ଉଆଁସ ଅନ୍ଧାର ଅଜ୍ଞାନକୁ ଏ ଚନ୍ଦ୍ରମା ।
ଉଇଁଲା ରବି ଏ ଧୀରଚକ୍ର ସୁଖସୀମା ହେ ।୨୧।
ଚନ୍ଦ୍ରରୁ ଶୀତଳ ସ୍ୱାଦୁ ସୂର୍ଯ୍ୟରୁ ବିମଳ ।
ଚରିତ ଗଙ୍ଗା ନିର୍ମଳ ସିନ୍ଧୁରୁ ଅଥଳ ହେ ।୨୨।
ଛଦ୍ମାର୍ଥିକ ଦମ୍ଭଧର ଚୂରଣକୁ ପବି ।
ଛଇଳ ଲୋକର ନବ ଗୁଣବତୀ ଛବି ହେ ।୨୩।
ଲକ୍ଷଣ କ୍ରମ:-
ଯମକାଦି ଚିତ୍ର କାବ୍ୟ ପ୍ରବନ୍ଧ ପ୍ରବନ୍ଧ ।
ଯଥାଜାତ ଧନ୍ଦା ଏଟି ବୁଧ ମନବୋଧ ହେ ।୨୪।
ବୁଧ ଅଜ୍ଞବୋଧକ :-
ଝଳି ମାର୍ଗ ପାଇବେ ପଥିକ ହେଲେ ଶ୍ରମୀ ।
ଝଗଡ଼ାବାଟେ ପଶିଲେ ମୂର୍ଖେ ହେବେ ଦମୀହେ ।୨୫।
ନ୍ୟାୟାଦି ଶାସ୍ତ୍ର ପୁରାଣ ବେଦାଗମ କାବ୍ୟ ।
ନ୍ୟାସ କଲା ଲୋକର ଏ ହୋଇବଟି ଭାବ୍ୟହେ ।୨୬।
ଟାଣ ଚଣା ଚର୍ବଣ ନା-ରଦ କଲା ପରି ।
ଟେକ ଓଜ ଭାଜିବ ଅବଶ୍ୟ ଶ୍ରମ କରି ହେ ।୨୭।
ଠକ ନୋହେ ଗୁରୁ କୃଷ୍ଣ ବଇଷ୍ଣବେ ଯେହୁ ।
ଠିକେ ଏଥି ମର୍ମ ଜାଣି ପାରିବେଟି ସେହୁ ହେ ।୨୮।
ଡାକି କହୁଛି ମୁଁ ରାଗମାର୍ଗ ଭକ୍ତଜନେ ।
ଡେରି କର୍ଣ୍ଣ ସସ୍ନେହତା କର ମୋ ବଚନେ ହେ ।୨୯।
ଢମପଣେ ବର୍ଣ୍ଣୁଛି ମୁଁ ଗୋବିନ୍ଦ ଚରିତ ।
ଢଗଢ଼ମାଳି ହେଲେହେଁ ସାକ୍ଷାତେ ଅମୃତ ହେ ।୩୦।
ଅମ୍ବୁ ଯେ ହେଉ ସେହେଉ ଶାଳଗ୍ରାମସ୍ନାନେ ।
ଅଗ୍ରାହ୍ୟ କାହାର ପାଦୋଦକ ନାମଜ୍ଞାନେ ହେ ।୩୧।
ତତ୍ତ୍ୱ ଏପରାୟେ ଭାବି ଏଗୀତେ ରସିବ ।
ତୁଚ୍ଛ ମୋ ବଚନୁ ଚ୍ୟୁତ ବୋଲି ନକରିବ ହେ ।୩୨।