ପୃଷ୍ଠା:Bikalpa Biswa.pdf/୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୃଶବିଦ୍ଧ କଲାପରେ ତାଙ୍କ ବିଚାର ପ୍ରମୁଖ ଧର୍ମରେ ପରିଣତ ହେଲା । ଗାନ୍ଧୀ, ଲିଙ୍କନ, ମାର୍ଟିନ୍ ଲୁଥର କିଙ୍ଗଙ୍କ ହତ୍ୟାକାରୀମାନଙ୍କୁ ଲୋକେ ଇତିହାସର ଅଳିଆଗଦାରେ ଫୋପାଡ଼ି ଦେଇ ଏହି ମହାତ୍ମାମାନଙ୍କ ବିଚାରକୁ ସମ୍ମାନ ଦେଲେ । କୁଳଗୁରୁ ବଶିଷ୍ଠ, ଆଦି ଶଙ୍କରାଚାର୍ଯ୍ୟ ଓ ବୁଦ୍ଧଙ୍କ ଉପରେ ବାରମ୍ବାର ଆକ୍ରମଣ କରାଯାଇଥିଲା । ବିଶ୍ୱ ବିଖ୍ୟାତ ବୈଜ୍ଞାନିକମାନେ ପ୍ରଥମେ ରକ୍ଷଣଶୀଳ ଚର୍ଚ୍ଚ ଆକ୍ରମଣର ଶିକାର ହୋଇଥିଲେ । ଏହା ଫଳରେ ସେମାନଙ୍କର ଆଧ୍ୟାତ୍ମିକ ଓ ବୈଜ୍ଞାନିକ ବିଚାରଧାରା ଅଟକି ଗଲା ନାହିଁ ।

କନ୍ଧମାଳ କନ୍ଦଳର ଏବେ କାରଣ ଖୋଜା ଚାଲିଛି । ଜାଲିଆତିରେ ଜମି ଚୋରି, ଜାତି ଓ ଧର୍ମ ଚୋରି, ଚାକିରି ଚୋରି, ଶଠତା, ପ୍ରଲୋଭନ, ପ୍ରତାରଣା ଇତ୍ୟାଦି ଅନେକ କାରଣ ଦର୍ଶାଯାଉଛି । ଯେଉଁମାନେ କନ୍ଧମାଳ ଯାଇ ଆସିଲେଣି, ସେମାନଙ୍କ ମଧ୍ୟରୁ ଅନେକ, ଦାରିଦ୍ର୍ୟ ଓ ଶୋଷଣ ମୂଳ କାରଣ ବୋଲି କହୁଛନ୍ତି । ଧର୍ମାନ୍ତର ଓ ପ୍ରତିଧର୍ମାନ୍ତର ଆଉ ଏକ ପ୍ରଧାନ କାରଣ ବୋଲି କୁହାଯାଉଛି । ଗଣମାଧ୍ୟମରେ ମିସନ୍ ଟୁ ଦି ୱାର୍ଲଡ, ଆଡଭେଣ୍ଟିଷ୍ଟ ଚର୍ଚ୍ଚ, ଚର୍ଚ୍ଚ ଅଫ୍ ଖ୍ରୀଷ୍ଟ, ବିଶ୍ୱ ରିଲିଜିଅସ୍ କାଉନ୍‌ସିଲ୍ ଓ ଏଡି-୨୦୦୦ ଆଣ୍ଡ ବିୟଣ୍ଡ ଭଳି ଧାର୍ମିକ ସଂସ୍ଥାମାନଙ୍କର ଭାରତରେ ବ୍ୟାପକ ଧର୍ମାନ୍ତରୀକରଣ ଯୋଜନା ପ୍ରକାଶ ପାଇବା ଫଳରେ ସଂଖ୍ୟାଗରିଷ୍ଠଙ୍କ ମନରେ ଉଦ୍‌ବିଗ୍ନତା ସୃଷ୍ଟି ହୋଇଛି ।

ଏକ ଧାର୍ମିକ ସଂସ୍ଥାଦ୍ୱାରା ଦେଶରେ କେଉଁ ଲୋକମାନେ ଦରିଦ୍ର ଓ ନିର୍ଯ୍ୟାତିତ ଓ ଧର୍ମାନ୍ତରପ୍ରବଣ ସେମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ଟାଇମ୍‌ସ ଅଫ୍ ଇଣ୍ଡିଆ ଖବର ଛାପିଛନ୍ତି (୦୭.୦୯.୨୦୦୮) । ଏହାର ସତ୍ୟାସତ୍ୟ ଅନୁସନ୍ଧାନ ନ କରି ଲୋକେ ବିଶ୍ୱାସ କରିଯାଉଛନ୍ତି । କିନ୍ତୁ ଏ ତାଲିକା ମିଛ ବୋଲି ଏ ପର୍ଯ୍ୟନ୍ତ କୌଣସି ନେତୃସ୍ଥାନୀୟ ଧର୍ମାଧିକାରୀ ଖଣ୍ଡନ କରିନାହାନ୍ତି । ଏହି ତାଲିକାରେ ଯେଉଁ ଧର୍ମାନ୍ତରପ୍ରବଣ ଜାତିମାନଙ୍କୁ ଚିହ୍ନଟ କରାଯାଇଛି, ସେମାନେ ହେଲେ ଗୁଜୁରାଟ ଓ ରାଜସ୍ଥାନର ଭିଲ, ସିକିମ୍‌ର ଭୁଟିଆ ଓ ଓଡ଼ିଶ।ର ପାଣ ଓ କନ୍ଧ । ଅନ୍ୟମାନେ ହେଲେ ବିଂଝୱାରୀ, କୁମାରୀ, ଲୋବା, ଚେରୋ, ମଝୱାର, ପାଣିକା, ସିନା ଇତ୍ୟାଦି । ଏମାନେ ରହୁଥିବା ଅଞ୍ଚଳର ସାମାଜିକ, ସାଂସ୍କୃତିକ, ଧାର୍ମିକ ଓ ଆର୍ଥିକ ମାନଚିତ୍ର ଓ ଧର୍ମାନ୍ତର ରଣ କୌଶଳ ପ୍ରସ୍ତୁତ ହୋଇସାରିଛି ବୋଲି ‘ଟାଇମ୍‌ସ ନିଉଜ୍ ନେଟ୍‌ୱର୍କ’ ଖବର ଛାପିଛନ୍ତି । ଏହି ଯୋଜନା ବିରୋଧରେ କେତେକ ହିନ୍ଦୁ ମୌଳବାଦୀ ସଂଗଠନ ‘ପ୍ରତିଧର୍ମାନ୍ତରୀକରଣ’ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଉଭୟ ଗୋଷ୍ଠୀ ଏହା ସେମାନଙ୍କର ମୌଳିକ ଅଧିକାର ବୋଲି ଦାବି କରୁଛନ୍ତି । ଏହା ସଙ୍ଗେ ସଙ୍ଗେ ଚର୍ଚ୍ଚ ଓ ଆଶ୍ରମର ସଂଖ୍ୟା ବଢ଼ି ଚାଲିଛି ।

୨୪ ବିକଳ୍ପ ବିଶ୍ୱ