ପୃଷ୍ଠା:Bhasa o Jatiyata.pdf/୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ଇଂରାଜୀ ରୂପ ‘KNOWLEDGE' ’ରେ ସେହି ପାଞ୍ଚଟି ଧ୍ୱନି ଉଚ୍ଚାରଣ ହେଉଥିବାବେଳେ ନଅଟି ଅକ୍ଷର ବ୍ୟବହାର କରାଯାଉଛି । ଏଠାରେ ଅକ୍ଷରର ବିସ୍ତାରିତ ରୂପ ଯେତେ ସମସ୍ୟା ନୁହେଁ ତାହାଠାରୁ ବଡ଼ ସମସ୍ୟା ହେଲା ‘K’ ଓ ‘D’ ବର୍ଣ୍ଣର ବ୍ୟବହାର । ଏହି ଦୁଇଟି ବର୍ଣ୍ଣ କାହିଁକି ପ୍ରୟୋଗ କରାଯାଇଛି ତାହା ବିଶ୍ୱର କୌଣସି ଇଂରାଜୀ ଭାଷା ବିଶେଷଜ୍ଞ ପ୍ରମାଣ କରିପାରିବେ ନାହିଁ । ଇଏ କେବଳ ଗୋଟିଏ ନୁହେଁ, ଏହିଭଳି ଅସଂଖ୍ୟ ଉାହରଣ ଆମେ ଇଂରାଜୀ ଶବ୍ଦଭଣ୍ଡାରରୁ ଆଣିପାରିବା ଯାହା ବିଜ୍ଞାନସମ୍ମତ ନୁହେଁ । ମାତ୍ର ଓଡ଼ିଆଭାଷାରେ ଏହିଭଳି କିଛି ଅବୈଜ୍ଞାନିକ ଶବ୍ଦ ଅଛି କି? ଯଦି ଓଡ଼ିଆଶବ୍ଦ ବୈଜ୍ଞାନିକ ପଦ୍ଧତିଯୁକ୍ତ, ତେବେ ଇଂରାଜୀ ମାଧ୍ୟମରେ ପଢ଼ୁଥିବା ଓଡ଼ିଆ ଛାତ୍ରଟିଏ ମାତ୍ର କିଛିମାସ ଭିତରେ ଇଂରାଜୀଭାଷା ନିର୍ଭୁଲ ଓ ପ୍ରାଞ୍ଜଳ ଭାବରେ କହିପାରୁଥିବାବେଳେ ଓଡ଼ିଆ ଭାଷାଶିକ୍ଷା କାହିଁକି ଏମାନଙ୍କପାଇଁ କଷ୍ଟକର ହୋଇପଡ଼ୁଛି? କାହିଁକି ଓଡ଼ିଆ ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ, ଶିକ୍ଷକଗଣ ଶୁଦ୍ଧ ଇଂରାଜୀ ଉଚ୍ଚାରଣରେ ଦକ୍ଷ ହୋଇପାରୁନାହାନ୍ତି?

