ପୃଷ୍ଠା:Bikalpa Biswa.pdf/୨୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସ୍କୁଲରେ ଉପସ୍ଥାନ ବଢାଇବାପାଇଁ କେନ୍ଦ୍ର ସରକାର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ୮୦ ପ୍ରତିଶତ ଅନୁାନ ଦିଅନ୍ତି । ସ୍କୁଲ ବାହାରେ ଥିବା ପିଲାଙ୍କୁ ସ୍କୁଲ ଆଣିବାକୁ ଚାଲିଛି ସର୍ବଶିକ୍ଷା ଅଭିଯାନ । କେବଳ ମଧ୍ୟାହ୍ନ ଭୋଜନପାଇଁ ଓଡ଼ିଶାକୁ କେନ୍ଦ୍ର ଅନୁଦାନ ବାର୍ଷିକ ପ୍ରାୟ ହଜାରେ କୋଟି ଟଙ୍କା । ଏହା ଓଡ଼ିଶା ବଜେଟ୍‌ର ଛଅ ଭାଗରୁ ଭାଗେ । ଏହା ଶିକ୍ଷାର ଗୁଣାତ୍ମକ ବିକାଶପାଇଁ କେତେ ଦୂର ସାହାଯ୍ୟ କରୁଛି ସେ ସମ୍ପର୍କରେ ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ବିଭିନ୍ନ ମତ ରହିଛି । ନିକଟରେ ଏକ ସର୍ବେକ୍ଷଣରୁ ଜଣାଯାଏ (ଏସ୍‌ର) ଯେ ଓଡ଼ିଶାରେ ପଞ୍ଚମ ଶ୍ରେଣୀରେ ପଢୁଥିବା ୪୪ ଭାଗ ପିଲା ଦ୍ୱିତୀୟ ଶ୍ରେଣୀପାଇଁ ଉଦ୍ଧିଷ୍ଟ ପଢ଼ା ବହି ପଢ଼ି ପାରନ୍ତି ନାହିଁ, କେବଳ ୩୨ ଭାଗ ମିଶାଣ, ଫେଡ଼ାଣ କରିପାରନ୍ତି, କେବଳ ୬୬ ଭାଗ ଘଣ୍ଟା ଦେଖି ଟାଇମ୍ କହିପାରନ୍ତି, ୬ ରୁ ୧୪ ବର୍ଷର ଶତକଡା ୭ ଭାଗରୁ ଅଧିକ ପିଲା ସ୍କୁଲ ଦୁଆର ଦେଖି ନାହାନ୍ତି । ଶିକ୍ଷକଙ୍କର ଲମ୍ବା ଜବ୍ ଚାର୍ଟ । ୭ ପିରିଅଡ୍ ପାଠ ପଢ଼ାଇବେ, ମଧ୍ୟାହ୍ନ ଭୋଜନ ତଦାରଖ କରିବେ, ନିର୍ବାଚନ, ଜନଗଣନା କାମ କରିବେ, ମିଟିଂ ଓ ଟ୍ରେନିଂ ଯିବେ, ଯାହା ପଢ଼ାଇବେ ତା’ର ପ୍ଲାନ୍ ତିଆରି କରିବେ ଇତ୍ୟାଦି । ଗୁଣାତ୍ମକ ଶିକ୍ଷାର ପ୍ରକୃତ ମାପ ଦଣ୍ଡ ହେଉଛି, କେତେ ଶିକ୍ଷକଙ୍କର ପିଲାଏ ସେଇ ସ୍କୁଲରେ ପଢ଼ୁଛନ୍ତି ଓ କେତେ ସରକାରୀ କର୍ମଚାରୀଙ୍କର ପିଲାଏ ସରକାରୀ ସ୍କୁଲରେ ପଢ଼ୁଛନ୍ତି ।

ସେହିପରି ଡ୍ରପ୍-ଆଉଟ୍ କାରଣ ସମ୍ପର୍କରେ ଅନ୍ୟ ଏକ ଅଧ୍ୟୟନରୁ ଜଣାଯାଏ ଯେ ଶିକ୍ଷାଦାନ ପ୍ରଣାଳୀରେ ଆଗ୍ରହ ଅଭାବରୁ ଶହେରୁ ୩୭ ପିଲା ସ୍କୁଲ ଛାଡ଼ି ଚାଲିଯାନ୍ତି । ଅଭିଭାବକଙ୍କ ଆଗ୍ରହ ଅଭାବରୁ ୧୨ ପ୍ରତିଶତ ସ୍କୁଲ ଛାଡ଼ନ୍ତି ଏବଂ ସ୍କୁଲରେ ଶିକ୍ଷା ସମ୍ପର୍କୀୟ ଚାପଯୋଗୁଁ ୧୬ଭାଗରୁ ଅଧିକ ପିଲା ପାଠ ଛାଡ଼ି ଦିଅନ୍ତି । କେବଳ ୧୧ ଭାଗ ପିଲା ଆର୍ଥିକ କାରଣରୁ ସ୍କୁଲ ଛାଡ଼ନ୍ତି । ତେଣୁ ପ୍ରଧାନ କାରଣ ହେଲା ଶିକ୍ଷାର ଗୁଣାତ୍ମକ ବିକାଶର ଅଭାବ, ଅଭିଭାବକଙ୍କ ଅର୍ଥାଭାବ ନୁହେଁ । ଏହି କାରଣରୁ ପ୍ରାଥମିକ ସ୍ତରରେ ମଧ୍ୟ ଆର୍ଥିକ ଅଭାବଗ୍ରସ୍ତ ଅଭିଭାବକମାନେ ଏବେ ପିଲାଙ୍କୁ ପ୍ରାଇଭେଟ୍ ସ୍କୁଲକୁ ପଠାଉଛନ୍ତି । ଓଡ଼ିଶାରେ ସରକାରୀ-ବେସରକାରୀ ସ୍କୁଲ ଅନୁପାତ ଏବେ ବି ୯୪:୬, କିନ୍ତୁ କେରଳରେ ପ୍ରତି ଶହେ ସ୍କୁଲରୁ ୪୨ ଟି ସରକାରୀ ଓ ୫୮ଟି ବେସରକାରୀ । କେରଳରେ ବଡ଼ ବଡ଼ କଳକାରଖାନା ନାହିଁ, କିନ୍ତୁ ବ୍ୟାପକ ଓ ସଫଳ ଶିକ୍ଷା ବ୍ୟବସ୍ଥାଯୋଗୁଁ ଏହି ରାଜ୍ୟକୁ ସିଙ୍ଗାପୁର ସହ ତୁଳନା କରାଯାଉଛି । ଆମ ଦେଶରେ ଶିକ୍ଷାରେ ଆଗୁଆ ରାଜ୍ୟମାନେ ହେଲେ କେରଳ, ଦିଲ୍ଲୀ, ତାମିଲନାଡ଼ୁ, ପଣ୍ଡିଚେରୀ, ଚଣ୍ଡୀଗଡ଼, କର୍ଣ୍ଣାଟକ, ହିମାଚଳ, ଆନ୍ଧ୍ର ଓ ମିଜୋରାମ । କିନ୍ତୁ ଶିକ୍ଷା ଦୃଷ୍ଟିରୁ ବିଶ୍ୱସ୍ତରରେ

ବିକଳ୍ପ ବିଶ୍ୱ ୨୪୭