ପୃଷ୍ଠା:Bikalpa Biswa.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଶାରେ ପ୍ରାୟ ଦୁଇଶହରୁ ଅଧିକ କମ୍ପାନି, ବ୍ୟାବସାୟିକ ସଂସ୍ଥା, ଖଣି ଲିଜ୍‌ଧାରୀ, କଳକାରଖାନା ଓ ପ୍ରାୟ ସେତିକି ସଂଖ୍ୟାର ବ୍ୟାଙ୍କ, ସର୍ଭିସ୍ ସେକ୍ଟର ସଂସ୍ଥା କାମ କରି ଆସୁଛନ୍ତି । ଏମାନଙ୍କ ଲାଭର ପରିମାଣ ଓଡ଼ିଶା ବଜେଟ୍‌ରେ ପଚାଶ ଗୁଣରୁ ଅଧିକ । ଏହି ସଂସ୍ଥାମାନେ ନିଜ ଲାଭର ମାତ୍ର ୧୦ ଭାଗ ଅନୁନ୍ନତ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଓ ଜୀବିକା ଉନ୍ନୟନରେ ଖର୍ଚ୍ଚ କଲେ ଅଚିରେ ଓଡ଼ିଶାରୁ ଦାରିଦ୍ର୍ୟ ଲୋପ ପାଇବ । ଗ୍ରାମାଞ୍ଚଳରେ କାମ କରୁଥିବା ସଚ୍ଚୋଟ ସ୍ୱେଚ୍ଛାସେବୀ ସଂଗଠନର ସହଯୋଗ ନେଲେ ଏ କାମ ଆହୁରି ତ୍ୱରାନ୍ୱିତ ହୋଇପାରିବ । ଦୁଇ ଚାରିଟି କମ୍ପାନି ଏକାଠି ହୋଇ ଗୋଟିଏ ଲେଖାଏଁ ଜିଲ୍ଲାର ଦାୟିତ୍ୱ ନେଇ ପାରିବେ । ଯୋଜନାବଦ୍ଧ ଭାବରେ କାମ କଲେ ଲୋକେ ଶୀଘ୍ର ଦାରିଦ୍ର୍ୟ ସୀମାରେଖା ଟପିଯିବେ । ଏହା ହେଲେ ସେମାନଙ୍କର କ୍ରୟ ଶକ୍ତି ବଢିବ । କ୍ରୟ ଶକ୍ତି ବଢିଲେ ବାଣିଜ୍ୟ ବ୍ୟବସାୟ ମଧ୍ୟ ବଢିବ । ଦେଶର ସମ୍ପତ୍ତି ବଢିବ । ସମସ୍ତଙ୍କର ଲାଭ, ଶୁଭ ଓ ସମସ୍ତେ ବିଜୟୀ ହେବେ ।

ଯେ ଦିଏ ସେ ଶ୍ରୀ ଓ ସୁନ୍ଦର । ଲକ୍ଷ୍ମୀ ସମସ୍ତଙ୍କୁ ଦିଅନ୍ତି, ତେଣୁ ସେ ସମସ୍ତଙ୍କଠାରୁ ସୁନ୍ଦର । ଏହି କାରଣରୁ ଦାତାଙ୍କୁ କୁହାଯାଏ ‘ନବମ ରତ୍ନ’ । ଦେଶରେ ହଜାର ହଜାର ମନ୍ଦିରରେ ଲକ୍ଷ୍ମୀଙ୍କ ପୂଜା ହୁଏ । କୁବେରଙ୍କ ନାଁରେ ଗୋଟିଏ ହେଲେ ମନ୍ଦିର ନାହିଁ । ତାଙ୍କର ରୂପ ମଧ୍ୟ କୁତ୍ସିତ । ତେଣୁ ଯେ କେବଳ ଜମା କରି ସମ୍ପତ୍ତି ବଢ଼ାଉଥାଏ ସେ କଦାକାର । ତେଣୁ କର୍ପୋରେଟ୍‌ମାନେ ଦାନ କରି ଲକ୍ଷ୍ମୀ ହେବେ କି ଜମା କରି କୁବେର ହୋଇ ରହିବେ ନିଜେ ନିଷ୍ପତ୍ତି ନିଅନ୍ତୁ । ଏହି ନିଷ୍ପତ୍ତି ଉପରେ ସେମାନେଙ୍କର ସାମାଜିକ ପ୍ରତିଷ୍ଠା ଓ ସ୍ୱୀକୃତି ନିର୍ଭର କରିବ ।

୨୨ ବିକଳ୍ପ ବିଶ୍ୱ