ପୃଷ୍ଠା:Bikalpa Biswa.pdf/୨୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅତ୍ୟନ୍ତ ଗମ୍ଭୀର ସ୍ପର୍ଶକାତର ଆକ୍ଟ ମଧ୍ୟ କୌଣସି ଗଭୀର ଆଲୋଚନା ବିନା ପାସ୍ ହୋଇଯାଇଥିଲା ୨୦୦୫ ମସିହାରେ । ୨୦୦୮ ଡିସେମ୍ବର ୨୩ ତାରିଖ ଦିନ ଲୋକସଭାରେ ୧୭ ମିନିଟରେ ଆଠଟି ବିଲ୍ ପାଶ୍ ହୋଇଗଲା ବିନା ଡିବେଟରେ ଏବଂ ତା’ଭିତରେ ଥିଲା ଦେଶପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ ‘କ୍ରିମିନାଲ ପ୍ରୋସିଡ୍ୟୁଅର କୋଡ ବିଲ୍’ । ଏବେ ବିଶେଷଜ୍ଞମାନେ କହିଲେଣି ଏହି ପାରିତ ବିଲ୍ ଦେଶର ସୁରକ୍ଷାକୁ ଆହୁରି ଦୁର୍ବଳ କରିଦେବ ।

ସଂସୀୟ ପ୍ରଣାଳୀରେ ପ୍ରଶ୍ନକାଳ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା । ଏହି ସମୟରେ ସାଂସଦମାନେ ଦେଶ ଓ ରାଜ୍ୟର ପ୍ରଗତି, ଶାସନ ପ୍ରଣାଳୀ, ସୁରକ୍ଷା, ଜନସ୍ୱାର୍ଥ, ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ପ୍ରଶ୍ନ ପଚାରି ସରକାରଙ୍କୁ ସନ୍ତୋଷଜନକ ଉତ୍ତର ଦେବାପାଇଁ ବାଧ୍ୟ କରିଥାନ୍ତି । ସମଗ୍ର ପ୍ରଶ୍ନକାଳରେ ସାତ, ଆଠ ହଜାର ପ୍ରଶ୍ନପାଇଁ ସମୟ ଥାଏ । ଏବେ ‘ସୋସିଆଲ୍ ୱାଚ୍’ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାଯାଏ ପଚରା ଯାଉଥିବା ଅନେକ ପ୍ରଶ୍ନ ଅପ୍ରାସଙ୍ଗିକ ଓ ନିରର୍ଥକ । ଯେଉଁ ପ୍ରୋଗ୍ରାମ୍ ଓ ସ୍କିମ୍ ସମ୍ପର୍କରେ ପ୍ରଶ୍ନ ହୋଇଥାଏ ସେଥିରୁ ଅନେକ ପୁରୁଣା ଓ ବନ୍ଦ ହୋଇଯାଇଥିବା ସ୍କିମ୍ । ଉଦାହରଣ ସ୍ୱରୂପ ଗତବର୍ଷ ଜଣେ ମାନ୍ୟବର ସାଂସଦଙ୍କ ପ୍ରଶ୍ନ ଥିଲା ୨୦୦୬ ମସିହାରେ ଅପରେସନ୍ ବ୍ଲାକ୍ ବୋଡର଼୍ ସ୍କିମ୍‌ପାଇଁ ମଧ୍ୟପ୍ରଦେଶ ସରକାରଙ୍କୁ କେତେ ଟଙ୍କା ଦିଆଯାଇଥିଲା? ସମ୍ପୃକ୍ତ ମନ୍ତ୍ରୀ ଏହି ପ୍ରଶ୍ନର ଉତ୍ତର ଦେଇ କହିଲେ, “ସ୍କିମ୍‌ଟି ୨୦୦୧ ମସିହାରୁ ବନ୍ଦ ହୋଇଗଲାଣି ।”

ଅନ୍ୟ ପକ୍ଷରେ ପଇସା ଓ ଲାଞ୍ଚ ନେଇ ପ୍ରଶ୍ନ ପଚାରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ଫଳରେ ଗତବର୍ଷ ଲୋକସଭାରୁ ବଡ଼ ବଡ଼ ରାଜନୈତିକ ଦଳର ୧୦ ଜଣ ଓ ରାଜ୍ୟସଭାର ଜଣେ ସାଂସଦ ସଭ୍ୟପଦ ହରାଇଛନ୍ତି । ମାନ୍ୟବର ସାଂସଦମାନେ ବସୁଥିବା ପାର୍ଲାମେଣ୍ଟରେ ପ୍ରତିମିନିଟ୍ର ମୂଲ୍ୟ ୨୬,୦୩୫ ଟଙ୍କା । କିନ୍ତୁ ଏହି ମୂଲ୍ୟବାନ ସମୟ ଅନୁପସ୍ଥିତି, ଅପାରଗତା, ବାଦ-ବିବାଦ, ବୃଥା ପ୍ରଶ୍ନ ବା ପଇସା ଖାଇ ପ୍ରଶ୍ନ ପଚାରିବାରେ କଟିଯାଏ । ଯେଉଁ କେତେକ ବିଜ୍ଞ, ଯୋଗ୍ୟ ସାଂସଦ ଥା’ନ୍ତି ସେମାନେ ଏହି ପ୍ରକ୍ରିୟାକୁୂ ପ୍ରଭାବିତ କରିପାରନ୍ତି ନାହିଁ । ଏହାଛଡ଼ା ଅଧିକାଂଶ ସାଂସଦଙ୍କର ଆଲୋଚନାରେ ଯୋଗ ନେବାପାଇଁ ଆବଶ୍ୟକ ପ୍ରସ୍ତୁତି ନଥାଏ । ଦଳମାନେ ମଧ୍ୟ ଯୋଗ୍ୟ ଲୋକଙ୍କୁ ଟିକେଟ ଦିଅନ୍ତି ନାହିଁ । ବାହୁବଳ, ଧନବଳ, ଜାତି, ଧର୍ମ ଓ ନେତାଙ୍କ ପ୍ରତି ଆନୁଗତ୍ୟ ଭିତ୍ତିରେ ଟିକେଟ ବଣ୍ଟାଯାଏ । କେତେକ ଦଳ ଡକାଏତ୍‌ମାନଙ୍କୁ ଟିକେଟ୍ ଦେଇ ଜିତାଇଥିବାର ଦୃଷ୍ଟାନ୍ତ ରହିଛି । ଚିତ୍ର ତାରକାମାନେ

ବିକଳ୍ପ ବିଶ୍ୱ ୨୮୧