ପୃଷ୍ଠା:Bikalpa Biswa.pdf/୧୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ଶହ ଶହ ସଂଖ୍ୟାରେ ଆଳୁ, ପିଆଜ, ଆଖୁଚାଷୀମାନେ ଫସଲ କ୍ଷତି ସହି ନ ପାରି ପ୍ରତିବର୍ଷ ଆତ୍ମହତ୍ୟା କରିଥାନ୍ତି । ବେକରେ ଦଉଡ଼ି ଲଗାଇ, ଚଳନ୍ତା ରେଳଗାଡ଼ି ଆଗରେ ଶୋଇ, କୂଅ, ପୋଖରୀରେ ବୁଡ଼ି, ଉଚ୍ଚ ପ୍ରାସାଦରୁ ଡେଇଁପଡ଼ି, ବିଷଖାଇ ଲୋକେ ଆତ୍ମହତ୍ୟା କରିବା କଥା ସମସ୍ତେ ଜାଣନ୍ତି । ଅନ୍ୟ ପକ୍ଷରେ ସନ୍ଥାରା ନେଉଥିବା ବ୍ୟକ୍ତି ତାଙ୍କର ସମସ୍ତ ସାଂସାରିକ କର୍ତ୍ତବ୍ୟ ସାରିବା ପରେ ଆଉ ବଞ୍ଚି ରହିବାକୁ ଚାହାନ୍ତି ନାହିଁ । ସେହିପରି ଯାହାଙ୍କର ଶରୀର ରୋଗଗ୍ରସ୍ତ ଓ ଅକ୍ଷମ ହୋଇ ପଡ଼େ, ସେହି ଶରୀରକୁ ସନ୍ଥାରା ମାଧ୍ୟମରେ ତ୍ୟାଗ କରିବାର ଦୃଷ୍ଟାନ୍ତ ବି ଅଛି । ଏହାଦ୍ୱାରା କାମନାର ବିନାଶ ଓ ଶରୀର ଶୁଦ୍ଧ ହୁଏ ବୋଲି ବିଶ୍ୱସ କରାଯାଏ । ଅଯୋଧ୍ୟା ରାଜା ରାମଚନ୍ଦ୍ର ନିଜ ପୁତ୍ରକୁ ରାଜ୍ୟଭାର ଦେଇ ସରଜୁ ନ‌ଦୀରେ ଲୀନ ହୋଇଥିଲେ ।

ସାଧାରଣତଃ ଜୀବନର ସ୍ୱାଦ ଚାଖିଥିବା ଲୋକେ ମୃତ୍ୟୁ ନାମ ଶୁଣିଲେ ଚମକି ପଡ଼ନ୍ତି । ଯକ୍ଷ ଯୁଧିଷ୍ଠିରକୁ ପ୍ରଶ୍ନ କରିଥିଲେ, ସଂସାରରେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ କ’ଣ ? ଉତ୍ତରରେ ଯୁଧିଷ୍ଠିର କହିଥିଲେ ଯେ ପ୍ରତିିଦିନ ମରୁଥିବା ଲୋକଙ୍କୁ ଦେଖି ମଧ୍ୟ ସଦା ବଞ୍ଚି ରହିବା ଇଚ୍ଛା ସଂସାରର ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ । ତେଣୁ ସ୍ୱଇଚ୍ଛାରେ ମରିବା କଥାଟା ଭାରି ଆଶ୍ଚର୍ଯ୍ୟ ଲାଗେ । ପାଣ୍ଡବ ଓ କୌରବଙ୍କ ପିତାମହ ଭୀଷ୍ମଙ୍କୁ କେବଳ ଇଚ୍ଛାମୃତ୍ୟୁର ବର ମିଳିଥିଲା । ଜନ୍ମ ନେଉଥିବା ସମସ୍ତ ଜୀବ ଏଠାରେ ମରୁଥିବାରୁ ପୃଥିବୀର ଅନ୍ୟନାମ ମର୍ତ୍ତ୍ୟଲୋକ । ଏହି ମର୍ତ୍ତ୍ୟଲୋକରେ ଯେଉଁ ସାତ ଜଣ ବ୍ୟକ୍ତି ଏବେ ବି ଅମର ରହିଛନ୍ତି ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ସେମାନେ ହେଲେ ଅଶ୍ୱତ୍ଥାମା, ବଳୀ, ବ୍ୟାସ, ହନୁମାନ, ବିଭୀଷଣ, କୃପାଚାର୍ଯ୍ୟ ଓ ପରଶୁରାମ ।

ଗତ କୋଡ଼ିଏ ବର୍ଷ ଧରି ପ୍ରତ୍ୟେକ ନାଗରିକଙ୍କୁ ମରିବା ଅଧିକାର ଦେବାପାଇଁ ପୃଥିବୀର ବିଭନ୍ନ ଦେଶରେ ବିଚାର, ଆଲୋଚନା, ବିବାଦ ଲାଗିରହିଛି । ବଞ୍ଚିବା ଅଧିକାର - ରାଇଟ୍ ଟୁ ଲାଇଫ୍ - ଭଳି ମରିବା ଅଧିକାରକୁ ମଧ୍ୟ ମୌଳିକ ଅଧିକାରଭୁକ୍ତ କରିବାପାଇଁ ସଭା, ଶୋଭାଯାତ୍ରା ହେଲାଣି । ୨୦୦୬ ମସିହା ମାର୍ଚ୍ଚ ମାସରେ କାଲିଫର୍ଣ୍ଣିଆରେ ହୋଇଥିବା ଏକ ଓପିନିଅନ୍ ପୋଲ୍ ବା ଜନମତ ସର୍ଭେରେ ଶତକଡ଼ା ୬୦ ଭାଗ ଲୋକ ମରିବା ଅଧିକାର ସପକ୍ଷରେ ମତ ଦେଇଛନ୍ତି । ଯେଉଁ ବ୍ୟକ୍ତି ମୃତ୍ୟୁ ଶଯ୍ୟାରେ ଘୋର ଦୁଃଖ କଷ୍ଟରେ ଘାଣ୍ଟି ହେଉଛନ୍ତି, ଯେଉଁମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ଅଚଳ, ଅକ୍ଷମ, ଅଥଚ ପ୍ରାଣ ଯାଉନାହିଁ, ହେ ଈଶ୍ୱର ମତେ ଚଞ୍ଚଳ ନେଇଯାଅ, ଉଦ୍ଧାର କର ବୋଲି ଯେଉଁମାନେ ଆକୁଳ ପ୍ରାର୍ଥନା କରୁଛନ୍ତି, ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମ୍‌ରେ ରଖି

୧୦୨ ବିକଳ୍ପ ବିଶ୍ୱ