ପୃଷ୍ଠା:Bikalpa Biswa.pdf/୨୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଖଟାଇବୁ । ଏଲିଜାବେଥ୍ ଟେଲର୍‌ଙ୍କୁ କସ୍ତୁରବା ରୋଲ୍‌ରେ ନେବାପାଇଁ ପରାମର୍ଶ ଆସିଥିଲା । କିନ୍ତୁ ସେ ଏହାକୁ ଏଡାଇ ଦେଇଥିଲେ । ଗାନ୍ଧୀଙ୍କ ବିଷୟରେ ୨୦ ବର୍ଷ ଧରି ଗବେଷଣା କରିଥିଲେ ସେ । ୧୯୩୧ ମସିହାରେ ତାଙ୍କୁ ଯେତେବେଳେ ଆଠ ବର୍ଷ, ପ୍ରଥମ ଥରପାଇଁ ଗାନ୍ଧୀଙ୍କୁ ଲଣ୍ଡନରେ ଦେଖି ପ୍ରଭାବିତ ହୋଇଥିଲେ ଆଟେନ୍‌ବରୋ । ଆମେରିକା ଓ ୟୁରୋପ୍‌ର ଅନେକ ସିନେମା ହଲ୍‌ରେ ତାଙ୍କ ନିର୍ମିତ ଗାନ୍ଧୀ ଚଳଚ୍ଚିତ୍ରଟି ଦେଖିସାରିଲା ପରେ ବି ଦର୍ଶକମାନେ ନିଜ ନିଜ ସିଟ୍‌ରେ ଭାବ ବିଭୋର ଅବସ୍ଥାରେ ବସି ରହୁଥିଲେ । ଏହାକୁ ଦେଖି ସାରିଲା ପରେ ପାଲେଷ୍ଟାଇନ୍ ଆନ୍ଦୋଳନର ବିପ୍ଳବୀ ନେତା ୟାସେର୍ ଆରାଫାତ୍ ଆନ୍ଦୋଳନର ମୋଡ଼ ବଦଳାଇ ଦେଇଥିଲେ । ମଧ୍ୟପ୍ରାଚ୍ୟ ଓ ଆରବ ଦେଶମାନଙ୍କରେ ଗାନ୍ଧୀ ବିଚାରଧାରା ବିଶେଷ ଆଦୃତ ହୋଇଥିଲା । ପୃଥିବୀର ବଡ଼ ବଡ଼ ବହି ଦୋକାନରୁ ଗାନ୍ଧୀଙ୍କ ଆତ୍ମ ଜୀବନୀ ସରି ଯାଇଥିଲା । ଆତଙ୍କବାଦୀ ଓ ହିଂସା ମାଧ୍ୟମରେ ବିପ୍ଳବପାଇଁ ଲାଗିଥିବା ଲୋକଙ୍କ ମନରେ ନିଜ ସଂଗ୍ରାମ ପଦ୍ଧତି ସମ୍ପର୍କରେ ସଂଶୟ ସୃଷ୍ଟି ହୋଇଥିଲା । ଭାରତରେ କମ୍ୟୁନିଷ୍ଟ ଆନ୍ଦୋଳନ ଦୁର୍ବଳ ହୋଇଯାଇଥିଲା । ଗାନ୍ଧୀ ବିଚାରର ଉଜ୍ଜ୍ୱଳ ଆଲୋକରେ ମାର୍କସ୍, ଲେନିନ୍‌ଙ୍କ ବିଚାର ନିଷ୍ପ୍ରଭ ହୋଇଯାଇଥିଲା ।

ଗାନ୍ଧୀଙ୍କର ଅନେକ ସମାଲୋଚକ ଓ ନିନ୍ଦୁକ ମଧ୍ୟ ଥିଲେ । ସେମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଥିଲେ ତ‌ତ୍କାଳୀନ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ୍ ଚର୍ଚ୍ଚିଲ୍ । ଗାନ୍ଧୀଙ୍କ କଥା ପଡ଼ିଲେ ପ୍ରତିକ୍ରିୟାରେ କହୁଥିଲେ “ଓ ସେଇ ଅଧା ଲଙ୍ଗଳା ଫକୀରଟା ତ ?” ଏହି ଅଧା ଲଙ୍ଗଳା ଫକୀର ଯେତେବେଳେ ବ୍ରିଟିଶ୍ ସାମ୍ରାଜ୍ୟର ସମ୍ରାଟଙ୍କୁ ବକିଙ୍ଗ୍‌ହାମ୍ ଉଆସରେ ଭେଟି ଫେରୁଥିଲେ, ସାମ୍ବାଦିକମାନେ ପଚାରିଲେ ଆପଣ ଅଧା ପୋଷାକରେ କେମିତି ଆମ ରାଜାଙ୍କୁ ଭେଟିଲେ ? ଅଳ୍ପ ହସି ଗାନ୍ଧୀ କହିଲେ, ଆପଣମାନଙ୍କ ରାଜା ଏତେ ଅଧିକ ପୋଷାକ ପିନ୍ଧିଛନ୍ତି ଯେ ତାହା ଆମ ଦେ ଜଣଙ୍କ ପୂରା ପୋଷାକଠୁ ଅଧିକ ହେବ । ନେତାଜୀ ସୁବାସ, ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ପନ୍ଥାକୁ ପସନ୍ଦ କରୁନଥିଲେ, କିନ୍ତୁ ତାଙ୍କୁ ଗଭୀର ସମ୍ମାନ କରୁଥିଲେ । ତାଙ୍କ ମତକୁ ବିରୋଧ କରୁଥିବା ଜିନ୍ନାଙ୍କୁ ସେ ଭାରତର ପ୍ରଧାନମନ୍ତ୍ରୀ କରି ଦେଶକୁ ବିଭାଜନରୁ ରକ୍ଷା କରିବାକୁ ଚାହୁଁଥିଲେ ।

ଗାନ୍ଧୀଙ୍କଦ୍ୱାରା ସବୁଠୁ ବେଶୀ ପ୍ରଭାବିତ ହୋଇଥିଲେ ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନ୍‌ଷ୍ଟାଇନ୍ । ୧୯୩୧ ମସିହା ସେପ୍ଟେମ୍ବର ମାସରେ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ : “ସମ୍ମାନନୀୟ ଗାନ୍ଧୀଜୀ ! ଆପଣ ହିଂସାରେ ବିଶ୍ୱାସ କରୁଥିବା ଲୋକଙ୍କୁ

ବିକଳ୍ପ ବିଶ୍ୱ ୨୫୧