ପୃଷ୍ଠା:Bikalpa Biswa.pdf/୧୦୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯେଉଁ ଦେଶଗୁଡ଼ିକରେ ପରିବାର ଭାଙ୍ଗିରୁଜି ଗଲାଣି, ସେଠାରେ ଶେଷ ଜୀବନ ଆହୁରି ଦୁଃସହ । ଏଠାରେ ସୁନିଶ୍ଚିତ ମୃତ୍ୟୁ ପୂର୍ବବର୍ତ୍ତୀ ଅବସ୍ଥାକୁ କଷ୍ଟହୀନ ଓ ଶାନ୍ତିପୂର୍ଣ୍ଣ କରିବାକୁ ଡାକ୍ତରମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି । ଏହାକୁ ହତ୍ୟା ବା ଆତ୍ମହତ୍ୟା ପର୍ଯ୍ୟାୟରୁ ଅଲଗା ଭାବେ ବିଚାର କରାଯାଉଛି । ଭାରତରେ ବି ଏ ବିଷୟରେ ଚର୍ଚ୍ଚା, ବିଚାର ଓ ମାନସ ମନ୍ଥନ ଆରମ୍ଭ ହେଲାଣି । ୨୦୦୫ ମସିହାରେ ଡକ୍ଟର ଫାରହଦ କାପାଡିଆ, ମନୋଜ ସିଂ ଓ ଜିଗୀଶୁ ଦିରାଟିଆ ବମ୍ବେ ନଗରୀର ବିଭିନ୍ନ ଆଇସିୟୁରେ ଥିବା ୧୪୩ ଜଣ ସୁନିଶ୍ଚିତ ମୃତ୍ୟୁମୁଖୀ ରୋଗୀଙ୍କ ଉପରେ କରିଥିବା ଅଧ୍ୟୟନରୁ ଜଣାପଡେ ଯେ ୪୯ ଜଣ ରୋଗୀଙ୍କୁ ସ୍ୱାଭାବିକ ମୃତ୍ୟୁପାଇଁ ସହଯୋଗ ମିଳିଥିଲା । ପାଶ୍ଚାତ୍ୟ ଦେଶମାନଙ୍କରେ ଶତକଡ଼ା ନବେ ମୃତ୍ୟୁକୁ ଅପେକ୍ଷା କରିଥବା ରୋଗୀଙ୍କୁ ଏପରି ସହାୟତା ମିଳୁଥିବା ବେଳେ ଭାରତର ବଡ଼ ବଡ଼ ସହରମାନଙ୍କରେ ଶତକଡ଼ା ଆଠ ଜଣକୁ ଏହି ସହଯୋଗ ମିଳେ । ଆଇନ୍ ଏ ବିଷୟରେ ନୀରବ ଥିବାଯୋଗୁଁ ଡାକ୍ତରମାନେ ନିଷ୍ପତ୍ତି ନେବାପାଇଁ ସଙ୍କୋଚ କରନ୍ତି । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଗ୍ରାମାଞ୍ଚଳର ନିଶ୍ଚିତ ମୃତ୍ୟୁମୁଖୀ ରୋଗୀମାନଙ୍କୁ ସେମାନଙ୍କର ପରିବାରର ଲୋକେ ଡାକ୍ତରଖାନାରୁ ଘରକୁ ନେଇ ଯାଇଥାନ୍ତି । ଏବେ “ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେଆର୍ ମେଡିସିନ୍” ଏ ବିଷୟରେ ଡାକ୍ତରମାନଙ୍କପାଇଁ ଏକ ନିର୍ଦ୍ଦେଶିକା ପ୍ରସ୍ତୁତ କରି ରାଷ୍ଟ୍ରୀୟ ଆଇନ୍ କମିଶନଙ୍କ ଅଧ୍ୟୟନପାଇଁ ପଠାଇଛନ୍ତି । ଏହା ପରେ ଲୋକସଭାରେ ଏକ ବିଲ୍ ଆସିବାପାଇଁ ଉଦ୍ୟମ ହେବ । ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟର ଦୁଇଜଣ ବିଧାୟକ - ଲୟଡ଼୍ ଲେଭିନ୍ ଓ ଡି ଭାନ୍ ହୁଏ, ଏକ ଡ୍ରାଫ୍ଟ ବିଲ୍ (ଏବି-୬୫୧) ଜରିଆରେ ତାଙ୍କ ଦେଶରେ ସମର୍ଥନ ଏକଜୁଟ କଲେଣି । ଏବି-୬୫୧ ଅନୁସାରେ ଯେଉଁ ରୋଗୀଙ୍କ ଛ’ମାସ ଭିତରେ ମୃତ୍ୟୁ ସୁନିଶ୍ଚିତ ସେ ସୁଖ ଇଚ୍ଛା ମୃତ୍ୟୁପାଇଁ ଡାକ୍ତରଙ୍କ ପରାମର୍ଶ ଓ ଔଷଧ ନେଇ ପାରିବେ । ରୋଗୀଙ୍କର ଅନୁରୋଧ ପ୍ରକୃତରେ ଇଚ୍ଛାକୃତ କି ନାଇଁ ସେ ସମ୍ପର୍କରେ ଡାକ୍ତର ଆଗ ଅନୁଧ୍ୟାନ କରି ନିଜେ ସନ୍ତୁଷ୍ଟ ହେବେ ଏବଂ ୧୫ ଦିନ ଅପେକ୍ଷା କରି ସାରିଲା ପରେ ପରାମର୍ଶ ଓ ମେଡିସିନ୍ ଦେବେ । ଡାକ୍ତରଙ୍କ ପରାମର୍ଶ ଓ ଔଷଧ ପ୍ରେସ୍କ୍ରିପ୍‌ସନ୍ କୋର୍ଟ କଚେରିର ବିଚାର ପରିସରକୁ ଆସିବ ନାହିଁ । ଭାରତରେ ଲ’ କମିଶନ ବା ଆଇନ୍ କମିଶନ ଏ ସମ୍ପର୍କରେ ଏକ ଚାରିଶହ ପୃଷ୍ଠାର ରିପୋର୍ଟ ପାର୍ଲିଆମେଣ୍ଟରେ ଆଲୋଚନାପାଇଁ ପଠାଇଛନ୍ତି । “ଟର୍ମିନାଲ୍ ରୋଗୀଙ୍କର ମେଡିକାଲ୍ ଟ୍ରିଟମେଣ୍ଟ” ପାଇଁ କମିଶନ ସାତୋଟି ଅତି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଯଦି ସମ୍ପୃକ୍ତ ବ୍ୟକ୍ତି ନାବାଳକ ନୁହଁନ୍ତି ଏବଂ ମାନସିକ ଦୃଷ୍ଟିରୁ ବ୍ୟବସ୍ଥିତ, ଡାକ୍ତର ତାଙ୍କର ଇଛାମୃତ୍ୟୁପାଇଁ ଅନୁରୋଧକୁ ପ୍ରତ୍ୟାଖାନ ୧୦୪

ବିକଳ୍ପ ବିଶ୍ୱ