୫. ମାତୃଭାଷା ଶିକ୍ଷା ପଦ୍ଧତି : ଓଡ଼ିଆଭାଷା ଶିକ୍ଷା ପାରମ୍ପରିକ ମଧୁ ବର୍ଣ୍ଣବୋଧ ଶୈଳୀରେ ଚାଲିଛି, ଯାହା ଯୁଯୋଗଯୋଗୀ ନୁହେଁ । ଇଂରାଜୀଭାଷା ଶିକ୍ଷା ପାଇଁ ପ୍ରାଥମିକ ସ୍ତରରେ ଯେତେପ୍ରକାର ପୁସ୍ତକ ତଥା ଅନ୍ୟାନ୍ୟ ଉପକରଣ ବାହାରିଲାଣି ତାହା ଓଡ଼ିଆ ଭାଷାପାଇଁ ପ୍ରସ୍ତୁତ କରାଯାଇନାହିଁ । ଏହାଠାରୁ ବଳି ସବୁଠାରୁ ଦୁଃଖର ବିଷୟ ହେଲା ପ୍ରାଥମିକସ୍ତରରୁ କୋମଳମତି ପିଲାଙ୍କୁ ଚାରିଟି ଭାଷା - ଇଂରାଜୀ, ହିନ୍ଦୀ, ସଂସ୍କୃତ, ଓଡ଼ିଆ ଶିଖିବାକୁ ପଡ଼ୁଥିବାରୁ ମାତୃଭାଷା ଓଡ଼ିଆ ହିଁ ସବୁଠାରୁ ବେଶି ଅବହେଳିତ ହେଉଛି । ଅନ୍ୟପକ୍ଷରେ ଓଡ଼ିଆ ପଢ଼ାଉଥିବା ଶିକ୍ଷକଙ୍କର ଓଡ଼ିଆଭାଷା ବିଷୟରେ ଉପଯୁକ୍ତ ଜ୍ଞାନ ନ ଥିବାରୁ ଶବ୍ଦର ବ୍ୟୁପିତ୍ତି ସଂପର୍କରେ ବ୍ୟାଖ୍ୟା ନ କରି ପାରମ୍ପରିକ ବ୍ୟାକରଣକୁ ମୁଖସ୍ତ କରିବାକୁ ପିଲାମାନଙ୍କୁ ବାଧ୍ୟ କରାଇବାଦ୍ୱାରା ଓଡ଼ିଆଭାଷାର ମୌଳିକତା ସଂପର୍କରେ ପିଲାମାନେ ଅଜ୍ଞ ରହୁଛନ୍ତି । ଏହି ପିଲା ମହାବିଦ୍ୟାଳୟକୁ ଆସିବାପରେ ଓଡ଼ିଆଭାଷାଠାରୁ ସଂପୂର୍ଣ୍ଣ ଦୂରେଇ ଯାଉଛି, ଆଉ ଯଦି ଚାକିରି ବୃତ୍ତିରେ ନିୟୋଜିତ ହେଲା, ତେବେ ତା’ର ଓଠରେ ଏପର୍ଯ୍ୟନ୍ତ କ୍ଷୀଣରୂପେ ବଞ୍ଚିଥିବା ଓଡ଼ିଆଭାଷା ସମୂଳେ ଲୋପ ପାଇଯାଉଛି । ତେଣୁ ଓଡ଼ିଆଭାଷା ଯେତେବେଳେ ବ୍ୟକ୍ତିର ଦୌନନ୍ଦିନ ଜୀବନରେ କୌଣସି କାମରେ ଆସୁନାହିଁ, ତାହା ପ୍ରତି ଦୁର୍ବଳତା ରହିବ କାହିଁକି?

ଅନ୍ୟପକ୍ଷରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବା ପିଲାଟି ଅନର୍ଗଳ ଭାବରେ ଇଂରାଜୀ କହିପାରୁଥିବାବେଳେ ଓଡ଼ିଆ ମାଧ୍ୟମର ପିଲାଟିଏ ଇଂରାଜୀରେ ଭଲ ନମ୍ବର ରଖୁଥିଲେ ବି କଥା କହିପାରୁ ନାହିଁ । ଏହାର କାରଣ ସଂପର୍କରେ କେତେକ କହନ୍ତି ଇଂରାଜୀ ମାଧ୍ୟମ ପିଲା ସବୁ ବିଷୟ ଇଂରାଜୀରେ ପଢ଼ିଲେ, ତେଣୁ ଏହି ଭାଷାରେ ଦକ୍ଷ ହେଲେ । ଏହି ସୁବିଧା ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ନାହିଁ । ସେଥିପାଇଁ ସାଧାରଣ ରିକ୍ସାବାଲାଠାରୁ ଉଚ୍ଚଶିକ୍ଷିତଗଣ ନିଜ ପିଲାମାନଙ୍କୁ ଇଂରାଜୀ ମାଧ୍ୟମରେ ପଢ଼ାଇବାକୁ ଆଗ୍ରହୀ ।