ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ରାମଲୀଳା
ରାଗ ଘଣ୍ଟାରବ
ବହୁ ମହୋତ୍ସବ କଲେ ଯେ , ସାତ ମଙ୍ଗଳାଇ ଗଲେ |
ଜଣେ ଜଣେ କରି ଜନକ ଅନେକ [୧] ରତନ ବାସନା ଦେଲେ ଯେ ||
ଦଶରଥ ବେନି କର ଯେ , ଧରି ରାଜ ଋଷିବର |
ମିଥିଳା[୨] ନଗର ଆଜହୁଁ ତୁମ୍ଭର ଅଯୋଧ୍ୟା ନଗର ମୋର ହେ ||
କୁମାରୀମାନଙ୍କ ଦୋଷ ହେ , କ୍ଷମା କରିବା ନରେଶ |
[୩]ଶୁଣି ନୃପତି ଆଲିଙ୍ଗନ କରିଣ ହୋଇଲେକ ହସ ହସ ଯେ ||
ଦଶରଥ ମହାରାଜା ଯେ , ବଜାଇଲେ ବୀର ବାଜା |
ବିଭା ବଢ଼ାଇ ବାହୁଡା ବିଜେ କଲେ ସଙ୍ଗେ ଘେନି କ୍ଷିତି ଦୁଜା [୪] ଯେ ||
ଚଳେ ଋତୁରଙ୍ଗ ବଳ ଯେ , କୁରୁମ ଟଳ ମଟଳ [୫] |
ସମୁଦ୍ର ମନ୍ଥନ ପ୍ରାୟକ ଶୁଭୁଛି ମୁଖରାବର ଚହଳ ଯେ ||
ଶୁଣି କରି ଭୃଗୁପତି [୬] ଯେ , କୋପ ବସିଲା ତା ମତି |
ପର୍ଶୁ ଝମକାଇ ଓଗାଳିଲା ଆଗେ ଦଶରଥ ମହୀପତି ଯେ ||
ବୋଲନ୍ତି ତୁ ରହ ରହ ହୋ ,[୭] ତୋର ସୁତ କାହିଁ କହ ?
କେମନ୍ତ ସ୍ୱରୂପ କେତେକ ବୟସ ଆମ୍ଭଙ୍କୁ ଥରେ ଦେଖାଅ ହେ ||
ଶୁଣିକରି ନୃପବର ଯେ , ଶିରେ ଦେଲେ ବେନି କର |
ସବୁଦିନେ ମୁହିଁ ତୁମ୍ଭର କୋୟର [୮] ପର୍ଶୁଧର ରକ୍ଷାକର [୯] ହେ ||
- ↑ କନକଭୂଷଣ ପୋଥି ପାଠ |
- ↑ ନବର ପୋଥି ପାଠ |
- ↑ ପୁଣି ପୁସ୍ତକ ପାଠ |
- ↑ କ୍ଷିତିଦୁଜା = ସୀତା କିନ୍ତୁ ପୁସ୍ତକ ପାଠ | କ୍ଷିତିଦୁଜା ସଙ୍ଗତ ମନେହୁଏ ନାହିଁ |
- ↑ ପୃଥିବୀକୁ କୂର୍ମ ଧାରଣ କରିଥିବାରୁ ବୀରମାନଙ୍କ ପାଦଘାତରେ କୂର୍ମ ଟଳମଳ ହେଲେ |
- ↑ ଶୁଣି କରି ଭୃଗୁପତି ପୁସ୍ତକ ପାଠ |
- ↑ ବୋଲନ୍ତି ତୁ ରହ ରହ ରେ ପୁସ୍ତକ ପାଠ |
- ↑ କୋୟର = ଚାକର ବା ସେବକ ଅର୍ଥରେ ଦେଶଜ ଶବ୍ଦ |
- ↑ ଦୟାକର ପୋଥି ପାଠ |