ପୃଷ୍ଠା:Bikalpa Biswa.pdf/୧୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରହିଯାନ୍ତି । ତେଣୁ ପେଟ ପୂରାଇବା ଅପେକ୍ଷା କମାଇବା କଷ୍ଟକର । ଗରିବ ଲୋକଙ୍କ ପାଇଁ ଏହା ଆହୁରି କଷ୍ଟକର, କାରଣ ସେମାନଙ୍କ ପାଖରେ ‘ଜିମ୍’ ଯିବାକୁ ବା ‘ମୋଟାପା’ଯୋଗୁଁ ହେଉଥିବା ରୋଗର ଚିକତ୍ସା ପାଇଁ ପଇସା ନଥାଏ । ଇଂଲଣ୍ଡରେ ଡାଏଟିଂ ଓ ସ୍ଲିମିଂ ଟାବ୍‌ଲେଟ୍‌ପାଇଁ ଲୋକେ ବର୍ଷକୁ ହଜାରେ କୋଟି ଟଙ୍କା ଖର୍ଚ୍ଚ କରନ୍ତି । ପୃଥିବୀରେ ପ୍ରତି ବର୍ଷ ‘ମୋଟାପା’ କମାଇବା, ୧ ଲକ୍ଷ ୪୦ ହଜାର କୋଟି ଟଙ୍କାର ବ୍ୟବସାୟ ହେଲାଣି । ୨୦୦୪ ମସିହାରେ ପୃଥିବୀରେ ପୃଥୁଳଙ୍କପାଇଁ ୧୫୦ କୋଟି ଟଙ୍କାର ସ୍ୱତନ୍ତ୍ର ଷ୍ଟ୍ରେଚର୍ ତିଆରି କରାଯାଇଥିଲା । ୨୦୧୨ ମସିହାରେ ଏ ବାବଦ ଖର୍ଚ୍ଚ ୨୫୦ କୋଟି ହେବ । ସ୍ୱତନ୍ତ୍ର ଲିଫ୍ଟପାଇଁ ଖର୍ଚ୍ଚ ହେବ ୧୯୩ ମିଲିଅନ୍ ଡଲାର ବା ୯୬୦ କୋଟି ଟଙ୍କା ।

ଓଜନ‌ଦାର ବ୍ୟକ୍ତିମାନେ କେବଳ ନିଜେ ଖର୍ଚ୍ଚାନ୍ତ ହୁଅନ୍ତି ନାହିଁ ବା କଷ୍ଟ ଭୋଗନ୍ତି ନାହିଁ, ଏହାର ପ୍ରଭାବ ସମାଜରେ ପଡିଥାଏ । ସେମାନଙ୍କପାଇଁ ଡାକ୍ତରଖାନାରେ ବଡ଼ ବଡ଼ ଷ୍ଟ୍ରେଚର କିଣାଯାଏ । ଉଡ଼ାଜାହାଜରେ ସ୍ୱତନ୍ତ୍ର ବସିବା ବ୍ୟବସ୍ଥା କରାଯାଏ । ଅଧିକ ପେଟ୍ରାଲ ଖର୍ଚ୍ଚ ହୋଇଥାଏ । ମୋଟା ଲୋକଙ୍କୁ ପ୍ରାକୃତିକ ବିପଦରୁ ରକ୍ଷା କରିବାପାଇଁ ଅଧିକ ସମୟ, ଅଧିକ ଲୋକ ଦରକାର ହୁଅନ୍ତି । ‘ସୁପରସାଇଜ୍’ ଆମେରିକାନ୍‌ମାନଙ୍କୁ ଅଗ୍ନିକାଣ୍ଡରୁ ଉଦ୍ଧାର କରିବାକୁ ଯାଇ ଏବେ ଫାୟାର ବ୍ରିଗେଡ୍‌ର ଅନେକ କର୍ମୀ ହତାହତ ହୋଇଛନ୍ତି । ବହୁତଳ ପ୍ରାସାଦରୁ ଏମାନଙ୍କୁ ଉଦ୍ଧାର କରିବା ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର । ଉଦାହରଣ ସ୍ୱରୂପ ଅଗଷ୍ଟ ୨୦୦୩ ମସିହାରେ ଜଣେ ୭୭୨ ପାଉଣ୍ଡ ଓଜନର ମହିଳାଙ୍କୁ ଉଦ୍ଧାର କରିବାକୁ ୨୨ ଜଣ ଦମକଳ କର୍ମଚାରୀଙ୍କୁ ଅଢ଼େଇ ଘଣ୍ଟା ଲାଗିଥଲା । ନ୍ୟୁୟର୍କ ସିଟିରେ ଅଚେତ ଅବସ୍ଥାରେ ଥିବା ଜଣେ ୧୦୮୦ ପାଉଣ୍ଡ ଓଜନିଆ ବ୍ୟକ୍ତିଙ୍କୁ ମୋଟେଲ୍‌ରୁ ଉଠାଇ ହସ୍ପିଟାଲ୍ ନେବାପାଇଁ ତିନିଟି ମେଡିକାଲ୍ ୟୁନିଟ୍, ୪ଟି ଫାୟାର ୟୁନିଟ୍ ଓ ୨୫ ଜଣ କର୍ମଚାରୀଙ୍କୁ ୩ ଘଣ୍ଟା ସମୟ ଲାଗିଲା । ୨୦୦୨ ମସିହାରୁ ଫିନିକ୍ସ ଟ୍ରାନ୍ସପୋର୍ଟ କମ୍ପାନୀ ପୃଥୁଳଙ୍କପାଇଁ ସ୍ୱତନ୍ତ୍ର ବସ୍ ଚଳାଉଛନ୍ତି ।

ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଚାହିଁଲେ ବି ନିଜର ଓଜନ କମାଇ ପାରନ୍ତି ନାହିଁ । ବଂଶାନୁଗତ ‘ମୋଟାପା’ ଏହାର ଏକ ପ୍ରଧାନ କାରଣ । ପ୍ରତିିନର ରୁଟିନ୍, ପରିବେଶ, ଜୀବନଯାପନ ପ୍ରଣାଳୀ, ମିଳୁଥିବା ଖାଦ୍ୟ, ହଜମ ଶକ୍ତି ଇତ୍ୟାଦି ଅନେକ କାରଣ ଉପରେ ବହୁ ବ୍ୟକ୍ତିଙ୍କର ନିୟନ୍ତ୍ରଣ ନଥାଏ । କିନ୍ତୁ ନିରନ୍ତର ସଚେତନ ରହିଲେ ପ୍ରତ୍ୟେକ ବ୍ୟକ୍ତି ଏହି ଆହ୍ୱାନକୁ ମୁକାବିଲା କରିପାରିବେ । ଏହାଛଡ଼ା ଖାଦ୍ୟ ସମ୍ପର୍କରେ କେତେକ ବିଶ୍ୱାସ ଓ ଅଭ୍ୟାସ ମଧ୍ୟ

୧୦୮ ବିକଳ୍ପ ବିଶ୍ୱ