ପୃଷ୍ଠା:Bhasa o Jatiyata.pdf/୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

କରି ଯେଉଁସବୁ ଅଭିଧାନ ପ୍ରସ୍ତୁତ କରାଯାଉଛି ତଦ୍ଧ୍ୱାରା ଓଡ଼ିଆଭାଷା ଓ ଶବ୍ଦଭଣ୍ଡାର ସଂକୁଚିତ ହୋଇଯାଉଛି । ଭାଷା ସମୃଦ୍ଧ କରିବାର ସମସ୍ତ ଉପାଦାନ ଆମ ହାତପାଆନ୍ତାରେ ଥିବାବେଳେ କେତେଜଣ ଦୁଷ୍ଟ ବୁଦ୍ଧିସମ୍ପନ୍ନ ପଣ୍ଡିତଙ୍କ ଦେଖେଇହେବା ପ୍ରବୃତ୍ତି ଯୋଗୁଁ ଓଡ଼ିଆଭାଷା ଆଜି ଓଡ଼ିଆଙ୍କଠାରୁ ଦୂରେଇ ଯାଉଛି ।

୩. କାର୍ଯ୍ୟାଳୟର ଭାଷା : ଆମ ଇଂରେଜ ପଢ଼ୁଆ ଉଚ୍ଚଶିକ୍ଷିତ ଚାକିରିଆ ଗୋଷ୍ଠୀଙ୍କୁ ଓଡ଼ିଆରେ କାମ କରିବାକୁ ନିର୍ଦ୍ଦେଶ ଦିଆଗଲେ ସଙ୍ଗେସଙ୍ଗେ ନିଜ ପ୍ରଭୁତ୍ୱପଣିଆ ଜାହିର କରି ପ୍ରତ୍ୟୁତ୍ତର ଦିଅନ୍ତି- “ଓଡ଼ିଆରେ ଫର୍ମ କାହିଁ? ଅଫିସ୍ ନୋଟ୍ ଲେଖିବୁ କେମିତି? କାର୍ଯ୍ୟାଳୟରେ ବ୍ୟବହୃତ ଅନେକ ଇଂରାଜୀଶବ୍ଦର ଓଡ଼ିଆଶବ୍ଦ କାହିଁ? ଓଡ଼ିଆରେ ଆଇନ କାନୁନ ପୁସ୍ତକ କାହିଁ?” ତେଣୁ ଏସବୁ କାହିଁକାହିଁ ଭିତରେ ଓଡ଼ିଆ ସରକାରୀ ଭାଷା ହୋଇ ପାରିବନାହିଁ । କିରାଣୀ ବୃତ୍ତିଧାରୀ ଅଯୋଗ୍ୟ ସରକାରୀ ଚାକିରିଆଙ୍କ ଏହିଭଳି ଅସହଯୋଗ ମନୋଭାବ ଯୋଗୁଁ ତିନୋଟି ମୁଖ୍ୟମନ୍ତ୍ରୀ ପ୍ରଶାସନକାର୍ଯ୍ୟ ଓଡ଼ିଆଭାଷାରେ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲାନାହିଁ ।

