ପୃଷ୍ଠା:Bikalpa Biswa.pdf/୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି ଗାଈଗୋରୁମାନେ ପ୍ରାଣରକ୍ଷାପାଇଁ ଏତେ ପରିଶ୍ରମ କରୁଥିଲେ କାହିଁକି - ଏହା ଆସନ୍ତାକାଲି ବୃଥା ହୋଇଯିବ । ଇଦ୍ ପର୍ବ ପାଳନପାଇଁ ଏ ସମସ୍ତଙ୍କୁ ହତ୍ୟା କରାଯିବ । ମୋ କଥା ଶୁଣି ହଠାତ୍ ସେ ଗମ୍ଭୀର ହୋଇଗଲେ ‘ହଁ, ମୁଁ ଆପଣଙ୍କ କଥା ଏବେ ହୃୟଙ୍ଗମ କରୁଛି’ । ପାଖରେ ବସିଥିବା ଆଉ ଜଣେ ବାଂଲାଦେଶୀ ବନ୍ଧୁ କହିଲେ, ଏ ଗୋରୁଗାଈ ଆମ ଦେଶର ନୁହଁନ୍ତି - ଆପଣଙ୍କ ଦେଶରୁ ଇଦ୍ ପାଇଁ ଅଣାଯାଇଛି । ଆମ ଦେଶରେ ଏମାନଙ୍କ ସଂଖ୍ୟା ସରି ଆସୁଛି । ଆମେ ସେମାନଙ୍କୁ ଖାଇ ସାରିଲୁଣି । ମହାଭାରତରେ ବନବାସ କାଳରେ ମଧ୍ୟମ ପାଣ୍ଡବ ଭୀମ କିପରି ନିଜ ଜୀବନକୁ ଖାତିର ନ କରି ବଳିପ୍ରଥା ଉଠାଇ ଦେଇଥିଲେ - ସେ କଥା ପ୍ରାୟ ସମସ୍ତଙ୍କୁ ଜଣା । କିନ୍ତୁ ମୋର ମାଳଦ୍ୱୀପ ଗସ୍ତ ସମୟରେ ପ୍ରଥମେ ଜାଣିବାକୁ ପାଇଲି ଯେ - ଜଣେ ଆରବୀୟ ମୁସଲମାନ ବଣିକ ଠାକୁରାଣୀଙ୍କ ଆଗରେ ବଳି ଦେବା ପ୍ରଥାର ଅସାରତା ସର୍ବ ସମକ୍ଷରେ ପ୍ରମାଣିତ କରିବା ପରେ ସେ ଦେଶର ସମସ୍ତ ହିନ୍ଦୁ ନିଜ ଧର୍ମ ପରିବର୍ତ୍ତନ କରିଦେଇଥିଲେ । ଏହି ବଣିକ ଯେଉଁ ଠାକୁରାଣୀଙ୍କ ପଥର ମୂର୍ତ୍ତି ଆଗରେ ବଳି ଦିଆଯାଉଥିଲା, ସେହିଟିକୁ ଟେକି ଆରବ ସମୁଦ୍ରରେ ଫିଙ୍ଗି ଦେଇଥିଲେ ।

ଭାରତରେ ପଶୁହତ୍ୟା ବିରୁଦ୍ଧରେ ଏବଂ ଅହିଂସା ଓ ଜୀବେ ଦୟା ସପକ୍ଷରେ ଜୈନ ଗୁରୁମାନେ ପ୍ରଥମେ ସ୍ୱର ଉତ୍ତୋଳନ କରିଥିଲେ । ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କୁ ଏହି ବିଚାରଧାରା ପ୍ରଭାବିତ କରିଥିଲା । ସାଙ୍ଗମାନଙ୍କ ପ୍ରେରଣାରେ ମାଂସ ଖାଇବା ପରେ ରାତିରେ ନିଜ ପେଟ ଭିତରେ ଛେଳିର କ୍ରନ୍ଦନ ଶୁଣିଥିବା କଥା ଆତ୍ମଜୀବନୀରେ ସେ ଲେଖିଛନ୍ତି । ପଶୁ ସମ୍ପଦକୁ ରକ୍ଷା କରିବାପାଇଁ ଭାରତୀୟ ଧାର୍ମିକ ପରମ୍ପରାରେ ମାଂସାହାରକୁ ନିରୁତ୍ସାହିତ କରାଯାଇଛି । ଏହାକୁ ଭଗବତ୍ ଗୀତାରେ ତାମସିକ ଖାଦ୍ୟ ପର୍ଯ୍ୟାୟରେ ରଖାଯାଇଛି । ଗୋସ୍ୱାମୀ ତୁଳସୀ ଦାସ ଲେଖିଛନ୍ତି - “ବକରି (ଛେଳି) ପାତି (ପତ୍ର) ଖାତି ହେ । ଦେଖୋ ଉସକା ହାଲ । ଯୋ ବକରି କୋ ଖାତା ହେ ଶୋଚୋ ଉସକା ହୋଗା କ୍ୟା ହାଲ ?” ମାଂସ ନ ଖାଉଥିବା ଲୋକଙ୍କୁ ଘାସଖିଆ ବୋଲି ଥଟ୍ଟା କରାଯାଏ ଓ ଶକ୍ତିହୀନ ବୋଲି ପ୍ରଚାର କରାଯାଏ । କିନ୍ତୁ ପୃଥିବୀରେ ଶକ୍ତିର ପ୍ରତୀକ ହେଲା ଅଶ୍ୱ - ହର୍ଷପାୱାର ବା ଅଶ୍ୱଶକ୍ତି । ଅଶ୍ୱଶକ୍ତିଦ୍ୱାରା ସବୁ ଶକ୍ତିକୁ ମପାଯାଏ । ଏହି ଶକ୍ତିମାନ ଅଶ୍ୱ ଶାକାହାରୀ ।

ଏବେ ପାଶ୍ଚାତ୍ୟ ଦେଶମାନଙ୍କରେ ଶାକାହାରୀ ଆନ୍ଦୋଳନ ବ୍ୟାପିଲାଣି । କେବଳ ଲଣ୍ଡନ ସହରରେ ପାଞ୍ଚଶହରୁ ଅଧିକ ଶାକାହାରୀ ରେସ୍ତୋରାଁ । ଡାକ୍ତର ଓ ବୈଜ୍ଞାନିକମାନେ ମାଂସାହାର ବହୁରୋଗର କାରଣ ବୋଲି କହିଲା ପରେ ଏବେ ଲୋକେ

୮୪ ବିକଳ୍ପ ବିଶ୍ୱ