ପୃଷ୍ଠା:Bikalpa Biswa.pdf/୨୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶୋଷଣ କରନ୍ତି । ଯେଉଁ ଭୂତ ପ୍ରେତର ଅବସ୍ଥିତି ନାହିଁ, ସେଇ କାଳ୍ପନିକ ଚରିତ୍ରମାନ ଆମ ଦେଶର ପିଲାଙ୍କୁ କୁହାଯାଇ ସେମାନଙ୍କୁ ସାରା ଜୀବନ ଡରୁଆ କରି ଦିଆଯାଏ । ଲୋକଙ୍କୁ କୁହାଯାଏ ଠାକୁରାଣୀ ଲାଗିଚି । ଦୁର୍ବଳମନା ଭକ୍ତଙ୍କୁ ଏହି ଠାକୁରାଣୀଙ୍କ ଅଭିଶାପ କାମ କଲା ଭଳି ଲାଗେ । ସେହିପରି ଗାଁ ମଶାଣିଠାରେ ରାତିରେ ବାଦୁଡ଼ି ଫଡ଼ ଫଡ଼ ବା ଛାଇ ଆଲୁଅ, ବିଶ୍ୱାସୀଙ୍କପାଇଁ ଭୂତ, ପିଶାଚ, ଚିରୁଗୁଣୀ ଭାବେ ଉଭା ହୁଅନ୍ତି । ଯେଉଁ ଦୃଢ଼ମନା ଏଥିରେ ବିଶ୍ୱାସ କରନ୍ତିନି ତାଙ୍କପାଇଁ ବାଦୁଡ଼ି । ସତ୍ୟର ଉଜ୍ଜ୍ୱଳ ଆଲୋକରେ ଭୂତ ପ୍ରେତ ଦିଶନ୍ତି ନାହିଁ, କେବଳ ରାତ୍ରିର ଅନ୍ଧାରୀ ବିଶ୍ୱାସରେ ଏମାନେ ଉଭା ହୁଅନ୍ତି ।

ବୈଜ୍ଞାନିକ ଦୃଷ୍ଟିକୋଣର ପ୍ରଚାର ଓ ପ୍ରସାର ଭାରତୀୟ ସମ୍ବିଧାନର ନିର୍ଦ୍ଦଶ । ଏହାକୁ ପାଠ୍ୟକ୍ରମରେ ସାମିଲ କଲେ ପିଲାମାନଙ୍କ ଭୟ ଛାଡ଼ିଯିବ, ମନ ସୁସ୍ଥ ରହିବ । ଧାମିକ ବିଶ୍ୱାସରୁ ଅନ୍ଧବିଶ୍ୱାସ ହଟାଇ ଦେଲେ ଧର୍ମ ବି ଅଧିକ ସଫା ସୁତରା ଦେଖାଯିବ । ପ୍ରତ୍ୟେକ ଧର୍ମର ଅନୁଗାମୀମାନେ ନିଜ ନିଜ ଧର୍ମ ବଳୟ ମଧ୍ୟରେ ଏ ସମ୍ପର୍କରେ ମୁକ୍ତ ଚର୍ଚ୍ଚା, ଆଲୋଚନା ଆରମ୍ଭ କରନ୍ତୁ । ଅନ୍ଧଗଳିରେ ବନ୍ଦ ଏ କଏଦୀମାନଙ୍କୁ ଉଦ୍ଧାର କରନ୍ତୁ ।

୧୮ ଜୁନ୍, ୨୦୦୯

୨୩୪ ବିକଳ୍ପ ବିଶ୍ୱ