ପୃଷ୍ଠା:Biplaba Suare Padartha Bigyan.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିପ୍ଲବରୁ ବିସ୍ତାର


ସପ୍ତଦଶ ଶତାବ୍ଦୀରେ ବିଜ୍ଞାନ କ୍ଷେତ୍ରରେ ଯେଉଁ ନୂଆ ଚିନ୍ତାଧାରା ଓ ଉତ୍ସାହ ମୁଣ୍ଡ ଟେକିଥିଲା। ତା’ର ପ୍ରଭାବରେ ଅଷ୍ଟାଦଶ ଶତାବ୍ଦୀରେ ନିଉଟନୀୟ ପଦାର୍ଥ ବିଜ୍ଞାନ ଆହୁରି ଆଗେଇ ଚାଲିଲା । ନିଉଟନଙ୍କର ସିଦ୍ଧାନ୍ତ ବିଦ୍ଯୁତ, ଚୁମ୍ବକ ଏବଂ ଆଲୋକ ଭଳି ପଦାର୍ଥ ବିଜ୍ଞାନର ଅନ୍ୟ ବିଭାଗ ସବୁକୁ ମଧ୍ୟ ଆଗରୁ ପ୍ରଭାବିତ କରିଥିଲା । ସ୍ଟିଜରଲାଣ୍ଡର ଗଣିତଜ୍ଞ ଲିଓନାର୍ଡ ଅଏଲର୍ (୧୭୦୭ – ୧୭୮୩) ଯାନ୍ତିକୀ ଏବଂ ଜ୍ଯୋତିର୍ବିଜ୍ଞାନର ଜଟିଳ ସମସ୍ୟାର ସମାଧାନ କରିବା ପାଇଁ ଗଣିତର ପ୍ରୟୋଗ କଲେ । ବିଜ୍ଞାନର ବିକାଶ ଦିଗରେ ଏହି ସମୟରେ ଜୋଶେଫ ଲୁଇ ଲାଙ୍ଗାଜ (୧୭୩୬-୧୮୧୩), ପିଅର ସିମନ ଲାପ୍ଲାସ୍ (୧୭୪୯-୧୮୨୭), ହେନେରୀ କାଭେଣ୍ତିସ୍ (୧୭୩୧-୧୮୧୦), ବେଞ୍ଜାମିନ ଫ୍ରାଙ୍କଲିନ୍ (୧୭୦୬-୧୭୯୦), ଯୋଶେଫ ପ୍ରିଷ୍ଟଲେ (୧୭୩୩-୧୮୦୪), ଚାର୍ଲିସ୍ ଅଗଷ୍ଟିନ ଦେ କୁଲମ୍ବ (୧୭୩୬-୧୮୦୬) ଆଦି ବୈଜ୍ଞାନିକଙ୍କର ବହୁତ ଅବଦାନ ଥିଲା । ଉନବିଂଶ ଶତାବ୍ଦୀରେ ପଦାର୍ଥ ବିଜ୍ଞାନର ବିକାଶ ବେଶ୍ ଦ୍ରୁତ ଗତିରେ ଘଟିଥିଲା । ତାପ, ବିଦ୍ଯୁତ-ଚୁମ୍ବକୀୟ, ଆଲୋକ ଏବଂ ଯାନ୍ତିକୀ ଆଦି ଏହାର ବିଭିନ୍ନ ବିଭାଗର ପରିସର ବେଶ୍ ବଢ଼ିଗଲା । ଏହି ଶତାବ୍ଦୀର ଆରମ୍ଭରେ ଦେଖାଇ ଦିଆଗଲା ଯେ ଆଲୋକ ତରଙ୍ଗ ରୂପରେ ଗତି କରେ ! ଶତାବ୍ଦୀର ମଝି ବେଳକୁ ବୈଜ୍ଞାନିକମାନେ ତାପ ଏକ ଶକ୍ତି ବୋଲି ଜାଣିପାରିଲେ ।

୧୮