ପୃଷ୍ଠା:Bikalpa Biswa.pdf/୨୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆସ ଶୁଣିବା ଗାନ୍ଧୀ କଥା

ସମ୍ବାଦରେ ‘ଆସ ଶୁଣିବା ଗାନ୍ଧୀ କଥା’ ହେଡ୍‌ଲାଇନ୍ ପଢ଼ି ଜଣେ ବନ୍ଧୁ ଟେଲିଫୋନ୍‌ରେ ପଚାରିଲେ ସତରେ ଆସୁଛନ୍ତି ନାରାୟଣ ଦେଶାଇ ? କେତେଦିନ ପାଇଁ । କେଉଁଠି ? କେତେବେଳେ ? ଉତ୍ତର ଦେଇ କହିଲି, ମାର୍ଚ୍ଚ ମାସ ୫ ତାରିଖ ଗୁରୁବାରଠୁ ୯ ତାରିଖ ସୋମବାର ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟା ୫.୩୦ରେ ଗାନ୍ଧୀ କଥା କହିବେ ନାରାୟଣ ଭାଇ । ଭଜନ, କୀର୍ତ୍ତନ, କାହାଣୀ ମାଧ୍ୟମରେ ବାପୁଙ୍କ ଜୀବନ, ଦର୍ଶନ, ଆଦର୍ଶ ଓ ସଂଘର୍ଷ ପରିବେଷଣ କରିବେ ଗାନ୍ଧୀବାଦର ଏହି ମହାନ୍ ପ୍ରବକ୍ତା । ସଚ୍ଚିବାଳୟ ମାର୍ଗରେ ରେଡକ୍ରସ୍ ଭବନ ପାଖ ସ୍ୱାଧୀନତା ସଂଗ୍ରାମୀ ପ୍ରାଙ୍ଗଣରେ ସଂଗ୍ରାମର ମହାନାୟକଙ୍କୁ ଆମ ପାଖରେ ପୁଣି ପହଞ୍ଚାଇବେ ନାରାୟଣ ଭାଇ । ଶୁଣି କହିଲେ ‘ଭୁବନେଶ୍ୱରରେ ଗାନ୍ଧୀ କଥା ? ଇଏତ ଲଙ୍କାରେ ହରି ଶବ୍ଦ ଭଳି ଲାଗୁଛି । କହିଲି - ଆପଣ ଆଗ ଆସନ୍ତୁ ଓ ଶୁଣନ୍ତୁ ଏବଂ ଶୁଣି ସାରିଲା ପରେ ଅନୁଭବ କରିବେ ଆପଣ ଲଙ୍କାରେ ନୁହେଁ, ଅଯୋଧ୍ୟା, ବୃନ୍ଦାବନ ବା ସାବରମତୀରେ ଅଛନ୍ତି । ଦେଶ ବିଦେଶର ୭୦ଟି ଜାଗାରେ ଲକ୍ଷାଧିକ ଲୋକଙ୍କୁ ଗାନ୍ଧୀ କଥା ଶୁଣାଇଲେଣି ନାରାୟଣ ଭାଇ । ଏବେ ଓଡ଼ିଶା ପାଳି । ଗାନ୍ଧୀଙ୍କ ପଟ୍ଟଶିଷ୍ୟ ମହାଦେବ ଦେଶାଇଙ୍କ ସୁପୁତ୍ର ନାରାୟଣ ଭାଇଙ୍କର ଓଡ଼ିଶା ସହ ସମ୍ପର୍କ ସ୍ୱତନ୍ତ୍ର । ଆମ ରାଜ୍ୟର ସର୍ବ ସମ୍ମାନିତ ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଓ ସର୍ବୋଦୟ ନେତା ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କର ସେ ଜାମାତା । ବାଲ୍ୟ ଜୀବନ କଟାଇଥିଲେ ସାବରମତୀ ଆଶ୍ରମରେ, ଯେଉଁଠି ସୋସିଆଲ ଇଞ୍ଜିନିୟରିଂର ପରୀକ୍ଷା ନିରୀକ୍ଷା ଚାଲିଥିଲା । ଗାନ୍ଧୀଙ୍କୁ ଅତି ନିକଟରୁ ଦେଖିଥିଲେ ଓ ଜାଣିଥିଲେ । ସେଇ ଅନୁଭୂତି ଓ କଥା କହିବେ । ଓଡ଼ିଶା ପ୍ରତି ଗାନ୍ଧୀଙ୍କର ଥିଲା ସ୍ୱତନ୍ତ୍ର ଦରଦ । ୧୯୨୧ ରୁ ୧୯୪୬ ମଧ୍ୟରେ ସେ ୮ ଥର ଓଡ଼ିଶା ଗସ୍ତରେ ଆସିଥିଲେ ଓ ଲୋକଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥିଲେ । ୧୯୪୬ ମସିହା ଜାନୁଆରି ୨୦ ତାରିଖ ଥିଲା

ବିକଳ୍ପ ବିଶ୍ୱ ୨୪୯