ପୃଷ୍ଠା:Bikalpa Biswa.pdf/୧୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏକ ଅଂଶ ବୋଲି ବିଚାର କରୁ । ପ୍ରାଚୀନ ସଂସ୍କୃତି ଓ ଇସ୍‌ଲାମ ଧର୍ମ ଦୁଇଟି ଅଲଗା ଜିନିଷ । ଧର୍ମ କେବେହେଲେ ନିଜ ସଂସ୍କୃତି ଓ ପରମ୍ପରାକୁ ପରିତ୍ୟାଗ କରିବାକୁ କୁହେ ନାହିଁ । ଧର୍ମ ପରିବର୍ତ୍ତନ ହୋଇଗଲେ ଇତିହାସ ପରିବର୍ତ୍ତନ ହୁଏ ନାହିଁ । କେବଳ ବିଶ୍ୱାସ ପରିବର୍ତ୍ତନ ହୁଏ । “ଇଣ୍ଡୋନେସିଆ ଆରବ ହୋଇଯାଏ ନାହିଁ, ଆମ ନ‌ଦୀ ପର୍ବତ ବଦଳି ଯାଆନ୍ତି ନାହିଁ, ଆମ ରୂପ ରଙ୍ଗ, ଚେହେରା ଯେମିତି ଥିଲା ସେମିତି ଅଛି ।”

ଇଣ୍ଡୋନେସିଆର ସାଧାରଣ ଲୋକଙ୍କ ଏପରି ବିଚାର ଧାରା ବିବାଦମୁକ୍ତ ନୁହେଁ । ପାକିସ୍ଥାନ, ବାଂଲାଦେଶ ଓ କେତେକ ଆରବ ଦେଶରୁ ଏଠାକୁ ଆସିଥିବା ମୁଲ୍ଲାମାନେ ଏହାକୁ ପସନ୍ଦ କରନ୍ତି ନାହିଁ । ଜାକର୍ତା, ସୁରବାୟା, କାଲିମନ୍ତନ, ଯୋଗଜାକର୍ତା ପ୍ରଭୃତି ସହରରେ ଏହି ମୁଲ୍ଲାମାନେ ନିଜ ପ୍ରଭାବ ବିସ୍ତାର କରି ଇଣ୍ଡୋନେସୀୟମାନଙ୍କୁ ସେମାନଙ୍କର ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ଇସ୍‌ଲାମ ବିରୋଧୀ କହି ପରିତ୍ୟାଗ କରିବାକୁ ବାଧ୍ୟ କରୁଛନ୍ତି । ମୁଁ ଇଣ୍ଡୋନେସିଆରେ ଥିବା ସମୟରେ ଜଣେ ହେଲେ ବୁର୍ଖା ପିନ୍ଧା ମହିଳା ଦେଖିବାକୁ ପାଇନଥିଲି । ସେହିପରି ମାଲେସିଆ, ବ୍ରୁନେଇରେ ମଧ୍ୟ ଇସ୍‌ଲାମ୍‌ର ଏକ ଉଦାର ଚେହେରା ଦେଖିବାକୁ ମିଳେ । ଗତ ପନ୍ଦର ବର୍ଷ ଭିତରେ ଦକ୍ଷିଣ ପୂର୍ବ ଏସିଆର ଏହି ଅଞ୍ଚଳରେ ଅନେକ ପରିବର୍ତ୍ତନ ହେଲାଣି । କଠୋରପନ୍ଥୀମାନଙ୍କ ପ୍ରଭାବ ବଢ଼ିଲାଣି । ଇଣ୍ଡୋନେସିଆର ବାଲି ଉପଦ୍ୱୀପରେ ଦୁଇ ବର୍ଷ ତଳେ ବୋମା ବିସ୍ଫୋରଣରେ ଶତାଧିକ ଟୁରିଷ୍ଟଙ୍କ ମୃତ୍ୟୁରୁ ଏହା ସ୍ପଷ୍ଟ ଜଣାପଡ଼େ । ଅନ୍ୟଥା, ଏ ଦେଶର ଲୋକେ ସ୍ୱଭାବରେ ଅତ୍ୟନ୍ତ ଭଦ୍ର, ଶାନ୍ତଶିଷ୍ଟ ଓ ମେଳାପୀ । ଖୁବ୍ ହସ, ପରିହାସ ପ୍ରିୟ । ବେଶ ପୋଷାକରେ ସଂଯତ । ମହିଳାମାନେ ନିଜର ବକ୍ଷ, ସ୍କନ୍ଧଭାଗ ଓ ପାଦ ଆବୃତ ରଖିଥାନ୍ତି । ବଳାତ୍କାର ଘଟଣା ବିରଳ । ଭାରତ ଭଳି ବାମ ହସ୍ତରେ କୌଣସି ଜିନିଷ ଦେବା ନେବା ଲୋକେ ପସନ୍ଦ କରନ୍ତି ନାହିଁ ଓ ଏହା ଅଶୁଭ ବୋଲି ଭାବନ୍ତି । ଓଡ଼ିଶା ଭଳି ଭାତ, ମାଛ ପ୍ରିୟ ଖାଦ୍ୟ । ରମଜାନ ଉପାସ ବେଳେ ବିଡ଼ି, ସିଗାରେଟ୍, ଜୁଆ ଓ ମଦ୍ୟପାନ ନିଷିଦ୍ଧ ।

ବିଶ୍ୱର ସବୁଠାରୁ ଅଧିକ ମୁସଲମାନ ରହନ୍ତି ଇଣ୍ଡୋନେସିଆରେ, ତା’ପଛକୁ ଭାରତରେ । ଭାରତ ଭଳି ବିଭିନ୍ନ ଧର୍ମାବଲମ୍ବୀ ଓ ପ୍ରାୟ ୫୦ ପ୍ରକାର ଆଦିବାସୀ ଏଠାରେ ରହନ୍ତି । ଭୌଗୋଳିକ ଦୃଷ୍ଟିରୁ ବିରାଟ ଦେଶ । ଦ୍ୱୀପ, ଉପଦ୍ୱୀପ ସଂଖ୍ୟା ତେର ହଜାରରୁ ଅଧିକ । ୧୯୪୯ ମସିହାରେ ଡଚ୍ ଶାସନ କବଳରୁ ସ୍ୱାଧୀନ ଇଣ୍ଡୋନେସିଆର ପ୍ରଥମ ଓ ପ୍ରଧାନ ସମସ୍ୟା ଥିଲା କିପରି ୧୩ ହଜାର ଦ୍ୱୀପପୁଞ୍ଜରେ ବିଭକ୍ତ ଦେଶକୁ ଏକାଠି ରଖାଯିବ । ସେତେବେଳେ ଦ୍ୱୀପପୁଞ୍ଜ ମଧ୍ୟରେ ଗମନାଗମନର