ପୃଷ୍ଠା:Bikalpa Biswa.pdf/୧୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଜନ ବଢ଼ିଯାଉଛି । ପାଣି ନ ପିଇ ସଫ୍ଟ ଡ୍ରିଙ୍କ ପିଇବା, ଠିକ୍ ସମୟରେ ଖାଦ୍ୟ ନ ଖାଇବା, ଦୀର୍ଘ ସମୟ ଧରି ଚୌକିରେ ବସି କାମ କରିବା, ବ୍ୟାୟାମ ନ କରିବା, ମାଦକ ଦ୍ରବ୍ୟ ସେବନ କରିବା ଏବଂ ସର୍ବୋପରି ଷ୍ଟ୍ରେସ୍ ବା ଚାପଯୋଗୁଁ ମଧ୍ୟ ଓଜନ ବଢ଼ିଯାଉଛି । ମାକ୍‌ଡୋନାଲ୍‌ଡ, କେଣ୍ଟକି ଫ୍ରାଏଡ୍ ଚିକେନ୍, ପିଜା ହଟ୍ ଓ କୋକାକୋଲା ଏବେ ଦେଢ଼ଶହ ଦେଶରେ ‘ମୋଟାପା’ ବଢ଼ାଇବାରେ ଲାଗିଛନ୍ତି ।

ମିଳିତ ରାଷ୍ଟ୍ରସଙ୍ଘ ଖାଦ୍ୟ ଓ କୃଷି ସଂସ୍ଥାଙ୍କ ହିସାବ ଅନୁସାରେ ପୃଥିବୀରେ କୁପୋଷଣଗ୍ରସ୍ତ ବ୍ୟକ୍ତିଙ୍କ ସଂଖ୍ୟା ଦୁଇଗୁଣ ହେଲେ, ଅତିପୋଷଣଦ୍ୱାରା ପ୍ରଭାବିତଙ୍କ ସଂଖ୍ୟା ତିନିଗୁଣ । ‘ମୋଟାପା’ କେବଳ ଧନୀ ଲୋକଙ୍କ ରୋଗ ନୁହେଁ । ଆମେରିକାରେ ଧନୀ ଓ ମଧ୍ୟବିତ୍ତଙ୍କ ମଧ୍ୟରେ ୨୯ ପ୍ରତିଶତ ମୋଟା ଲୋକ ଥିବା ବେଳେ ଅଳ୍ପ ଆୟ କରୁଥବା ଲୋକଙ୍କ ମଧ୍ୟରେ ୩୫ ପ୍ରତିଶତ ହେଉଛନ୍ତି ମୋଟା । ଏହି ଦେଶରେ ପ୍ରାୟ ୧୬ ପ୍ରତିଶତ ଶିଶୁଙ୍କର ଓଜନ ଅଧିକ । କିନ୍ତୁ ଗରିବ ପରିବାରରେ ବଢ଼ୁଥିବା ୨୩ ପ୍ରତିଶତ ଶିଶୁ ମୋଟା । ବ୍ରାଜିଲ୍ ଦେଶରେ ଏବଂ ବିଶେଷ କରି ସହରାଞ୍ଚଳରେ ଧନୀଙ୍କ ଅପେକ୍ଷା ଗରିବମାନେ ମୋଟା । ଇଂଲଣ୍ଡରେ ୪୬ ପ୍ରତିଶତ ପୁରୁଷ ଓ ୩୨ ପ୍ରତିଶତ ମହିଳାଙ୍କର ଓଜନ ବେଶୀ ।

ଚୀନ୍ ଦେଶର ଲୋକେ ଆଗେ ସାଇକେଲ୍‌ରେ ଯିବା ଆସିବା ପସନ୍ଦ କରୁଥିଲେ । ଏବେ ପ୍ରତି ଘରେ ଟିଭି ଏବଂ ପ୍ରତି ୭ ଜଣରୁ ଜଣଙ୍କର ମୋଟର କାର୍ । ଫଳରେ ଚୀନ୍‌ରେ ‘ମୋଟାପା’ ବଢ଼ିବାରେ ଲାଗିଛି । ବିଶେଷକରି ଯାହାଙ୍କର ଗାଡ଼ି ଅଛି ସେମାନଙ୍କ ମଧ୍ୟରୁ ଶତକଡା ଅଶୀ ଭାଗ ଲୋକ ଅଗାଡ଼ିବାଲାଙ୍କ ଅପେକ୍ଷା ଅଧିକ ମୋଟା । ଚୀନ୍‌ରେ ଗତ ୨୦ ବର୍ଷ ଭିତରେ ମାଂସାହାରୀଙ୍କ ସଂଖ୍ୟା ତିନିଗୁଣ ବଢ଼ିଗଲାଣି । ବିକାଶଶୀଳ ଦେଶମାନଙ୍କରେ ଲୋକେ ବର୍ଷକୁ ଶହେକୋଟି ଷାଠିଏ ଲକ୍ଷ ମେଟ୍ରିକ୍ ଟନ୍ ମାଂସ ଭକ୍ଷଣ କରୁଛନ୍ତି । ଏହା ବିକଶିତ ଦେଶମାନଙ୍କ ଅପେକ୍ଷା ପାଞ୍ଚ ଗୁଣରୁ ଅଧିକ । ଏଥିରୁ ଅଧିକାଂଶ, ଶରୀରରେ ବିଭିନ୍ନ ଢଙ୍ଗରେ ଗଚ୍ଛିତ ରହି ଓଜନ ବଢ଼ାନ୍ତି । ଓଜନିଆ ଶରୀର ରୋଗର ଗନ୍ତାଘର । ଭୋକ ଅପେକ୍ଷା ଭୋଜନ ଓ ଓଜନ ଜଣକୁ ମୃତ୍ୟୁର ଦ୍ୱାରଦେଶକୁ ଶୀଘ୍ର ଟାଣିନିଏ ।

ସେହିପରି ‘ଚର୍ବି ଚିଜ୍ ଡ଼ିମ୍ପଲ୍ ଚିନ୍’ (ଗୋଲ୍ ଗୋଲ୍ ଗାଲ) ଥିବା ଶିଶୁଙ୍କୁ ସ୍ୱାସ୍ଥ୍ୟବାନ ଭାବିବା ଠିକ୍ ନୁହେଁ । ମା’ମାନେ ପିଲାଙ୍କୁ ଅତି ଭୋଜନ କରାଇବା ଅଭ୍ୟାସ ଛାଡ଼ିବାକୁ ପଡିବ । କାରଣ ଯେଉଁ ପିଲା ଜନ୍ମର ଦୁଇବର୍ଷ ଭିତରେ ମୋଟା ହୋଇଯାଆନ୍ତି, ସେମାନଙ୍କ ଭିତରୁ ଅଧେରୁ ଅଧିକା ପରବର୍ତ୍ତୀ ଜୀବନ କାଳରେ ମୋଟା

ବିକଳ୍ପ ବିଶ୍ୱ ୧୦୭