ପୃଷ୍ଠା:Bikalpa Biswa.pdf/୨୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଚାର କରାଯାଉଥିଲା । ତେଣୁ ସେମାନଙ୍କ ପାଦକୁ ପିଲାଦିନୁ ବାନ୍ଧି ଦିଆଯାଉଥିଲା । ଏଥିପାଇଁ ସ୍ୱତନ୍ତ୍ର ପାଦୁକାମାନ ବଜାରରେ ମିଳୁଥିଲା । ଷୋଡଶ ଓ ସପ୍ତଦଶ ଶତାବ୍ଦୀ ଥିଲା ଆବିଷ୍କାରର ଶତାବ୍ଦୀ । ଏହି ସମୟରେ ଆରମ୍ଭ ହେଲା ପାଦରୁ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବା ବୁଟ୍ ଜୋତା । ଇଂଲଣ୍ଡର ରାଜା ଚାର୍ଲସଙ୍କର ଦୁଇଟି ଗୋଡ଼ ରିକେଟ୍ ରୋଗ ଦ୍ୱାରା ପୀଡ଼ିତ ହୋଇ ଦୁର୍ବଳ ଥିବାରୁ ସେ ସଦାବେଳେ ଲମ୍ବା ବୁଟ୍ ପିନ୍ଧୁଥିଲେ । ତେଣୁ ତାଙ୍କୁ ଦେଖି ଅନ୍ୟମାନେ ସାଧାରଣ ଅବସ୍ଥାରେ ବି ବୁଟ୍ ପିନ୍ଧା ଆରମ୍ଭ କରିବାରୁ ଏହା ଏକ ଫେସନ ହୋଇଗଲା । ବିଂଶ ଶତାବ୍ଦୀରେ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଲମ୍ବା ବାଳ ରଖିବା ଓ ବଡ଼ ବଡ଼ ଜୋତା ପିନ୍ଧିବା ଫେସନ ଥିଲା । ଖେଳ କୁଦର ଲୋକପ୍ରିୟତା ଓ ପ୍ରତିଯୋଗିତା ବଢ଼ିବାରୁ ନୂଆ ନୂଆ ଜୋତା ବଜାରକୁ ଆସିଲା । ମହିଳାମାନେ ବିଭିନ୍ନ ରଙ୍ଗ ଢଙ୍ଗର ପାଦୁକା ବ୍ୟବହାର କଲେ । ସାଧାରଣ ଲୋକେ ଜୋତା ପିନ୍ଧିବା ଆରମ୍ଭ କଲେ । ତା’ପରେ ଜୋତା ସ୍କୁଲ ୟୁନିଫର୍ମର ଏକ ଅବିଛେଦ୍ୟ ଅଙ୍ଗ ହୋଇଗଲା ।

ଜୋତାଙ୍କ ଦୀର୍ଘ ଯାତ୍ରାରେ ଭାରତ ପୃଥିବୀର ଏକ ଆଗୁଆ ଦେଶ । ଜୋତା ଓ ଚମଡ଼ା ଶିଳ୍ପରେ ଆମର ପୃଥବୀରେ ଦ୍ୱିତୀୟ ସ୍ଥାନ । ଆମ ଦେଶରେ ବର୍ଷକୁ ଏକ କୋଟି ନବେ ଲକ୍ଷ ହଳ ଜୋତା ତିଆରି ହୁଏ ଓ ରପ୍ତାନି ହୁଏ । ଏଥିରେ ନିବେଶିତ ଅର୍ଥ ପରିମାଣ ପାଞ୍ଚହଜାର କୋଟିରୁ ଅଧିକ ଓ ପ୍ରାୟ ୧୫ ଲକ୍ଷ ପରିବାରର ଜୀବନ ଓ ଜୀବିକା ଜୋତା ଉପରେ ନିର୍ଭରଶୀଳ । ତେଣୁ ଜୈିଦି ଓ ଜର୍ନେଲଙ୍କ ଭଳି ଜୋତା ବ୍ୟବହାର ହେଲେ ଜୋତାର ସଂଜ୍ଞା ଓ ସ୍ୱରୂପ ବଦଳାଇବାକୁ ହେବ । ଜୋତାକୁ ଡିଜାଇନରମାନେ ‘ମିସାଇଲ’ ଆକାର ଦେବେ, ସାମ୍ବାଦିକ ସମ୍ମିଳନୀରେ ବ୍ୟବହାର ପାଇଁ ନୂଆ ଡିଜାଇନର ଖୋଜା ହେବେ, ମନ୍ତ୍ରୀମାନେ ହେଲ୍‌ମେଟ୍ ପିନ୍ଧି ସମ୍ମିଳନୀକୁ ଆସିବେ ବା କକ୍ଷରେ ପ୍ରବେଶ ପୂର୍ବରୁ ସାମ୍ବାଦିକଙ୍କ ପାଦୁକା କାଢ଼ି ନିଆଯିବ । ପାଦ ବ୍ୟଥା ଦୂର କରୁଥିବା ଜୋତା ମୁଣ୍ଡ ବ୍ୟଥାର କାରଣ ହେବ । ଜୋତା ଦେଖି ଲୋକେ ଡରିବେ । ଏହା ହେବ ଜୋତା ଜୀବନର ଏକ ଦୁଃଖଦାୟକ ନୂଆ ଅଧ୍ୟାୟ ।

୩୦ ଏପ୍ରିଲ୍, ୨୦୦୯

ବିକଳ୍ପ ବିଶ୍ୱ ୨୪୩