କାର୍ଯ୍ୟାଳୟ ବ୍ୟବହୃତ ଯେ କୌଣସି ଭାଷାର ଦୁଇଟି ବିଭାଗ ରହିଛି, ଯଥାସାହିତ୍ୟ ଓ ପ୍ରାଦ୍ୟୋଗିକ । ସାହିତ୍ୟିକ ବିଭାଗ କାର୍ଯ୍ୟାଳୟ ବିବରଣୀ ଲେଖିବାରେ ସାହାଯ୍ୟ କରୁଥିବାବେଳେ ପ୍ରାଦ୍ୟୋଗିକ ବିଭାଗରେ ଅଭିଧାନ, ବ୍ୟାକରଣ, ଟାଇପ୍ ଇତ୍ୟାଦି ଅନ୍ତର୍ଭୁକ୍ତ; ଯାହା ସାମାନ୍ୟ କିରଣୀଠାରୁ ଉଚ୍ଚ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କ ଆବଶ୍ୟକତା ଅଛି । ପ୍ରଥମଟି ଦ୍ୱିତୀୟ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ । ଏଗୁଡ଼ିକ ମଧ୍ୟ ବର୍ତ୍ତମାନ ସହଜରେ ଉପଲବ୍ଧ । ତଥାପି କେହି ଏହାର ସୁଯୋଗ ନେବାକୁ ଚାହୁଁନାହାନ୍ତି । ଭୁଲ୍ ହେଉପଛେ ସେହି ଇଂରାଜୀରେ କାମ କରିବାକୁ ଏମାନେ ଆଗଭର ହେଉଛନ୍ତି ନିଜ ଉପରିସ୍ଥ ହାକମିକୁ ଖୁସି କରିବାପାଇଁ । ଇଂରେଜଜାତିଠାରୁ ମୁକ୍ତହେବାର ୬୪ବର୍ଷ ବିତିଯାଇଥିଲେ ବି କାହିଁକି ଏ ଇଂରାଜୀ ପ୍ରେମ ତାହା ଜଣାପଡୁନାହିଁ ।

୪. ନିଜ ଭାଷାକୁ ହୀନ ମନେକରିବା : ଶବ୍ଦର ପ୍ରାଚୁର୍ଯ୍ୟ ବା ଉପାଦାନ ଦୃଷ୍ଟିରୁ ଇଂରାଜୀ ସହିତ ଓଡ଼ିଆକୁ ତୁଳନା କଲେ ନିଶ୍ଚିତ ଭାବରେ ଓଡ଼ିଆଭାଷାର ଦୁର୍ବଳତା ଆଖିରେ ପଡ଼ିବ । ମାତ୍ର ଅନ୍ୟଦୃଷ୍ଟିରୁ ଦେଖିଲେ ଓଡ଼ିଆ ତୁଳନାରେ ଇଂରାଜୀଭାଷା ସବଳ ନୁହେଁ । ଦୃଷ୍ଟାନ୍ତ- ଓଡ଼ିଆର କ୍ରିୟାପଦ ଯେତେ ବିଚିତ୍ର ଓ ବିସ୍ତୃତ ସେହି ତୁଳନାରେ ଇଂରାଜୀଭାଷାର କ୍ରିୟାପଦ ନାହିଁ । ସେହିପରି ଧ୍ୱନି ଅନୁସାରେ ଲିପି, ଶବ୍ଦ ସଂଯୋଜନା, ପଦ ଓ ବାକ୍ୟ ଗଠନ, ଅର୍ଥତତ୍ତ୍ୱ, ଧ୍ୱନି ବୈଚିତ୍ର୍ୟ ମଧ୍ୟ ଇଂରାଜୀଠାରୁ ଓଡ଼ିଆଭାଷା ବହୁଗୁଣରେ ଉଚ୍ଚ । ଆମେ ଉଚ୍ଚାରଣ କରୁଥିବା ଧ୍ୱନିଗୁଡ଼ିକୁ ନିର୍ଦ୍ଧିଷ୍ଟ ବର୍ଣ୍ଣମାଳାରେ ସଜ୍ଜିତ କରି ରଖାଯାଇଛି । ଅଥଚ ଇଂରାଜୀଭାଷାରେ ତାହା ଏପର୍ଯ୍ୟନ୍ତ ହୋଇପାରିନାହିଁ । ଆମେ ଯୁକ୍ତାକ୍ଷର ସାହାଯ୍ୟରେ ଶବ୍ଦର ଆକାର ସଂକୁଚିତ କରିପାରିବା, ଯାହା ଇଂରାଜୀଭାଷାରେ ନାହିଁ । ଆମେ ‘ଜ୍ଞାନ’ ଶବ୍ଦକୁ ଦୁଇଟି ଅକ୍ଷରରେ ଲେଖୁଥିବା ବେଳେ ଏହା ପାଞ୍ଚଟି ଧ୍ୱନରି ସମାହାର, ମାତ୍ର ଜ୍ଞାନର