ପୃଷ୍ଠା:Bikalpa Biswa.pdf/୧୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅନେକ ଇସ୍‌ଲାମୀୟ ଦେଶରେ ଧାର୍ମିକ କାରଣରୁ ଶୁକ୍ରବାର ଦିନ କର୍ମଚାରୀଙ୍କୁ ଛୁଟି ଦିଆଯାଏ । କିନ୍ତୁ ଏବେ ଏହି ପ୍ରଥାର ପୁନର୍ବିଚାର ହେଲାଣି ଏବଂ କେତେକ ଦେଶରେ ଶୁକ୍ରବାର ବଦଳରେ ରବିବାରକୁ ସାପ୍ତାହିକ ଛୁଟି ଦିବସ ଭାବରେ ରଖାଯାଇଛି । କାରଣ ଶୁକ୍ରବାର ଦିନ ବିଶ୍ୱ ବଜାର ଖୋଲା ଓ ଇସ୍‌ଲାମୀକ୍ ଦେଶମାନଙ୍କ ଅଫିସ୍ ଓ ବଜାର ବନ୍ଦ ରହୁଥିବାଯୋଗୁଁ ଏ ଦେଶମାନେ ବିପୁଳ କ୍ଷତି ସହୁଥିଲେ । ଇଂଲଣ୍ଡରେ ମାସିକ ଦରମା ନ ଦେଇ ସାପ୍ତାହିକ ଦରମା ଦିଆଯାଏ । ଆଉ କେତେକ ଦେଶରେ ଘଣ୍ଟାକୁ ଘଣ୍ଟା ହିସାବରେ ପାରିଶ୍ରମିକ ଦିଆଯାଏ । ପୁଣି କର୍ମଚାରୀ ନିଜ ସମୟକୁ ବିଭିନ୍ନ ସଂସ୍ଥା, କାର୍ଯ୍ୟାଳୟ ଓ କମ୍ପାନିମାନଙ୍କୁ ବିକନ୍ତି । ଏହା ଫଳରେ ଜଣେ ବ୍ୟକ୍ତି ଗୋଟିଏ ଦିନରେ ତିନିଟି ଅଫିସ୍‌ପାଇଁ କାମ କରିପାରନ୍ତି । ମାଳଦ୍ୱୀପରେ ଜଣେ ସରକାରୀ ଚାକିରିରେ ଥାଇ ପାର୍ଲାମେଣ୍ଟ ମେମ୍ବର ହୋଇପାରିବ ।

ଜାପାନ୍, ମାଲେସିଆ, ସିଙ୍ଗାପୁର ଓ ଇଣ୍ଡୋନେସିଆ ଭଳି ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କରେ କର୍ମଚାରୀମାନଙ୍କୁ କର୍ମ ବନ୍ଧନରେ ବାନ୍ଧି ରଖିବାକୁ ବିଭିନ୍ନ ଆକର୍ଷଣୀୟ ଉପାୟ ଓ ପଦ୍ଧତି ପ୍ରୟୋଗ ହୁଏ । ଉାହରଣ ସ୍ୱରୂପ ସିଙ୍ଗାପୁରରେ ମନ୍ତ୍ରୀ ଓ ସିଭିଲ୍ ସର୍ଭାଣ୍ଟମାନଙ୍କୁ ସବୁଠୁ ଅଧିକ ଦରମା ଦିଆଯାଏ । ସେଠାରେ ଏକ ଲୋକପ୍ରିୟ ଉକ୍ତି ଅଛି - ‘ଇଫ୍ ୟୁ ଗିଭ୍ ପି ନଟସ୍, ୟୁ କ୍ୟାନ ଗେଟ୍ ଓନ୍‌ଲି ମଙ୍କିଜ୍’ ଅର୍ଥାତ୍ ଚିନାବାଦାମ ଫିଙ୍ଗିଲେ କେବଳ ମାଙ୍କଡ଼ମାନେ ମିଳିବେ । ତେଣୁ ଅଳ୍ପ ଦରମାରେ ଅଧିକ ଦକ୍ଷ, ସଚ୍ଚୋଟ କର୍ମଚାରୀ ମିଳିବେ ନାହିଁ । କିନ୍ତୁ ଏହି ଉକ୍ତି ସବୁ ସ୍ଥଳରେ ପ୍ରଯୁଜ୍ୟ ନୁହେଁ । ଭାରତରେ ପଞ୍ଚମ ବେତନ କମିଶନ ଓ ୟୁଜିସି ମୋଟା ଦରମା ଦ୍ୱାରା ବ୍ୟୁରୋକ୍ରାସି ବା ଅଧ୍ୟାପକମାନଙ୍କ ମଧ୍ୟରେ ଦକ୍ଷତା ବା ନିଷ୍ଠା ବଢ଼ିଲା ନାହିଁ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି ।

କିନ୍ତୁ ଶ୍ରୀ ସୁହାର୍ତୋ ଇଣ୍ଡୋନେସିଆର ପ୍ରେସିଡେଣ୍ଟ ଥିଲା ବେଳେ କେତେକ ନୂଆ ବ୍ୟବସ୍ଥା ପ୍ରବର୍ତ୍ତନ କରି କର୍ମଚାରୀଙ୍କ ଉପସ୍ଥିତି ଓ କାର୍ଯ୍ୟକ୍ଷତା ବଢ଼ାଇବାରେ ସକ୍ଷମ ହୋଇଥିଲେ । ପୃଥିବୀର ସର୍ବବୃହତ୍ ମୁସ୍‌ଲିମ୍ ଦେଶ ହେଲା ଇଣ୍ଡୋନେସିଆ । ସୁହାର୍ତ୍ତୋ ଏକ ଅଧ୍ୟୟନରୁ ଜାଣିଲେ, କର୍ମଚାରୀମାନେ ଅଫିସ୍ ସମୟରେ ଦୁଇରୁ ତିନି ଥର ନମାଜ ପାଇଁ, ଦୁଇ ଥର ଚା’ପାଇଁ ଓ ଥରେ ମଧ୍ୟାହ୍ନ ଭୋଜନପାଇଁ ଏପରି ଦିନରେ ପାଞ୍ଚଥର ଅଫିସ୍ ଛାଡ଼ି ଯାଉଛନ୍ତି । ଏହା ଫଳରେ ସରକାରୀ କାର୍ଯ୍ୟ ବିଶେଷ ବାଧାପ୍ରାପ୍ତ ହେଉଛି । ଏହା ଜାଣି ଇଣ୍ଡୋନେସିଆ ସରକାର କର୍ମଚାରୀମାନଙ୍କପାଇଁ ମାଗଣାରେ ଦୁଇଥର ଚା, ମଧ୍ୟାହ୍ନ ଭୋଜନ ଓ ସେକ୍ରେଟାରିଏଟ୍‌ର ପ୍ରତି ମହଲାରେ ପୁରୁଷ ଓ ସ୍ତ୍ରୀ କର୍ମଚାରୀମାନଙ୍କପାଇଁ ଧାର୍ମିକ ପ୍ରାର୍ଥନାର ବ୍ୟବସ୍ଥା କରିଦେଲେ ।

ବିକଳ୍ପ ବିଶ୍ୱ ୧୬୧