ପୃଷ୍ଠା:Bikalpa Biswa.pdf/୨୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିଜ କାମଦ୍ୱାରା ଦେଖାଇ ଦେଇଛନ୍ତି ଯେ ଅହିଂସାଦ୍ୱାରା ପୃଥିବୀର ସବୁ ସମସ୍ୟାର ସମାଧାନ ହୋଇ ପାରିବ । ମୁଁ ଆଶା କରୁଛି ଆପଣଙ୍କ ବାର୍ତ୍ତା ଓ ଉଦାହରଣ ଭାରତ ସୀମା ଅତିକ୍ରମ କରି ଦିନେ ସାରା ମାନବ ସମାଜଦ୍ୱାରା ଆଦୃତ ହେବ ଏବଂ ଆପଣଙ୍କ ଦର୍ଶନ ଓ ବିଚାର ଅନୁସରଣରେ ଏକ ବିଶ୍ୱ ସଂସ୍ଥା ଗଠିତ ହେବ ।” ଗାନ୍ଧୀଙ୍କ ହତ୍ୟା ଖବର ପାଇଲା ପରେ ଆଇନ୍‌ଷ୍ଟାଇନ୍ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଏବଂ କହିଥିଲେ ‘ଆଗାମୀ ପିଢ଼ି ବିଶ୍ୱାସ କରି ପାରିବେ ନାହିଁ କି ରକ୍ତ ମାଂସ ଶରୀର ନେଇ ଏଭଳି ଜଣେ ବ୍ୟକ୍ତି ପୃଥିବୀ ପୃଷ୍ଠରେ ଅବତୀର୍ଣ୍ଣ ହୋଇଥିଲେ ।’ କିନ୍ତୁ ଆଇନ୍‌ଷ୍ଟାଇନ୍‌ଙ୍କ କଥା ସତ ହେଲା - ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଶାନ୍ତିପାଇଁ ଗଠିତ ହେଲା ମିଳିତ ଜାତିସଙ୍ଘ ଏବଂ ଗାନ୍ଧୀଙ୍କ ମହାପ୍ରୟାଣରେ ଜାତିସଙ୍ଘ ଇତିହାସରେ ପ୍ରଥମ ଥରପାଇଁ ସରକାରୀ କ୍ଷମତା ବଳୟର ବାହାରେ ଥିବା ଜଣେ ସମ୍ପୂର୍ଣ୍ଣ ବେସରକାରୀ ବ୍ୟକ୍ତିଙ୍କ ସମ୍ମାନରେ ରାଷ୍ଟ୍ର ସଙ୍ଘ ପତାକା ଅର୍ଦ୍ଧନମିତ ହେଲା । ଏବେ ୨୦୦୭ ମସିହା ଜୁନ୍ ୧୫ ତାରିଖ ଦିନ ମିଳିତ ଜାତିସଙ୍ଘର ଜେନେରାଲ୍ ଆସେମ୍ଲିରେ ୧୯୨ଟି ଦେଶର ପ୍ରତିନିଧିମାନେ ଏକାଠି ବସି ଗାନ୍ଧୀଙ୍କ ଜନ୍ମିତ ଅକ୍ଟୋବର ୨ ତାରିଖକୁ ପ୍ରତିବର୍ଷ “ଆନ୍ତର୍ଜାତିକ ଅହିଂସା ଦିବସ” ଭାବେ ପାଳନ କରିବାକୁ ଘୋଷଣା କରି ବାପୁଙ୍କୁ ଏକ ମହାନ୍ ବିଶ୍ୱ ମାନବର ସମ୍ମାନ ଦେଇଛନ୍ତି । ଏବଂ ଏହା ପୂର୍ବରୁ ୨୦୦୦ ମସିହାରେ ବିଶ୍ୱର ଦୁଇ ହଜାର ବୁଦ୍ଧିଜୀବୀଙ୍କୁ ପଚରା ଯାଇଥିଲା ବୁଦ୍ଧ ଓ ଯୀଶୁଙ୍କ ପରେ କେଉଁ ବ୍ୟକ୍ତି ଏପର୍ଯ୍ୟନ୍ତ ମାନବ ଇତିହାସକୁ ସବୁଠୁ ବେଶୀ ପ୍ରଭାବିତ କରିଛନ୍ତି ? ଅଧିକାଂଶଙ୍କ ଉତ୍ତର ଥିଲା ଆଇନ୍‌ଷ୍ଟାଇନ୍ ଓ ଗାନ୍ଧୀ ।

“ଗାନ୍ଧୀ ପରେ ଗାନ୍ଧୀ” ଲେଖାରେ ମନୋବୈଜ୍ଞାନିକ ଆଶିଷ ନନ୍ଦୀ ୪ ପ୍ରକାର ଗାନ୍ଧୀଙ୍କ ବିଷୟରେ ଲେଖିଛନ୍ତି - ୧) ରାଷ୍ଟ୍ରପିତା ଗାନ୍ଧୀ (୨) ଗାନ୍ଧୀବାଦୀଙ୍କ ଗାନ୍ଧୀ (୩) ଜନବିରୋଧୀ ନୀତିର ବିରୋଧୀ ଅକଡ଼ବାଗିଆ ଗାନ୍ଧୀ (୪) ଲୋକେ ଶୁଣିଥିବା କିନ୍ତୁ ଜାଣି ନଥିବା ଗାନ୍ଧୀ । କିନ୍ତୁ ପଞ୍ଚମ ଗାନ୍ଧୀ ହେବେ ଲାଇଲାମା, ମାର୍ଟିନ୍ ଲୁଥର କିଙ୍ଗ୍ (ଜୁନିଅର୍), ନେଲ୍ସନ୍ ମାଣ୍ଡେଲା, ୱାଲେସା, ଡେସ୍ମଣ୍ଡ ଟୁଟୁ, ବେନିଟୋ ଆକ୍ୱିନୋ, ଅଙ୍ଗସାନ୍ ସୁ କି ଓ ଓବାମାଙ୍କ ଗାନ୍ଧୀ । ନେଲ୍‌ସନ୍ ମାଣ୍ଡେଲାଙ୍କୁ ଗାନ୍ଧୀଙ୍କର ଯେଉଁ କଥାଟି ସବୁଠୁ ଭଲ ଲାଗିଥିଲା ସେଇଟି ହେଲା : ‘ମତେ ଯଦି ଭୀରୁତା ଓ ହିଂସା ମଧ୍ୟରୁ ଗୋଟିଏକୁ ବାଛିବାକୁ କୁହାଯିବ, ମୁଁ ହିଂସା ସପକ୍ଷରେ ରହିବି’ । ଆତ୍ମ ମର୍ଯ୍ୟାଦା ହାନିର ମୂକସାକ୍ଷୀ ହେବା ଅପେକ୍ଷା ଆତ୍ମ ସମ୍ମାନ ରକ୍ଷାପାଇଁ ହିଂସା ବରଂ ଶ୍ରେୟସ୍କର ।

୨୫୨ ବିକଳ୍ପ ବିଶ୍ୱ