ପୃଷ୍ଠା:Biplaba Suare Padartha Bigyan.pdf/୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୩. କୌଣସି ବସ୍ତୁ ଗତିଶୀଳ ହେଲେ ତା’ର ବସ୍ତୁତ୍ୱ ବଢ଼େ । ଗତିବେଗ ବଢ଼ି ଆଲୋକ ବେଗ ପାଖରେ ପହଞ୍ଚିଲେ, ବସ୍ତୁର ଓଜନ ଅସୀମ ହୋଇଯିବ । ବସ୍ତୁର ବେଗ ମହାଶୂନ୍ୟରେ ଆଲୁଅର ବେଗ ଠାରୁ ବେଶୀ ହୋଇପାରିବ ନାହିଁ ।

୪. ଶକ୍ତି ଏବଂ ବସ୍ତୁତ୍ବ ଗୋଟିଏ ବସ୍ତୁର ଦୁଇଟି ରୂପ । ଶକ୍ତି ଏବଂ ବସ୍ତୁତ୍ବ ଗୋଟିଏ ଆଉ ଗୋଟିଏର ରୂପରେ ବଦଳି ପାରିବ । ଶକ୍ତିର ପରିମାଣ (E) କୌଣସି ବସ୍ତୁର ବସ୍ତୁତ୍ୱ (m) ତଥା ଆଲୁଅର ବେଗ (c) ର ବର୍ଗର ଗୁଣଫଳ ସହ ସମାନ ।[E=mc2]

ଏଥିରୁ ଜଣାଯାଉଛି ଯେ ନିଉଟନୀୟ ଯାନ୍ତ୍ରିକୀ ଅନୁସାରେ ସବୁ ସ୍ଥାନରେ ଏବଂ ସମସ୍ତଙ୍କ ପାଇଁ ସମୟ ଏକା ରହେ, କିନ୍ତୁ ଆପେକ୍ଷିକତା ଅନୁସାରେ ଦୁଇଜଣ ନିରୀକ୍ଷକଙ୍କ ପାଇଁ ସମୟ ଏକା ହୋଇପାରିବ ନାହିଁ । ନିଉଟନୀୟ ଯାନ୍ତ୍ରିକୀରେ ସ୍ଥାନ ଏବଂ କାଳ ଅଲଗା ବୋଲି ଧରାଯାଏ, କିନ୍ତୁ ଅପେକ୍ଷିକତା ତତ୍ତ୍ବରେ ସ୍ଥାନ ଏବଂ କାଳ ପରସ୍ପର ସହ ଯୋଡ଼ା) ।

ବିଶେଷ ଆପେକ୍ଷିକତା ତତ୍ତ୍ବ ପ୍ରକାଶ କରିବା ପରେ ଆଇନଷ୍ଟାଇନ ନିଜ ତତ୍ତ୍ବକୁ ଆହୁରି ବିସ୍ତାରିତ କରିବାରେ ଲାଗିଲେ ଏବଂ ୧୯୧୬ ମସିହାରେ ସେ ତାଙ୍କ ସାର୍ବତ୍ରିକ ଆପେକ୍ଷିକତା ତତ୍ତ୍ବ ପ୍ରକାଶିତ କଲେ । ପୃଥିବୀ ସାରା ଏହାର ବହୁତ ପ୍ରଭାବ ପଡ଼ିଥିଲା । ଅନେକ ପଦାର୍ଥ ବିଜ୍ଞାନୀ ଏହାକୁ ମଣିଷ ଇତିହାସରେ ସବୁଠାରୁ ଭଲ ବୌଦ୍ଧିକ ଉପଲବ୍ଧି ବୋଲି ମାନନ୍ତି । ସାର୍ବତ୍ରିକ ଆପେକ୍ଷିକତା ତତ୍ତ୍ବ ଅନୁସାରେ ମାଧ୍ୟାକର୍ଷଣ ଓ ଜଡ଼ତ୍ୱ ଗୋଟିଏ ଘଟଣାକୁ ବ୍ୟାଖ୍ୟା କରିପାରିବା ଭଳି ଦୁଇଟି ଶବ୍ଦ ମାତ୍ର । ଏହି ତତ୍ତ୍ବ ଅନୁସାରେ ବିଶ୍ବର ସବୁ ପ୍ରକ୍ରିୟା ପାଇଁ ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ସହିତ ସମୟ ହେଉଛି ଚତୁର୍ଥ ବିମିତି ବା ଡାଇମେନ୍‌ସନ୍ ।

୫୪ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