ପୃଷ୍ଠା:Bikalpa Biswa.pdf/୨୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କେତେ ପିଲା ପାସ୍ କରନ୍ତି ଓ ସେ ମଧ୍ୟରୁ କେତେ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ପାଆନ୍ତି ।

ଏହି ମାପକାଠିରେ ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶାର ସ୍ଥାନ ୨୯ - ଅଠେଇଶିଟି ରାଜ୍ୟ ତଳେ । ସ୍ୱାଧୀନତା ପରବର୍ତ୍ତୀ କାଳରେ ଓଡ଼ିଶାରେ ଅଭୂତପୂର୍ବ ଶିକ୍ଷାର ପ୍ରସାର ଘଟିଥିବା ସତ୍ତ୍ୱେ ଏଇ ଅବସ୍ଥା । ୧୯୪୭ରେ ଓଡ଼ିଶାରେ ୬ ହଜାରରୁ ଊଦ୍ଧ୍ୱର୍ ଶିକ୍ଷାନୁଷ୍ଠାନ ଏବେ ବଢ଼ି ୪୨ ହଜାର ହେଲାଣି । ୧୦୬ଟି ହାଇସ୍କୁଲ ବଢ଼ି ପ୍ରାୟ ୭ ହଜାର ହେଲାଣି । ୫ ଟି କଲେଜ ବଢ଼ି ଏବେ ହେଲାଣି ୨୦୯୫ ଓ ଶୂନ ବିଶ୍ୱବିଦ୍ୟାଳୟ ସଂଖ୍ୟା ଏବେ ହେଲାଣି ଏଗାର । କିନ୍ତୁ ଏବେ ବି ରାଜ୍ୟର ୭୩,୧୪୮ ଗାଁ ଓ ପଡ଼ା ମଧ୍ୟରୁ ୧୮ ପ୍ରତିଶତ ଅର୍ଥାତ୍ ୧୨୮୦୦ ଗାଁରେ ପ୍ରାଇମେରୀ ସ୍କୁଲ ନାହିଁ । କୋରାପୁଟ ଜିଲ୍ଲାର ପ୍ରାୟ ୧୧୦୦ ପଡ଼ା ଓ ଗାଁରେ ପ୍ରାଥମିକ ଶିକ୍ଷା ସୁବିଧା ନାହିଁ । ତା’ପଛକୁ ଅଛି ରାୟଗଡ଼ା ଓ ସୋନପୁର ।

ଶିକ୍ଷାନୀତି ଅନୁସାରେ ପ୍ରତି ଏକ ବର୍ଗ କିଲୋମିଟର ମଧ୍ୟରେ ରହୁଥିବା ୨୦୦ ରୁ ୩୦୦ ଲୋକଙ୍କପାଇଁ ଗୋଟିଏ ଲେଖାଏଁ ପ୍ରାଥମିକ ବିଦ୍ୟାଳୟ ରହିବା କଥା । ଓଡ଼ିଶ।ରେ ପ୍ରାୟ ୧୬ ଭାଗ ଅନୁସୂଚିତ ଜାତି ଓ ୨୭ ଭାଗ ଜନଜାତି ରହୁଥିବା ଅଞ୍ଚଳରେ ଏ ସୁବିଧା ନାହିଁ । ତେଣୁ ଏବେ ପାର୍ଲାମେଣ୍ଟରେ ‘ରାଇଟ୍ ଟୁ ଏଜୁକେସନ୍’ ବା ଶିକ୍ଷାଧିକାର ବିଲ୍ ପାସ୍ ହେଲା ପରେ ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆଉ ବାର ହଜାର ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ପଡ଼ିବ । ସେହିପରି ପ୍ରତି ପାଞ୍ଚ କିଲୋମିଟରରେ ଗୋଟିଏ ଲେଖାଏଁ ହାଇସ୍କୁଲ ଖୋଲିବାକୁ ପଡ଼ିବ, ଆସନ୍ତା ୩୦ ବର୍ଷ ପାଇଁ ।

ରାଷ୍ଟ୍ରୀୟ ଶିକ୍ଷାନୀତି ଅନୁସାରେ ପ୍ରତି ଦୁଇଟି ପ୍ରାଥମିକ ବା ପ୍ରାଇମେରି ସ୍କୁଲପାଇଁ ଗୋଟିଏ ଲେଖାଏଁ ଉଚ୍ଚ ପ୍ରାଥମିକ ବା ଅପର ପ୍ରାଇମେରି ଖୋଲିବା କଥା । ସେଇ ଅନୁସାରେ ଓଡ଼ିଶାରେ ଅତି କମ୍‌ରେ ୨୧ ହଜାର ଅପର ପ୍ରାଇମେରି ରହିବା କଥା, କିନ୍ତୁ ଅଛି ଏଗାର ହଜାର । ଶିକ୍ଷାର ଦ୍ୱିତୀୟ ପରିମାପକ ହେଲା ଭିତ୍ତିଭୂମି । କିନ୍ତୁ ଷଷ୍ଠ ‘ଅଲ୍ ଇଣ୍ଡିଆ ଏଡୁକେସନ୍ ସର୍ଭେ ରିପୋର୍ଟ’ ଅନୁସାରେ ଶତକଡା ୪୦ ଭାଗ ପ୍ରାଇମେରି ସ୍କୁଲଘର ପକ୍କା ନୁହେଁ । ସାତଶହଟି ସ୍କୁଲ ବିନା ଘରେ ଖୋଲା ପଡ଼ିଆରେ ଚାଲିଛି । ଅନେକ ସ୍କୁଲରେ ପିଇବା ପାଣି ଓ ଟଏଲେଟ୍ ବା ପାଇଖାନା ନାହିଁ । ବାଳିକା ବିଦ୍ୟାଳୟ ବନ୍ଦ କରି ଦିଆଯାଉଛି ।

ବିକଳ୍ପ ବିଶ୍ୱ ୨୪୫