ପୃଷ୍ଠା:Bikalpa Biswa.pdf/୨୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାରତରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ରାଜା ରାମମୋହନ ରାୟ, ବିବେକାନନ୍ଦ, ରାମସ୍ୱାମୀ ନାଇକରଙ୍କ ଭଳି ବିଦ୍ୱାନମାନେ ଏପରି ଅଜ୍ଞତା ଆଧାରିତ ବିଶ୍ୱାସ ବିରୋଧରେ ସ୍ୱର ଉତ୍ତୋଳନ କଲେ । ଏହା ପୂର୍ବରୁ ସପ୍ତଦଶ ଶତାବ୍ଦୀରେ ଇହୁଦୀ ଦାର୍ଶନିକ ବେନେଡିକ୍ଟ ସ୍ପିନାଜୋ ବିଭିନ୍ନ ଧର୍ମରେ ଅନୁପ୍ରବେଶ କରିଥିବା ଅନ୍ଧବିଶ୍ୱାସଗୁଡିକର ବୈଜ୍ଞାନିକ ସମାଲୋଚନାର ପରମ୍ପରା ଆରମ୍ଭ କଲାରୁ ତାଙ୍କୁ ସମାଜରୁ ବାସନ୍ଦ ଓ ବିତାଡ଼ିତ କରାଯାଇଥିଲା । କିନ୍ତୁ ସ୍ପିନୋଜାଙ୍କ ଦର୍ଶନ ସପକ୍ଷରେ ହେତୁବାଦୀ ଆନ୍ଦୋଳନ ପୃଥିବୀର ବିଭିନ୍ନ ଅଞ୍ଚଳରେ ବ୍ୟାପିବାକୁ ଲାଗିଲା । ବହୁବର୍ଷ ପରେ ଭାରତୀୟ ଉପମହାଦେଶରେ ଉଦ୍ଭିଦ ବିଜ୍ଞାନୀ ଟି ଆବ୍ରାହମ୍ କୋଭୁର୍ ୨୦୦ରୁ ଅଧିକ ଅଲୌକିକ ଗୁଣି, ଗାରେଡି, ତନ୍ତ୍ର, ମନ୍ତ୍ର ପ୍ରଭାବିତ ଘଟଣାର ବୈଜ୍ଞାନିକ ଅନୁସନ୍ଧାନ ଓ ବିଶ୍ଲେଷଣ କରିବାରୁ ଜଣା ପଡିଲା ଯେ ସେ ମଧ୍ୟରୁ କେତେକ ଧୋକାବାଜି ଓ ଅନ୍ୟଗୁଡିକ ସାଧାରଣ ଜ୍ଞାନ ଓ ବିଜ୍ଞାନସମ୍ମତ ଘଟଣା - ଅଲୌକିକ ନୁହେଁ । ଆମେରିକାର ଜଣେ ଖ୍ୟାତନାମା ସାମ୍ବାଦିକ ଜେମ୍‌ସ୍ ହଟ୍ ତାଙ୍କର ଏକ ବହୁ ଚର୍ଚ୍ଚିତ ପୁସ୍ତକ “ଦୁଇ ହଜାର ବର୍ଷର ଅନ୍ଧବିଶ୍ୱାସ”ରେ ଅନ୍ଧବିଶ୍ୱାସ ବିରୁଦ୍ଧରେ ସଂଗ୍ରାମ କରିଥିବା ବହୁ ବିଶିଷ୍ଟ କବି, କଳାକାର, ଦାର୍ଶନିକ ଓ ଚିନ୍ତା ନାୟକଙ୍କ ଜୀବନ କାହାଣୀ ବର୍ଣ୍ଣନା କରିଛନ୍ତି । ସେମାନଙ୍କ ଭିତରେ ଅଛନ୍ତି ଭୋଲଟାୟାର୍, ଟଲଷ୍ଟୟ, ସିଗ୍‌ମଣ୍ଡ ଫ୍ରଏଡ୍, ଆବ୍ରାହାମ୍ ଲିଙ୍କନ୍, ସ୍ପିନୋଜା, ଡାରୱିନ୍, ଗାଲିଲିଓ, ବାର୍ଣ୍ଣାଡ୍ ଶ’ ଇତ୍ୟାଦି ।

ମନସ୍ତତ୍ୱବିତ୍‌ମାନେ ଅନ୍ଧବିଶ୍ୱାସ ଓ ଧୋକାବାଜିକୁ ଚାରି ଭାଗରେ ବିଭକ୍ତ କରିଥାନ୍ତି । ସେଗୁଡ଼ିକ ହେଲା :- (୧) ଶାରୀରିକ କୌଶଳ (୨) ରାସାୟନିକ କୌଶଳ (୩) ଯାନ୍ତ୍ରିକ କୌଶଳ ଓ (୪) ମନସ୍ତାତ୍ତ୍ୱିକ କୌଶଳ । ସେହିପରି ଭୂତ, ପ୍ରେତ, ଡାହାଣୀ ଚିରୁଗୁଣୀଙ୍କର ମା’ ହେଲେ ଅନ୍ଧାର ଓ ଭୟ । ଭୂତ, ପ୍ରେତାବିଷ୍ଟ ବୋଲି କୁହାଯାଉଥିବା ବ୍ୟକ୍ତି ପ୍ରକୃତରେ ଅପସ୍ମାର ବାତ, ଥାଇରଏଡ୍ କିମ୍ବା ପାରାଥାଇରଡ ଗ୍ରନ୍ଥିର ଅନିୟମିତତା, ପିଟୁଇଟାରି ଗ୍ରନ୍ଥିର ବୈଦ୍ୟୁତିକ ତରଙ୍ଗ, ମାନସିକ ଅଶାନ୍ତି, ନିଶାଦ୍ରବ୍ୟର ପ୍ରଭାବ, ଅନୁକରଣ ପ୍ରଭାବ ଏବଂ କ୍ଷେତ୍ର ବିଶେଷରେ କୃମି ଦୋଷରୁ ଏପରି ଆଚରଣ ଦେଖାଇଥାନ୍ତି । ସେମାନେ ବାରମ୍ବାର ମୂର୍ଚ୍ଛା ଯାଆନ୍ତି । ଗୋଟିଏ ଶରୀରରେ ଗୋଟିଏ ଆତ୍ମା ଥିବା ଯଦି ସତ୍ୟ, ତେବେ ସେ ଶରୀରରେ ଆଉ ଗୋଟିଏ ମୃତାତ୍ମା ବା ପ୍ରେତାତ୍ମା ପ୍ରବେଶ ଏକ ଉଦ୍ଭଟ କଳ୍ପନା ।

ଅନେକ ସମୟରେ ଚତୁର କାମାସକ୍ତ ଗୁଣିଆମାନେ ଡାହାଣୀ ଲାଗିଥିବା ନାରୀଙ୍କ ହେରୁ ଭୂତ ଛଡାଇବା ନାଁରେ ଅନ୍ଧାର ରାତିରେ ନିର୍ଜନ ସ୍ଥାନକୁ ଡାକି ନେଇ ଯୌନ

ବିକଳ୍ପ ବିଶ୍ୱ ୨୩୩