ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଆଦ୍ୟକାଣ୍ତ
ବନ୍ଦନା

ବୋଲ ହରି ହେ । ହରିଜନ ରାମ‌ଭଜ ଭଜ ଦଇତ୍ୟାରି ହେ ।।
ପ୍ରଥମେ ବନ୍ଦିଲୁ ଆସି ଶ୍ରୀଗୁରୁ ଚରନ ।
 ଯାହାର କୃପାତେ ହୟ କୃଷ୍ଣ ଦରଶନ ହେ ।।
ଦଶରଥ ସୁତ ବନ୍ଦୁଁ ଶ୍ରୀରାମ ଚରନ ।
ତାହାର ସାନୁଜ ବନ୍ଦୁଁ ବୀର ଲଇକ୍ଷଣ ହେ ।।
ସୀତା ଠାକୁରାନୀ ବନ୍ଦୁଁ ଜ‌ନ‌କ ନନ୍ଦିନୀ ।
ବଶିଷ୍ଠ ଜାବାଳି ବନ୍ଦୁଁ ଯତ ମହାମୁନି ହେ ।।
କ୍ଷେତ୍ରର ମହିମା କିଛୁ କଳନା ନ‌ଯାଏ ।
ଚାଣ୍ତାଳ ହସ୍ତରୁ ଅନ୍ନ ବିପ୍ର ଲୟାଁ ଖାଏ ହେ ।।
ଯୁହୁଁ ସ୍ଥାନେ ହୟ ଭାଇ ନାମ ସଂକୀର୍ତ୍ତନ ।
ସେହୁ ସ୍ଥାନ ବୋଲାଏ ଗୋଲୋକ ବୃନ୍ଦାବନ ହେ ।।
ଏହୁତ ରାମେର ଲୀଳା ଶୁନ ଆରେ ଭାଇ ।
ଭକ୍ତଜ ଉଦ୍ଧାରିତେ ଯଦୁନନ୍ଦନ ଗାଇ ହେ ।।
ଦୀନ ବିଶି ବୋଲେ ହୟା ହରଷିତ ମନ । [୧]
ହରି ହରି ବୋଲ ହେ ସକ‌ଳ ସଭାଜନ ହେ ।।

ରାଗ- ଚକ୍ରକେଳୀ
ଏକଦିନେ ନାରଦ ମହାଋଷି । ବାଲମିକ ଆଶ୍ରମେ ହେଲେ ଆସି [୨] ।।
ତାଙ୍କୁ ଦେଖିଣ ବ‌ହୁ ପୂଜା କଲେ । ମନ ସଂଶୟ ତାଙ୍କୁ ପଚାରିଲେ ।।
କେଉଁ ପୁରୁଷ ଠାରେ ସର୍ବଗୁଣ । ଅଛି କାହାଠାରେ ସର୍ବ ଲକ୍ଷଣ ।।
ରବି ପ୍ରାୟ ହୋଇବ ତେଜୋବନ୍ତ । ପବନ ପ୍ରାୟ ହେବ ବଳବନ୍ତ ।।

  1. ବଙ୍ଗଳା ମିଶା ପଦ ଯୁକ୍ତ ଏହି ଗୀତଟି ପୋଥିରେ ନାହିଁ ।
  2. ୧- ଏହି ପଦ୍ୟଟି 'ମୂଳ ରାମାୟଣ'ର ପ୍ରଥମ କେତୋଟି ଶ୍ଳୋକ ଉପରେ ଆଧାରିତ ।