ପୃଷ୍ଠା:Bikalpa Biswa.pdf/୨୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଧୃତରାଷ୍ଟ୍ରଙ୍କ ବଂଶବୃଦ୍ଧି

ଏବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଭାରତୀୟ ଜନଶକ୍ତି ପାର୍ଟିର ଅଧ୍ୟକ୍ଷା ସୁଶ୍ରୀ ଉମାଭାରତୀ, ଗୁଜୁରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁର୍ଯ୍ୟୋଧନ ଓ ତାଙ୍କ ରାଜନୈତିକ ଗୁରୁ ବିରୋଧୀ ଦଳ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଧୃତରାଷ୍ଟ୍ର ଆଖ୍ୟା ଦେଇଛନ୍ତି । କ୍ଷମତା ରାଜନୀତିରେ ଏପରି ଆରୋପ, ପ୍ରତ୍ୟାରୋପ ସ୍ୱାଭାବିକ । କିନ୍ତୁ ଏହା ସତ୍ୟ ଯେ ମହାଭାରତ ଯୁଦ୍ଧରେ, ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ କୌରବମାନେ ପରାସ୍ତ ଓ ଧ୍ୱଂସ ହୋଇଗଲେ ଏବଂ କୁରୁକୁଳ ବୁଡ଼ିଗଲା ସିନା, କିନ୍ତୁ ସେହିିନୁ ଭାରତରେ ଧୃତରାଷ୍ଟ୍ରଙ୍କ ବଂଶ ବୃଦ୍ଧି ପାଇବାରେ ଲାଗିଛି । ଧୃତରାଷ୍ଟ୍ର ଜଣେ ଅନ୍ଧ ରାଜା ନଥିଲେ, ସେ ପ୍ରକୃତରେ ଥିଲେ ଜଣେ ଅନ୍ଧ ପିତା - ଅନ୍ଧ ଶାସକ - ଅନ୍ଧ ବିଚାରକ । ତାଙ୍କର ସନ୍ତାନ ମୋହ କାରଣରୁ ପ୍ରଥମ ଥରପାଇଁ ଭାରତର ବିଭାଜନ ଘଟିଥିଲା । ୧୯୪୭ ମସିହା ‘ପାର୍ଟିସନ୍’ର ପାଞ୍ଚ ହଜାର ବର୍ଷ ପୂର୍ବରୁ । ଏବେ ଭାରତର ରାଜନୈତିକ, ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ କ୍ଷେତ୍ରମାନଙ୍କରେ ମଧ୍ୟ ଧୃତରାଷ୍ଟ୍ରମାନେ ବ୍ୟାପି ଗଲେଣି ।

ଭାରତୀୟ ଜାତୀୟ କଂଗ୍ରେସରେ ପରିବାରବାଦ ବିରୁଦ୍ଧରେ ଯେଉଁ ଦଳ ଓ ନେତାମାନେ ବଡ଼ ପାଟି କରୁଥିଲେ, ତାଙ୍କ ପିଲାମାନେ ଏବେ ତାଙ୍କ ଦଳକୁ ଅକ୍ତିଆର କରିନେଲେଣି । ଭାରତୀୟ ଜନତା ପାର୍ଟିର ସଭାପତି ପରିବାରବାଦ ବିରୁଦ୍ଧରେ ବିବୃତି ଦେବା ବାସି ଦିନ ତାଙ୍କ ପୁଅ ଉତ୍ତରପ୍ରଦେଶ ଯୁବ ବିଜେପିର ସଭାପତି ହୋଇଗଲେ । କରୁଣାନିଧି ନିଜ ପୁଅକୁ ତାମିଲନାଡ଼ୁରେ ଓ ଝିଅକୁ କେନ୍ଦ୍ର ସରକାରରେ ପ୍ରତିନିଧିତ୍ୱ କରିବାକୁ ବାଛିଲେ - କାରଣ ଡିଏମ୍‌କେରେ ଆଉ ଯୋଗ୍ୟ ଲୋକ ନଥିଲେ । ଏହା ପୂର୍ବରୁ ସେ ପୁତୁରା ଓ ଭଣଜାଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଇଥିଲେ । ପିଏମ୍‌ଜେ ପାର୍ଟିର ସଭାପତି ଏସ୍. ରାମାଡସ୍ ନିଜ ପୁଅ ଅମ୍ବୁମନି ରାମାଡସ୍‌ଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ୱାସ୍ଥ୍ୟ

୨୮୪ ବିକଳ୍ପ ବିଶ୍ୱ