ପୃଷ୍ଠା:Bikalpa Biswa.pdf/୧୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ମରିବା ଅଧିକାର, ଇଚ୍ଛାମୃତ୍ୟୁ ଓ ଆତ୍ମହତ୍ୟା

କିଛି ବର୍ଷ ପୂର୍ବେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଅଞ୍ଚଳର ଜଣେ ବର୍ଷୀୟାନ୍ ଜୈନ ମହିଳା ଦୁଇ ସପ୍ତାହ ଅନ୍ନ ଜଳ ତ୍ୟାଗ କରି ନିଜ ଇଚ୍ଛାରେ ମୃତ୍ୟୁବରଣ କଲେ । ଅକ୍ଟୋବର ୨୦୦୬ରେ ରାଜସ୍ଥାନ ରାଜ୍ୟରେ ତିନିଜଣ ବ୍ୟକ୍ତି ଏହିପରି ଭାବରେ ହେହତ୍ୟାଗ କରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣ ସ୍ତ୍ରୀ ଓ ଜଣେ ପୁରୁଷ । ସବୁଠାରୁ ବୟସ୍କା ସରଦାରି ଦେବୀ ଲୁନିଆ (୯୪ ବର୍ଷ) ଶ୍ୱେତାମ୍ବର ଜୈନ ପରମ୍ପରା ଅନୁସାରେ ୪୦ ଦିନ ଉପବାସ ରହିଥିଲେ । ତାଙ୍କ ପୂର୍ବରୁ ୬୯ ବର୍ଷ ବୟସ୍କା ବିମଳା ଦେବୀ ଓ ୭୦ ବର୍ଷ ବୟସ୍କ ଆଜମେରବାସୀ ଅମରଚାନ୍ଦ ସ୍ୱଇଚ୍ଛାରେ ପରଲୋକପ୍ରାପ୍ତ ହୋଇଥିଲେ । ବିମଳା ଦେବୀ କ୍ୟାନସର୍ ରୋଗରେ ପୀଡ଼ୀତ ହେଲେ ଓ ଦେହତ୍ୟାଗ ପାଇଁ ନିଜ ଗୁରୁଙ୍କଠାରୁ ଅନୁମତି ଓ ଆଶୀର୍ବାଦ ନେଇଥିଲେ । ଉପବାସ ରହି ଈଶ୍ୱରଙ୍କ ନାମ ନେଇ ସଂସାର ତ୍ୟାଗ ପରମ୍ପରାକୁ ଜୈନ ଧର୍ମରେ ‘ସନ୍ଥାରା’ କୁହାଯାଏ । ଏହାକୁ ଇଂରାଜୀ ଭାଷାରେ ‘ଟର୍ମିନାଲ ଫାଷ୍ଟ’ କହନ୍ତି ।

‘ସନ୍ଥାରା’କୁ ଏକ ପ୍ରକାର ଆତ୍ମହତ୍ୟା ବିଚାର କରି ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ନିଖିଲ ସୋନି ନାମକ ଜଣେ ଓକିଲଙ୍କ ପିଆଇଏଲ୍ ପିଟିସନ୍ ଏବେ ରାଜସ୍ଥାନ ହାଇକୋର୍ଟରେ ଦାଖଲ କରାଯାଇଛି । ଶ୍ୱେତାମ୍ବର ଜୈନ ସମାଜ ଏହାର ବିରୋଧ କରି କହନ୍ତି ଯେ, ସନ୍ଥାରା ତିନି ହଜାର ବର୍ଷ ପୁରାତନ ଏକ ଧାର୍ମିକ ପରମ୍ପରା । ଏହାକୁ ଆତ୍ମହତ୍ୟା ନାମ ଦେବା ଠିକ୍ ନୁହେଁ । ଜୀବନ ସଂଗ୍ରାମରେ ହାରି ଯାଇଥିବା ହତାଶାଗ୍ରସ୍ତ ଲୋକେ ଭାବପ୍ରବଣତାର ଶିକାର ହୋଇ ଆତ୍ମହତ୍ୟା କରିଥାନ୍ତି ।

ବିକଳ୍ପ ବିଶ୍ୱ ୧୦୧