ପୃଷ୍ଠା:Bikalpa Biswa.pdf/୧୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପୃଥୁଳ ପୃଥିବୀ

ପୃଥିବୀରେ ପ୍ରଥମଥରପାଇଁ ପୃଥୁଳକାୟଙ୍କ ସଂଖ୍ୟା କ୍ଷୀଣକାୟଙ୍କ ସଂଖ୍ୟାକୁ ଟପି ଯାଇଛି । ‘ମୋଟାପା’ ବିଶାରଦ ପ୍ରଫେସର ବାରି ପପ୍‌କିନ‌ଙ୍କ ଗବେଷଣା ଓ ହିସାବ ଅନୁଯାୟୀ ଏବେ ପୃଥିବୀରେ ପୁଷ୍ଟିକର ଖାଦ୍ୟ ଅଭାବ ହେତୁ ୮୦ କୋଟି ଲୋକଙ୍କର ଓଜନ ଆବଶ୍ୟକତାଠାରୁ କମ୍ ଅଛି । କିନ୍ତୁ ଅପର ପକ୍ଷରେ ଆବଶ୍ୟକତାଠାରୁ ଅଧିକ ଓଜନର ଲୋକଙ୍କ ସଂଖ୍ୟା ଏବେ ୧୦୦ କୋଟିକୁ ଟପିଗଲାଣି । ଏବେ ବି ଏସିଆ ଓ ଆଫ୍ରିକା ମହାଦେଶର ଅନେକ ଅଞ୍ଚଳରେ ଲକ୍ଷ ଲକ୍ଷ ଅଳ୍ପ - ଓଜନର ପିଲା ଜନ୍ମ ହେଉଛନ୍ତି । ‘ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ - ୩’ (୨୦୦୫) ରିପୋର୍ଟ ଅନୁସାରେ ଭାରତରେ ତିନିବର୍ଷ ବୟସରୁ କମ୍ ପ୍ରତି ତିନିଟି ପିଲାଙ୍କ ମଧ୍ୟରୁ ଜଣଙ୍କର ଓଜନ ଆବଶ୍ୟକତାଠାରୁ କମ୍ । ପଞ୍ଚସ୍ତରି ଭାଗ ଶିଶୁ ରକ୍ତହୀନତା ବା ଆନିମିଆଗ୍ରସ୍ତ । ଓଡ଼ିଶାରେ ପ୍ରତି ଶହେରୁ ୧୮ ଜଣ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ମିଳେ ନାହିଁ ଏବଂ ୭ ଜଣ ପ୍ରଥମ ଜନ୍ମବାର୍ଷିକୀ ପର୍ଯ୍ୟନ୍ତ ବଞ୍ଚି ରହିପାରନ୍ତି ନାହିଁ । ମଧ୍ୟପ୍ରଦେଶରେ ୧୦୦ ରୁ ୬୦ ଅଳ୍ପ ଓଜନ ଶିଶୁ ଜନ୍ମ ନିଅନ୍ତି । ଉପଯୁକ୍ତ ପୋଷଣ ଅଭାବରୁ ପୃଥିବୀରେ ପ୍ରତି ମିନିଟ୍‌ରେ ୨୩ ଜଣ ଶିଶୁଙ୍କର ମୃତ୍ୟୁ ଘଟେ । ଅତି ଓଜନ ଓ ଅଳ୍ପ ଓଜନ - ଉଭୟ ମାନବ ସ୍ୱାସ୍ଥ୍ୟପାଇଁ ବିପଦ ସଙ୍କେତ ।

ଭାରତରେ ସବୁଜ ବିପ୍ଳବ ଓ ଗଣତନ୍ତ୍ର ଉଭୟ ଦୁର୍ଭିକ୍ଷ କବଳରୁ ଦେଶକୁ ରକ୍ଷା କରିଥାଇ ପାରନ୍ତି, କିନ୍ତୁ ଗତ ୨୦ ବର୍ଷ ମଧ୍ୟରେ ଏଠାରେ ଲୋକଙ୍କର ଖାଇବା ଅଭ୍ୟାସରେ କ୍ରାନ୍ତିକାରୀ ପରିବର୍ତ୍ତନ ଘଟିଛି । ସହରାଞ୍ଚଳରେ ଏବେ ଅଧିକ ଲୋକ ପରିବା ରାନ୍ଧି ଖାଇବା ଅପେକ୍ଷା ‘ପ୍ରୋସେସ୍‌ଡ୍’ ଖାଦ୍ୟ ଖାଉଛନ୍ତି । ଅଧିକ ‘ରିଫାଇନ୍‌ଡ୍’ ଖାଦ୍ୟ ଅଧିକ ଶର୍କରା, ଅଧିକ ଲୁଣ, ଅଧିକ ତେଲ ଓ ଚର୍ବିଜାତ ଦ୍ରବ୍ୟ, ଅଧିକ ମାଂସ, ଅଧିକ ଆଜେବାଜେ ‘ଜଙ୍କ ଫୁଡ୍’ ଏବଂ ବାହାର ଖାଦ୍ୟ ଖାଇବା ଫଳରେ ସେମାନଙ୍କ ଶରୀରର

୧୦୬ ବିକଳ୍ପ ବିଶ୍ୱ