ପୃଷ୍ଠା:Bikalpa Biswa.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦରକାର ପଡ଼େ ନାହିଁ, ଏହା ପଗଡ଼ି, ଲୁଙ୍ଗି, ଅଙ୍ଗବସ୍ତ୍ର, ଉତ୍ତରୀୟ, ଦୁପଟ୍ଟା, ଓଢ଼ଣା, ଚାର, ଠେକା, ଗାମୁଛା, କଚ୍ଛା ଏପରି ଭାବେ ପାଞ୍ଚ ହଜାରରୁ ଅଧିକ ଡିଜାଇନ୍‌ରେ ବିନା ସିଲାଇରେ ପିନ୍ଧି ହୁଏ । ପାର୍ଟି, ଅଫିସ୍, ବାହାଘର, ସଭା, ଉତ୍ସବ ସବୁଠି ଚଳେ । ଏହା ପ୍ରାଚୀନ ଭାରତୀୟ ସଂସ୍କୃତି ଓ ସଭ୍ୟତାର ନିତ୍ୟ ନୂତନ ଫେସନ୍ ଷ୍ଟେଟମେଣ୍ଟ । ସବୁଠୁ ପୁରାତନ, ପୁଣି ସବୁଠୁ ଆଧୁନିକ । ପୃଥିବୀର ଅଦ୍ୱିତୀୟ ପୋଷାକ - ଆମ ଚାଲିଚଳଣ, ଅର୍ଥନୀତି, ମୂଲ୍ୟବୋଧ, ଜଳବାୟୁ ଓ ପରିବେଶର ସଖା । ପିନ୍ଧିବା ଯେତିକି ସହଜ, ଖୋଲିବା ତାଠାରୁ ଅଧିକ ସହଜ - ଜଷ୍ଟ ୱାନ୍ ପିସ୍ ଅଫ୍ କ୍ଲଥ୍ । ଏସବୁ ଶୁଣି ସେ ଖୁବ୍ ଖୁସି ହୋଇଗଲେ ଓ କହିଲେ ମୋ ସ୍ତ୍ରୀଙ୍କୁ କହିବି, ଆସି ଶିଖିଯିବେ । ସତରେ ଭାରତଠାରୁ ଆମର ଅନେକ କଥା ଶିଖବାର ଅଛି । ଆପଣଙ୍କ ‘ଇଣ୍ଡିଆ ଫେଷ୍ଟିଭାଲ ଇନ୍ ସୋଭିଏତ୍ ୟୁନିଅନ’କୁ ଆମ ଲୋକେ ଭାରି ପସନ୍ଦ କରୁଛନ୍ତି । ୟୁରୋପ, ଆମେରିକାରେ ଧୋତି ଓ ଶାଢ଼ି କ୍ରମେ ଜନପ୍ରିୟ ହେଉଛି । ଛୋଟ ଛୋଟ ଟ୍ରେଣ୍ଡି ପୋଷାକ ଆମ ଝିଅଙ୍କପାଇଁ ଠିକ୍ ନୁହେଁ । ଆପଣମାନେ ଶାଢ଼ି, ଧୋତି, କୁର୍ତ୍ତା ପରମ୍ପରା ବଜାୟ ରଖନ୍ତୁ । ଏବେ ରୁଷିଆର ପ୍ରଧାନମନ୍ତ୍ରୀ ଭିକର୍ଟ ଜୁବକୋଭ୍ ଦିଲ୍ଲୀଠାରେ କହିଗଲେ, ନୂଆ ବନ୍ଧୁ ଅନ୍ୱେଷଣରେ ଭାରତ ଭଳି ଏକ ପୁରୁଣା ବନ୍ଧୁକୁ ଆମେ ଭୁଲି ପାରିବୁ ନାହିଁ । ନବନିର୍ବାଚିତ ରାଷ୍ଟ୍ରପତି ମେଡ୍‌ଭେଡେଭ୍ ଭାରତ ସହ ବନ୍ଧୁତ୍ୱ ଆହୁରି ଦୃଢ଼ କରିବାକୁ ଘୋଷଣା କରିଛନ୍ତି । ଭାରତୀୟ ସଙ୍ଗୀତ, ନୃତ୍ୟ, ସାହିତ୍ୟ, କଳା ଓ ରାନ୍ଧଣା ରୁଷିଆରେ ଖୁବ୍ ଲୋକପ୍ରିୟ । ପ୍ରାୟ କୋଡ଼ିଏ ବର୍ଷ ପରେ ଆଉ ଥରେ ରୁଷିଆରେ ଭାରତ ଉତ୍ସବ ଓ ଭାରତରେ ରୁଷିଆ ଉତ୍ସବ ପାଳିତ ହେବ ବୋଲି ନିଷ୍ପତ୍ତି ହୋଇଛି । ୨୦୦୮ ମସିହାକୁ ରୁଷିଆରେ ଭାରତ ବର୍ଷ - ‘ଇଅର ଅଫ୍ ଇଣ୍ଡିଆ’ ଓ ଭାରତରେ ରୁଷିଆ ବର୍ଷ - ‘ଇଅର ଅଫ୍ ରୁଷିଆ’ ଭାବରେ ପାଳନ କରାଯାଇଛି । ଏହି ଉପଲକ୍ଷେ ଉଭୟ ଦେଶରେ ଦେଢ଼ଶହ ଲେଖାଏଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି - ସଂସ୍କୃତିଗତ ଆଦାନ ପ୍ରଦାନ ପାଇଁ । ଏହାଦ୍ୱାରା ନୂଆ ଭାରତ ଓ ନୂଆ ରୁଷିଆ ପରସ୍ପର ଅଧିକ ନିକଟବର୍ତ୍ତୀ ହୋଇଛନ୍ତି । ହିନ୍ଦୀ ଭାଷା, ସଙ୍ଗୀତ ଓ ଶାଢ଼ି ପୁଣି ଥରେ ରୁଷିଆରେ ଲୋକପ୍ରିୟତା ଜମାଇବେ । ବହୁ ଭାରତୀୟ ନାରୀ ଶାଢ଼ି ଫିଙ୍ଗି ଦେଲେଣି - ମୋ ସାଙ୍ଗରେ ଥିବା ସବୁ ମହିଳାଙ୍କୁ ବିଦେଶୀମାନେ ଶାଢ଼ି ପିନ୍ଧାଇଲେ, ତାଙ୍କଠୁ ଶାଢ଼ି ପିନ୍ଧା ଶିଖେଇଲେ । ଆମ ଦେଶର ଦେଶୀ ମହିଳାଙ୍କୁ କିଏ ଶିଖାଇବ ?

୩ ଏପ୍ରିଲ୍, ୨୦୦୮

୬୮

ବିକଳ୍ପ ବିଶ୍ୱ