ପୃଷ୍ଠା:Bikalpa Biswa.pdf/୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ମଣିଷକୁ ସାବଧାନ !!!

ବଲାଙ୍ଗୀରର ଟାକୁଆ ଗାଁ ଓ ଶୂଲିଆ ସଂସ୍କାର ମଞ୍ଚ ପଶୁବଳି ଓ ମାଂସ ଭକ୍ଷଣ ବିରୁଦ୍ଧରେ ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି । କିନ୍ତୁ ଏହା ସତ୍ତ୍ୱେ ଶୂଲିଆ ପୀଠରେ ପଶୁପକ୍ଷୀଙ୍କ ବଳିପ୍ରଥାକୁ ବନ୍ଦ କରିବାପାଇଁ ପ୍ରଶାସନ ଓ ପୁଲିସ୍‌ର ସବୁ ଉଦ୍ୟମ ପଣ୍ଡ ହୋଇଯାଇଛି । ନଡ଼ିଆ ଓ ଧୂପ ଦୀପରେ ପୂଜା ଅର୍ଚ୍ଚନା କରିବାପାଇଁ ସଂସ୍କାର ମଞ୍ଚର ଚେଷ୍ଟାକୁ ପ୍ରତ୍ୟାଖାନ କରି ‘ସାନଖଳା’ ଓ ‘ନୂଆଖଳା’ରେ ଅସଂଖ୍ୟ ପଶୁପକ୍ଷୀ ପୋଢ଼ଙ୍କର ନିଷ୍ଠୁର ହତ୍ୟାର ଲୋମହର୍ଷଣକାରୀ ଦୃଶ୍ୟକୁ ବରିଷ୍ଠ ଅଧିକାରୀମାନେ ଉପଭୋଗ କରୁଥିଲେ ବୋଲି ସମ୍ବାଦ ପ୍ରକାଶ ପାଇଛି । ରାଜଧାନୀ ଭୁବନେଶ୍ୱରରେ ପ୍ରତିବର୍ଷ ଛାଡ଼ଖାଇ ଦିନ ପ୍ରାୟ ଦୁଇ ଲକ୍ଷ ଜନ୍ତୁ ବଳି ପଡ଼ନ୍ତି । ଲକ୍ଷ୍ମୀସାଗର, ଆଇଁଗିଣିଆ, ତମାଣ୍ଡୋ, ନୟାପଲ୍ଲୀ, ଡମଣା ଛକ, ରସୁଲଗଡ଼, ସାମନ୍ତାରୟପୁର ଓ ଉତ୍ତରାଠାରେ ଏମାନଙ୍କ ହତ୍ୟାପାଇଁ ବ୍ୟାପକ ବ୍ୟବସ୍ଥା ଦେଖିଲେ ଦେହ ଶୀତେଇ ଉଠେ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପଶୁବଳି ପ୍ରଥା ଜାରି ରହିଛି - ଏହାର ସପକ୍ଷ ଓ ବିପକ୍ଷରେ ଲେଖାମାନ ବାହାରୁଛି । କିନ୍ତୁ ଏହାକୁ ଆନ୍ଦୋଳନ ରୂପ ଦେବାରେ ଟାକୁଆ ଗାଁ ଓ ଶୂଲଆ ସଂସ୍କାର ମଞ୍ଚ ରାଜ୍ୟରେ ବୋଧହୁଏ ପ୍ରଥମ ।

ଥରେ ଇଦ୍ ପର୍ବର କିଛିିଦିନ ପୂର୍ବରୁ ବାଂଲାଦେଶର ରାଜଧାନୀ ଢାକାରେ ଥିଲି । ଦିନେ ସକାଳେ ଖବରକାଗଜ ହେଡଲାଇନ୍‌ରେ ବାହାରିଲା, ମେଘନା ନ‌ଦୀରେ ଗାଈଗୋରୁଙ୍କୁ ନେଇ ଆସୁଥିବା ଦୁଇଟି ବଡ ବୋଟ୍ ବୁଡ଼ିଯାଇଛି ଏବଂ ଶହେରୁ ଅଧିକ ଗାଈଗୋରୁ ପ୍ରାଣରକ୍ଷା ଉଦ୍ୟମରେ ପହଁରି ପହଁରି କୂଳରେ ପହଞ୍ଚିଛନ୍ତି । ଖବର ପଢ଼ି ମୁଁ ଖୁସି ହୋଇ ପାରିଲି ନାହିଁ । ମୋ ପାଖରେ ବସିଥିଲେ ସହକର୍ମୀ ବେଗମ୍ ରାକା ରସିଦ୍ । ପଚାରିଲେ ‘ଡକ୍ଟର ସାହେବ, ଆପଣ ଏ ଖବରରେ ଖୁସି ନ ହୋଇ ବିଷର୍ଣ୍ଣ ଜଣା ପଡ଼ୁଛନ୍ତି’ । ତାଙ୍କୁ କହିଲି, ଆପଣଙ୍କ ଅନୁମାନ ସତ୍ୟ - କାରଣ ମୁଁ ଭାବୁଥିଲି

ବିକଳ୍ପ ବିଶ୍ୱ ୮୩