ପୃଷ୍ଠା:Bikalpa Biswa.pdf/୨୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶିକ୍ଷକ, ଶିକ୍ଷୟିତ୍ରୀ ହେଲେ ଶିକ୍ଷା ବ୍ୟବସ୍ଥାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିମାପକ । କିନ୍ତୁ ସର୍ବଭାରତୀୟ ସ୍ତରରେ ଶିକ୍ଷକ ତାଲିମ ଓ ନିଯୁକ୍ତି ବଢ଼ୁଥିବା ବେଳେ ଓଡ଼ିଶାରେ ଏହା କମିବାରେ ଲାଗିଛି । ଏଠାରେ ଶିକ୍ଷା କର୍ମୀ, ସହାୟକ, ସେବକ ଦିନ ମଜୁରିଆ ଠାରୁ କମ୍ ଦରମାରେ ଶିକ୍ଷାର ଭିତ୍ତିଭୂମି ବୋଲି କୁହାଯାଉଥିବା ପ୍ରାଇମେରୀ ଶିକ୍ଷାକୁ ଚଳାଉଛନ୍ତି । ଚାଳିଶ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ପଦବୀ ଖାଲି ପଡିଛି । ପ୍ରତି ଷାଠିଏ ଜଣ ଛାତ୍ରଙ୍କପାଇଁ ଅତି କମ୍‌ରେ ଜଣେ ଶିକ୍ଷକ ରହିବା କଥା ।

ଉଚ୍ଚ ଶିକ୍ଷା ଅବସ୍ଥା ଏହାଠାରୁ ଖରାପ । ଏଠାରେ ମାର୍କେଟ୍‌ରୁ ମାଷ୍ଟ୍ରଙ୍କୁ ଭଡ଼ାରେ ଅଣାଯାଇ କାମ ଚଳା ଯାଉଛି । ଅଧିକାଂଶ ଶିକ୍ଷାନୁଷ୍ଠାନରେ ଦୂରରୁ ଆସୁଥିବା ପିଲାଙ୍କ ପାଇଁ ହଷ୍ଟେଲ ନାହିଁ । ଆଦିବାସୀ ଅଞ୍ଚଳର ପିଲାଏ ନିଜ ଭାଷାରେ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ । ତେଣୁ ସେ ଅଞ୍ଚଳରେ ସାକ୍ଷରତା ହାର ସବୁଠୁ କମ୍ । କୋଚିଂ ସେଣ୍ଟର ନାଁରେ ରାଜ୍ୟରେ ଏକ ସମାନ୍ତରାଳ ଶିକ୍ଷା ବ୍ୟବସ୍ଥା ଚାଲୁ ରହିଛି ।

ଶିକ୍ଷାର ଚତୁର୍ଥ ପରିମାପକ ହେଲା ‘ଇମ୍ପାକ୍ଟ’ ବା ଆମର ସମସ୍ତ ଶିକ୍ଷା ଉଦ୍ୟମର ଫଳାଫଳ କ’ଣ ? ଏବେ ବି ଆମ ରାଜ୍ୟର ୩୭ ଭାଗ ଲୋକ ନିରକ୍ଷର ଓ ଆଦିବାସୀମାନଙ୍କ ଭିତରେ ଏହାର ପରିମାଣ ଶତକଡା ୬୨ ଭାଗ । ପ୍ରତି ଛାତ୍ର ପିଛା ଶିକ୍ଷା ବ୍ୟୟରେ ଆମେ ବହୁ ରାଜ୍ୟଠାରୁ ପଛରେ ଅଛେ । ୬ ରୁ ୧୪ ବର୍ଷ ବୟସର ପ୍ରାୟ ୨୦ଭାଗ ପିଲା ସ୍କୁଲ ବାହାରେ ଅଛନ୍ତି । ଶିକ୍ଷା ବ୍ୟୟ ୧୯୯୪ ମସିହାର ସମୁଦାୟ ବଜେଟ୍‌ର ୧୭.୪୧% ଥିଲା ବେଳେ ଏବେ ତାହା କମି କମି ୨୦୦୭ରେ ହେଲାଣି ୭.୪୯% । ଅପର ପକ୍ଷରେ ଏକାଦଶ ପଞ୍ଚବାର୍ଷିକ ଯୋଜନା କାଳରେ କେନ୍ଦ୍ରର ଶିକ୍ଷା ବ୍ୟୟ ବଜେଟ୍‌ର ୧୯ ଭାଗ; ଦଶମ ପଞ୍ଚବାର୍ଷିକ ଯୋଜନାରେ ଥିବା ଶିକ୍ଷା ବଜେଟ୍‌ଠାରୁ ୫ ଗୁଣ ଅଧିକ । ତେଣୁ ଏବେ ଏକାଦଶ ପଞ୍ଚବାର୍ଷିକ ଯୋଜନାକୁ କୁହାଯାଉଛି ‘ଏକାଦଶ ଶିକ୍ଷା ଯୋଜନା’ ।

କିନ୍ତୁ ଏହି ଯୋଜନାର ସୁଫଳ ଓଡ଼ିଶାକୁ ମିଳିବ ନାହିଁ, କାରଣ ଆମର ସେଥିପାଇଁ ପ୍ରସ୍ତୁତି ନାହିଁ । ଶିକ୍ଷା ବିକାଶପାଇଁ ୨୦୧୨ ସୁଦ୍ଧା ଯେଉଁ ପାଞ୍ଚ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା ହୋଇଛି ସେଥିରୁ ଆମ ରାଜ୍ୟକୁ ଯାହା ମିଳିବ ତାକୁ ଖର୍ଚ୍ଚ କରିବାର ଶକ୍ତି ଆମର ନାହିଁ । ଆମ ରାଜ୍ୟ ଶିକ୍ଷା ବିଭାଗ ଛତିଶ ହଜାର ମାଲିମକଦ୍ଦମାରେ ଛନ୍ଦି ହୋଇ ଯାଇଛନ୍ତି, ଶିକ୍ଷାପାଇଁ ଚିନ୍ତା କରିବାକୁ କାହା ପାଖରେ ସମୟ ନାହିଁ । ଗ୍ରାମ୍ୟ ସ୍ତରରେ ପଞ୍ଚାୟତ ଓ ଶିକ୍ଷାବିଭାଗର ଦୈତ ଶାସନ ଚାଲିଛି ।

୨୪୬ ବିକଳ୍ପ ବିଶ୍ୱ