜଡ଼ିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଆ ଜାତି ଓ ଭାଷାର ପ୍ରାଚୀନତାକୁ ସ୍ୱୀକାର କରି ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାଦ୍ୱାରା ଓଡ଼ିଆଭାଷାର ଗୌରବ ବୃଦ୍ଧିହେବା ଅପେକ୍ଷା ପ୍ରଦାନକାରୀ ସଂସ୍ଥାର ନିରପେକ୍ଷ କାର୍ଯ୍ୟଧାରା ପ୍ରତି ସମଗ୍ର ଭାରତୀୟଙ୍କଠାରେ ବିଶ୍ୱାସନୀୟତା ବୃଦ୍ଧି ପାଇବା ସହ ସୁଦୃଢ଼ ଆସ୍ଥା ସ୍ଥାପନ ହେବ ।