ପୃଷ୍ଠା:Bikalpa Biswa.pdf/୨୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି ବିଶ୍ୱ ମାନବଙ୍କ ଜୀବନ ଗାଥା ହେଉଛି ଗାନ୍ଧୀ କଥା । ସବୁ କାମ ଛାଡ଼ି ଲୋକେ ଗାନ୍ଧୀ କଥା ଶୁଣିବାକୁ ଉଡ଼ି ଆସିବାର ଅନ୍ୟ ଏକ ପ୍ରଧାନ କାରଣ ଗାନ୍ଧୀ ଏଭଳି ଏକ ବିରଳ ବ୍ୟକ୍ତିତ୍ୱ ଯାହାଙ୍କ କଥା ଓ କାମରେ ଫରକ ନଥିଲା ଏବଂ ସେ ଏପରି ଗୋଟିଏ ହେଲେ ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରି ନାହାନ୍ତି, ଯାହା ସହିତ କୌଣସି ସାମାଜିକ ଓ ରଚନାତ୍ମକ କାର୍ଯ୍ୟକ୍ରମ ଯୋଡ଼ି ହୋଇ ନାହିଁ । ସ୍ୱଦେଶୀ ଆନ୍ଦୋଳନ ଓ ବିଦେଶୀ ବସ୍ତ୍ର ବର୍ଜନ ସହ ଚରଖା ଓ ଖଦୀ, ଅସ୍ପୃଶ୍ୟତା ନିବାରଣ ସହ ପାଇଖାନା ଓ ଗ୍ରାମ ସଫାଇ ଇତ୍ୟାଦି । ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା, ମହିଳା ସଶକ୍ତୀକରଣ, ପଞ୍ଚାୟତିରାଜ, ଗ୍ରାମ ସ୍ୱରାଜ, କୁଟୀର ଶିଳ୍ପ, ଜଳ, ପରିମଳ, କୃଷି, ଧର୍ମ, ସମାଜ ସଂସ୍କାର, ବ୍ୟକ୍ତି ସ୍ୱାଧୀନତା, ବ୍ରହ୍ମଚର୍ଯ୍ୟ, ପ୍ରାକୃତିକ ଚିକିତ୍ସା ଏପରି କୌଣସି ବିଷୟ ନାହିଁ, ଯାହା ଉପରେ ଗାନ୍ଧୀଙ୍କର ନିଜସ୍ୱ ମତ ଓ ବିଚାରଧାରା ନାହିଁ । ଏବଂ ତାଙ୍କ ପ୍ରତିଟି କହିବା କଥା ଏବେ ଆପ୍ତ ବାକ୍ୟ ଭାବରେ ଉଦ୍ଧୃତ ହେଉଛି । ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଗାନ୍ଧୀ ଦର୍ଶନ ଆଜି ଅଧ୍ୟୟନ ଓ ଗବେଷଣାର ବିଷୟବସ୍ତୁ ।

ଏବେ ମ୍ୟାନେଜମେଣ୍ଟ ବିଶାରଦମାନେ କହିଲେଣି, ଗାନ୍ଧୀ ଥିଲେ ପୃଥିବୀର ସର୍ବଶ୍ରେଷ୍ଠ ସଫଳ ମ୍ୟାନେଜର, ସର୍ବଶ୍ରେଷ୍ଠ ପରିବେଶ ବିଜ୍ଞାନୀ, ସର୍ବଶ୍ରେଷ୍ଠ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ, ସର୍ବଶ୍ରେଷ୍ଠ ଯୋଜନା ବିଶାରଦ । ସବୁଠୁ ବଡ଼ ମାନବ ବିଜ୍ଞାନୀ ଇତ୍ୟାଦି । ‘ଲଗେ ରହୋ ମୁନା ଭାଇ’ ଦେଖିଲା ପରେ ଭାରତୀୟ ଯୁବ ପିଢ଼ି ଗାନ୍ଧୀ ଓ ଗାନ୍ଧୀଗିରି ପ୍ରତି ଆକୃଷ୍ଟ ହେଲେଣି । ପୃଥିବୀ ଓ ମାନବ ସମାଜକୁ ରକ୍ଷା କରିବାକୁ ହେଲେ ଗାନ୍ଧୀଙ୍କ ବାଟରେ ଚାଲିବାକୁ ପଡ଼ିବ ବୋଲି ବଡ଼ ବଡ଼ ସମାଜ ବିଜ୍ଞାନୀମାନେ କହିଲେଣି । ଏ ବାଟଟି ପ୍ରକୃତରେ କ’ଣ ଅନେକ ଜାଣି ନାହାନ୍ତି, ବୁଝି ନାହାନ୍ତି ବା ବୁଝିବାକୁ ସମୟ ସୁଯୋଗ ପାଇନାହାନ୍ତି । ବେଳେବେଳେ କୁହାଯାଏ ଗାନ୍ଧୀଙ୍କୁ ବୁଝିବାକୁ ହେଲେ ଗାନ୍ଧୀ ହୋଇ ଜନ୍ମ ହେବାକୁ ପଡ଼ିବ । ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ନାରାୟଣ ଭାଇଙ୍କ ଭଳି ଲୋକେ ଦେଶ ବିଦେଶ ବୁଲି ଅତି ସରଳ, ସାବଲୀଳ, ସଙ୍ଗୀତମୟ ଭାଷାରେ ଗାନ୍ଧୀ କଥା କହୁଛନ୍ତି, ଗାନ୍ଧୀଙ୍କ ସମ୍ପର୍କରେ ଯାହା ମନରେ ଯୋଉ ପ୍ରଶ୍ନ ଅଛି ତା’ର ଉତ୍ତର ଦେଉଛନ୍ତି । ଗାନ୍ଧୀବାଦ ଏକ ରକେଟ୍ ବିଜ୍ଞାନ ନୁହେଁ ଯାହା ଶୁଣିଲେ ବୁଝି ହେବ ନାହିଁ କିମ୍ବା ବୁଝିଲେ କାମରେ ଲାଗିବ ନାହିଁ । ଏହା ଏକ ଦୈନନ୍ଦିନ ବିଚାର ଓ ଆଚାର ବିଜ୍ଞାନ, ମାନବ କଲ୍ୟାଣକାରୀ ଓ ବିଶ୍ୱଦର୍ଶନ । ତେଣୁ ଯେତେବେଳେ ଆଟେନ୍‌ବରୋ ଗାନ୍ଧୀ ଫିଲ୍ମ ଗବେଷଣାପାଇଁ ପଣ୍ଡିତ ନେହେରୁଙ୍କୁ ଭେଟିଥିଲେ, ନେହେରୁ ତାଙ୍କୁ ପରାମର୍ଶ ଦେଇ କହିଥିଲେ, ବାପୁ ନିଶ୍ଚୟ ଜଣେ ମହାମାନବ, କିନ୍ତୁ ତାଙ୍କୁ କେବେହେଲେ ଦେବତା ଭାବରେ ଚିତ୍ରଣ କରିବ ନାହିଁ ।

ବିକଳ୍ପ ବିଶ୍ୱ ୨୫୩