ଆଦ୍ୟକାଣ୍ଡ | ୯ |
କୁମାରୀ ସହିତେ ମୁନି ଯିବୁ ଆମ୍ଭେ ଘେନି ।
ଶୁଣି ରାୟେ ସମର୍ପିଲେ ସନ୍ତୋଷରେ ବେନି ହେ ।।
ଲୋମପାଦ ରାଜା ଯେ ଅନେକ ଦ୍ରବ୍ୟ ଦେଲେ ।
ବଡ଼ ଉପହାର ଦେଇ ମନତୋଷ କଲେ ହେ ।।
କୁମାରୀ ସହିତେ ମୁନି ଘେନିଣ ଅଇଲେ ।
ବୋଲେ ବିଶି ପୁତ୍ରକାମ ଯଜ୍ଞ ଆରମ୍ଭିଲେ ହେ ।।
ମଙ୍ଗଳଧନାଶ୍ରୀ
(ମୁନିବର ବାଣୀରେ ଗାଇବ )
ଋଷ୍ୟଶୃଙ୍ଗ[୧] ଯଜ୍ଞ କଲେ, ଦେବତା ସନ୍ତୋଷ ହେଲେ ।
ପୂର୍ଣ୍ଣ ଆହୁତିର ଶେଷେ, ଜାତ ପୁରୁଷେ ଯେ ।।
ଦାହ ସୁବର୍ଣ୍ଣ ଶରୀର[୨] ପାୟସ ଘେନିଛି କର [୩] ।
ମୁନିଙ୍କ କରେ ସେ ଦେଲେ, ଅଦୃଶ୍ୟ ହେଲେ ଯେ ।।
ମୁନି ଦେଲେ ରାଜା କର, ଘେନି ସେ ନୃପତି ବର ।
କୌଶଲ୍ୟା କୈକେୟୀ ରାଣୀ, ଦେଲେ ସେ ଜାଣି ଯେ ।।
ବେନି ରାଣ ବେନି ଭାଗ, ସୁମିତ୍ରାକୁ ଅନୁରାଗ ।
କରିଣ ତାହାଙ୍କୁ ଦେଲେ, ଚରୁ ଖାଇଲେ ଯେ ।।
ଉଦେ ନୋହୁ ରବି ପ୍ରଭା, ଯେହ୍ନେ ପ୍ରାଚୀ ଦେଶ ଶୋଭା [୪]
ସେହି ରୂପେ ସେ ସୁନ୍ଦର, ରହି ଗର୍ଭର ଯେ ।
ଗଲା ବେନି ପାଞ୍ଚମାସ, ହେଲା ପ୍ରସବ ଦିବସ ।
ଚଇତ୍ର ଶୁକ୍ଳ ନବମୀ, ପୁତ୍ରେ ଜନମି ଯେ ।
ଯେତେ ସେ ଲକ୍ଷଣମାନ, କହିଥିଲେ ତପୋଧନ ।
ତହିଁକି କୋଟିଏ ଗୁଣେ ଜାତ ଲକ୍ଷଣ ଯେ ।।