ପୃଷ୍ଠା:Bikalpa Biswa.pdf/୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓ ଭିନ୍ନକ୍ଷମଙ୍କପାଇଁ ଉଦ୍ଧିଷ୍ଟ ସିଟ୍ ଅଧିକାର, ଛୋଟ ଛୋଟ କଥା ନେଇ ଝଗଡ଼ା, ମାର୍‌ପିଟ୍, ପୁରାତନ ସ୍ମୃତି, ସ୍ମାରକୀ ଓ କାନ୍ଥବାଡରେ ଅଶ୍ଲୀଳ ଭାଷା ଲିଖନ, ସମୂହ ସ୍ଥଳରେ ଧୂମପାନ, ଯେଉଁଠି ସେଇଠି ପାନଛେପ ପକାଇବା, ତରୁଣୀମାନଙ୍କ ସହ ଅଶ୍ଲୀଳ ଆଚରଣ କରିବା, ଅଶ୍ଲୀଳ, ଅଭଦ୍ର ଇ-ମେଲ୍ ପଠାଇବା, ଧାର୍ମିକ ଶୋଭାଯାତ୍ରା ଓ ମେଢ଼ ଆଗରେ ଅଶ୍ଲୀଳ ସିନେମା ଗୀତ ଗାଇ, ରେକର୍ଡ ବଜାଇ ନାଚିବା ଓ ସର୍ବୋପରି ବିଧାନସଭା, ଲୋକସଭାରେ ତର୍କ ବିତର୍କ ଛାଡ଼ି ହସ୍ତାହସ୍ତି ହେବା - ଏକ ଅସଭ୍ୟ ସମାଜ ଓ ସଂସ୍କୃତିର ନଗ୍ନରୂପ ।

ବିଖ୍ୟାତ ଐତିହାସିକ ଟୟନ୍‌ବିଙ୍କ ମତରେ ପୃଥିବୀର ଦୁଇଟି ଜୀବନ୍ତ ସଭ୍ୟତା ମଧ୍ୟରୁ ଗୋଟିଏ ହେଲା ଭାରତୀୟ ସଭ୍ୟତା । ଅସଭ୍ୟ ଲୋକଙ୍କ ଆଘାତରେ ଏହା ଦୁର୍ବଳ ଓ ରୁଗ୍‌ଣ ହୋଇଗଲାଣି । ଏହାର ନିରାକରଣପାଇଁ ଆବଶ୍ୟକ ଏକ ସାମାଜିକ ଆନ୍ଦୋଳନ । ପରିବାର, ଶିକ୍ଷାୟତନ ଓ ସାମାଜିକ ସ୍ତରରେ ଏହି ଆନ୍ଦୋଳନ ଆରମ୍ଭ କରିବାକୁ ହେବ । ଏକ ସଭ୍ୟ ସଂସ୍କୃତିସଂପନ୍ନ ସମାଜ ପୁନର୍ଗଠନ କରିବାକୁ ହେବ । ବଡ଼ମାନେ ପ୍ରଥମେ ନିଜକୁ ସଜାଡ଼ିଲେ, ସାନମାନେ ଅନୁସରଣ କରିବେ । ସ୍କୁଲ, କଲେଜରେ ସଭ୍ୟ ଆଚରଣ ଶିକ୍ଷାର ଅଙ୍ଗ ହେବା ଦରକାର । ଶିକ୍ଷକମାନେ ଆଦର୍ଶ ଆଚରଣ ‘ରୋଲ୍‌ମଡେଲ’ ହେବାକୁ ପଡ଼ିବ । ଏହା ହେଲେ ଯାଇ ବିଦେଶରେ ଭାରତୀୟମାନଙ୍କର ସମ୍ମାନ ବଢ଼ିବ । ଏହି ଆନ୍ଦୋଳନକୁ ସଫଳ କରିବାକୁ ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଆବଶ୍ୟକ । ନେତା, ଅଭିନେତା ଓ ଗଣମାଧ୍ୟମର ଦାୟିତ୍ୱ ବେଶି । ଏବେ ଏକ ଆନ୍ତର୍ଜାତିକ ସର୍ଭେରୁ ଜଣାପଡିଛି ଯେ, ଶତକଡା ୭୩ ଭାଗ ମହିଳା ଉତ୍ତମ ଆଚରଣସଂପନ୍ନ ବ୍ୟକ୍ତିଙ୍କୁ ଜୀବନସାଥୀ ଭାବରେ ପସନ୍ଦ କରିଥାନ୍ତି । ସଭ୍ୟ ଆଚରଣ ସବୁଠାରୁ ଶସ୍ତା, ଏଥିପାଇଁ ପଇସା ଖର୍ଚ୍ଚ କରିବାକୁ ପଡେ ନାହିଁ । ବଚନେ କା ଦରିଦ୍ରତା ?

ଅନ୍ୟ ପକ୍ଷରେ ଦେଶର ଆଇନ୍ ଶୃଙ୍ଖଳା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ପେନାଲ୍ କୋଡ୍, ସିଭିଲ୍ କୋଡ୍ ଓ ସମ୍ବିଧାନ ସଂଶୋଧନ କରି ପୋଲିସ୍ ବିଭାଗକୁ ରାଜନୀତିରୁ ଊର୍ଦ୍ଧ୍ୱରେ ରଖିବାକୁ ହେବ । ପୋଲିସ୍ ତାଲିମ ବ୍ୟବସ୍ଥାରେ ସଂସ୍କାର ଆବଶ୍ୟକ । ରାଷ୍ଟ୍ରୀୟ ପୋଲିସ କମିଶନଙ୍କ ସୁପାରିଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ପଡ଼ିବ । ଗୁଣ୍ଡାଗର୍ଦ୍ଦି, ମାଫିଆ ଓ ଅସଭ୍ୟ ଆଚରଣ ସମ୍ପର୍କୀୟ କେଶ୍ ସବୁର ତୁରନ୍ତ ବିଚାର, ଫଇସଲା ଓ ଦୋଷୀକୁ ଦଣ୍ଡ ବ୍ୟବସ୍ଥା ନହେଲେ ବିଚାର ପଦ୍ଧତି ଉପରେ ଲୋକଙ୍କ ଆସ୍ଥା ତୁଟିଯିବ, ଅସଭ୍ୟତା ବଢ଼ିବ । ଭାରତ ୨୦୨୦ ମସିହା ବେଳକୁ ବିଶ୍ୱର ଏକ ଉନ୍ନତ ‘ଅସଭ୍ୟ’ ଦେଶ ହୋଇଯିବ । ଅସଭ୍ୟ ଲୋକଙ୍କ ଉପରେ ପ୍ରକୃତ ବିଜୟ

ବିକଳ୍ପ ବିଶ୍ୱ ୮୧